LIVE TV

ହିମାଚଳ ପ୍ରଦେଶରେ ଋତୁର ଦ୍ୱିତୀୟ ହିମପାତ, ଶୀତ ଲହର ପାଇଁ ସତର୍କ କଲେ ପାଣିପାଗ ବିଜ୍ଞାନୀ

NEWS7
congress-leader-navjyot-singh-siddhu-said-against-on-agriculture-bill

ଚମ୍ବା ୨୨।୧୦: ହିମାଚଳ ପ୍ରଦେଶରେ ପାଗ କଡ ଲେଉଟେଇଛି। ରାଜ୍ୟର ପାର୍ବତ୍ୟାଞ୍ଚଳରେ ଋତୁର ଦ୍ୱିତୀୟ ହିମପାତ ହୋଇଛି।  ତାଜା ବରଫ ପାତରେ ଲାହୋଲ-ସ୍ପିତି, କିନ୍ନୋର, କୁଲ୍ଲୁ ଓ ଚମ୍ବା ଜିଲ୍ଲାର ପର୍ବତ ଶିଖର ସବୁ ବରଫର ଶ୍ୱେତ ଚାଦରରେ ଘୋଡେଇ ହୋଇପଡିଛି। ଚମ୍ବା ଜିଲ୍ଲାର ଜରାସୁ ଜୋତରେ ବରଫ ଅତଡା ଧସିବାରୁ ପାଖାପାଖି ୨୫୦ରୁ ଅଧିକ ଛେଳିମେଣ୍ଢା ବରଫ ତଳେ ପୋତି ହୋଇ ପ୍ରାଣ ହରାଇଛନ୍ତି। ପଶୁ ପାଳକ ପାଖାପାଖି ୬୦୦ ପଶୁଙ୍କୁ ନେଇ କାଙ୍ଗଡା ଯାଉଥିବା ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି। ତେବେ ଦୁଇ ପଶୁ ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବରଫ ଅତଡା ଧସିବା ସୂଚନା ମିଳିବାମାତ୍ରେ ଚମ୍ବା ନ୍ୟାଗ୍ରାଂ ପଞ୍ଚାୟତରୁ ଏକ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ଦୁଇ ପଶୁ ପାଳକ ଓ ବାକି ଜୀବିତ ପଶୁଙ୍କୁ ସୁରକ୍ଷିତ ହୋଲି ପହଞ୍ଚାଇଛନ୍ତି। ପ୍ରଶାସନ ଅଞ୍ଚଳରେ ହୀମପାତ ଓ ଏଥି ଯୋଗୁ ପ୍ରଭାବିତ ହେବାକୁ ଥିବା ପଶୁ ପାଳକଙ୍କୁ ସତର୍କ କରିଛି। ଲାହୋଲ-ସ୍ପିତି, କିନ୍ନୋର ଓ କୁଲ୍ଲୁ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଗତ ରାତିସାରା ହିମପାତ ହୋଇଥିଲା। ମନାଲୀ, ରୋହତାଙ୍ଗ, ମଢି ଓ ସୋଲଙ୍ଗନାଲା ପାହାଡ ଶିଖର ତାଜା ବରଫ ବର୍ଷାରେ ଧଳା ହୋଇଯାଇଛି। ଶିତୁଆ ପବନ ଓ ବାଦଲ ଛାଇ ରହିବା ଯୋଗୁ ତାପମାତ୍ରା ହ୍ରାସ ହେବାରେ ଲାଗିଛି।

ବିଳମ୍ବିତ ରାତ୍ରିରେ ହିମପାତ ଯୋଗୁ ସକାଳେ ରୋହତାଙ୍ଗ ସମେତ ଉପତ୍ୟାକାକୁ ପର୍ଯ୍ୟଟଙ୍କ ଆଗମନ ହୋଇଥିବା ବେଳେ ସେମାନେ ହୀମପାତର ବେଶ୍ ମଜା ନେଇଛନ୍ତି। ଶିମଲା ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଗତ ୨୪ ଘଣ୍ଟାରେ ହିମାଚଳର ଉଚ୍ଚ କ୍ଷେତ୍ରରେ ହିମପାତ ହୋଇଛି। ଏଣୁ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ସ୍ୱଭାବିକରୁ ହ୍ରାସ ହୋଇଛି। ଲାହୋଲ-ସ୍ପିତିର ସର୍ବନିମ୍ନ ତାପମାତ୍ରା ଶୁନ ଡିଗ୍ରି ଆଖପାଖରେ ପହଞ୍ଚିଛି। ତେବେ ହିମାଚଳର ସମତଳ ଜିଲ୍ଲା ଉନା, ହମୀରପୁର, ବିଲାଶପୁର ଓ ମଣ୍ଡିରେ ପାଗ ସଫା ରହିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ସକ୍ରିୟ ଥିବାରୁ ବୁଧବାର ରାତି ସୁଧା ରାଜ୍ୟର ପର୍ବତ୍ୟାଞ୍ଚଳରେ ହାଲୁକା ବରଫପାତ ସାଙ୍ଗକୁ ବର୍ଷା ହୋଇପାରେ। ଆଗାମୀ ୨୪ ଘଣ୍ଟାରେ ସମତଳ ଓ ପାର୍ବତ୍ୟାଞ୍ଚଳର କିଛି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ହୀମପାତ ଯୋଗୁ ହିମାଚଳ ପ୍ରଦେଶର ପର୍ବତାଞ୍ଚଳରେ ଥଣ୍ଡାର ପ୍ରକୋପ ବଢିଛି। ତେବେ ସମତଳ ଅଞ୍ଚଳର ପାଗ ଖରାଟିଆ ଥିବାରୁ ଲୋକେ ଆଶ୍ୱସ୍ତ ଅଛନ୍ତି। ହେଲେ ଏହି ହିମପାତ ପ୍ରଭାବ ଯୋଗୁ ଆଗାମୀ ଦିନମାନଙ୍କରେ ସର୍ବ ନିମ୍ନ ତାପମାତ୍ରାରେ ଆହୁରି ହ୍ରାସ ହୋଇପାରେ ବୋଲି ସତର୍କ କରାଯାଇଛି। ପାଣିପାଗ ବିଭାଗଙ୍କ ଅନୁସାରେ ପାହାଡିଆ ଅଞ୍ଚଳରେ ଶୀତ ଲହର ଭଳି ପରିସ୍ଥିତି ଉପୁଜିପାରେ।