ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡି; ୧୦ ଡିଗ୍ରୀ ତଳେ ୭ ସହରର ତାପମାତ୍ରା, ସପ୍ତାହେ କଲବଲ କରିବ ଜାଡ

NEWS7
congress-leader-ashok-chavan-praised-nitin-gadkari-said-right-person-in-wrong-party

ଭୁବନେଶ୍ୱର,୨୬। ୧୨: ପାହାନ୍ତିଆରୁ ଘନ କୁହୁଡ଼ି ମାଡ଼ି ଆସିଲା । ୧୦ ମିଟର ଆଗକୁ କିଛି ଦେଖାଗଲାନି । ଜାତୀୟ ରାଜପଥରେ ଅଟକି ରହିଲା ଗାଡ଼ି । ଭୁବନେଶ୍ୱର ବିମାନବନ୍ଦର ହୋଇଗଲା ଅଚଳ । ସକାଳ ୯ଟା ପର୍ଯ୍ୟନ୍ତ ଉଡ଼ିଲା ନାହିଁ କୌଣସି ବିମାନ । ପୁରୀରେ ନୀଳଚକ୍ର ବି ଦେଖାଗଲାନି । ଅଧା ଓଡ଼ିଶାରେ ଆଜି ଘନ କୁହୁଡ଼ି ଏମିତି କଲବଲ କଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏମିତି ଘନ କୁହୁଡ଼ି ଜାରି ରହିବ । ଶୁକ୍ରବାର ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ଏନେଇ ସତର୍କ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ କୁହୁଡ଼ି ରହିବ ।

୫ଟି ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । କନ୍ଧମାଳ, ସୁନ୍ଦରଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କୋରାପୁଟ ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ଦେଖାଯିବ । ଏହିସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଠପ୍ ହୋଇଯାଇଥିଲା । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଅଞ୍ଚଳରେ ୫ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ୧୦ ମିଟର ଆଗକୁ କିଛି ଦେଖାଯାଇ ନଥିଲା । ଫଳରେ ବିମାନ ସେବା ୨ ଘଣ୍ଟା ଧରି ବନ୍ଦ ରହିଥିଲା । ଏପରିକି ସକାଳ ୯ଟା ପର୍ଯ୍ୟାନ୍ତ ଏୟାରପୋର୍ଟ ଅପରେସନ ବନ୍ଦ ରହିଥିଲା । ଫଳରେ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା ଓ ବେଙ୍ଗାଲୁରକୁ ବିମାନ ସେବା ପ୍ରଭାବିତ ହୋଇଥିଲା । ଯଦିଓ ବିମାନ ବାତିଲ ହୋଇ ନଥିଲା, ୧୫ରୁ ଅଧିକ ବିମାନ ବିଳମ୍ବରେ ଉଡ଼ିଥିଲା । ଯାହାକୁ ନେଇ ବିମାନବନ୍ଦରରେ ଯାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ରେଳ ଯାତ୍ରାରେ ମଧ୍ୟ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା । କୁହୁଡ଼ି ଯୋଗୁଁ କେତେକ ଟ୍ରେନ୍ ଚଳାଚଳରେ ସାମାନ୍ୟ ବିଳମ୍ବ ହୋଇଥିଲା । ଟ୍ୱିନ୍ ସିଟି କଟକ-ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସକାଳୁ ଜାତୀୟ ରାଜପଥରେ ଅନେକ ପର୍ଯ୍ୟଟକ ଗାଡି ଅଟକି ରହିଥିଲା । ଭୁବନେଶ୍ୱର ସହର ଭିତରେ ମଧ୍ୟ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା । କୁହୁଡ଼ି ସହ ରାଜ୍ୟରେ ଶୀତର ପ୍ରକୋପ ମଧ୍ୟ ଜାରି ରହିଛି । ଆଜି ୧୦ ଅଞ୍ଚଳରେ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି । ସବୁଠି ପାରଦ ଖସିଛି । ସିମିଳିଗୁଡ଼ା ସବୁଠୁ ଅଧିକ ଥଣ୍ଡା ରହିଛି । ସେଠାରେ ତାପମାତ୍ରା ୬.୧ ଡିଗ୍ରୀ ହୋଇଛି । ସେହିପରି କୋରାପୁଟରେ ୬.୮, ଦାରିଙ୍ଗିବାଡ଼ିରେ ୭.୦, ଫୁଲବାଣୀରେ ୭.୦, ଝାରସୁଗୁଡା ୮.୬, ନବରଙ୍ଗପୁରରେ ୮.୬, ଜି ଉଦୟଗିରି ୮.୪, ରାଉରକେଲାରେ ୮.୫ ଡିଗ୍ରୀ ରେକର୍ଡ ହୋଇଛି ।