ଭୋପାଳରେ ଜାତୀୟ ଶିକ୍ଷାନୀତି କର୍ମଶାଳାରେ ଧର୍ମେନ୍ଦ୍ର, ଉତ୍ତମ ପୋଷଣ ପିଲାଙ୍କୁ ଏକାଗ୍ରତା ଓ ଶିଖାଇବାର କ୍ଷମତା ବଢ଼ାଇବ

NEWS7
congress-demand-home-minister-amit-shah-resignation-onbijapur-naxal-attack

ଭୋପାଳ ୦୮।୧୨ : ପୋଷଣ ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ତୁଳିତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର । ଉତ୍ତମ ପୋଷଣ ପିଲାମାନଙ୍କ ଏକାଗ୍ରତା ଓ ଶିଖାଇବାର କ୍ଷମତା ବଢ଼ାଇବା ସହ ସେମାନଙ୍କୁ ସ୍ୱାସ୍ଥ୍ୟବାନ, ଆତ୍ମବିଶ୍ୱାସୀ ଓ ସକ୍ଷମ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ । ଯାହା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭୋପାଳରେ ଆୟୋଜିତ ‘ଜାତୀୟ ଶିକ୍ଷାନୀତି ୨୦୨୦-କ୍ରିୟାନ୍ୱୟନ, ଆହ୍ୱାନ ଓ ସମ୍ଭାବନା’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଔପନିବେଶିକ ମାନସିକତାରୁ ମୁକ୍ତ ଏକ ଆତ୍ମଗୌରବରେ ପରିପୂର୍ଣ୍ଣ ଶିକ୍ଷା ପ୍ରଣାଳୀ ପ୍ରତିଷ୍ଠା କରିବାର ସଙ୍କଳ୍ପ ଆମର ରହିଛି । ମଧ୍ୟପ୍ରଦେଶ ଆଗାମୀ ୨୫ ବର୍ଷ ପାଇଁ ଏକ ଯୁବ ପ୍ରଦେଶ ହୋଇରହିବ ଏବଂ ବିକଶିତ ଭାରତର ପରିକଳ୍ପନାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏଆଇର ବ୍ୟବହାର ଦ୍ୱାରା ଯେତେବେଳେ ପାରମ୍ପରିକ ଜ୍ଞାନକୁ ନୂତନ ଜ୍ଞାନକୌଶଳ ସହ ଯୋଡାଯିବ ସେତେବେଳେ ମଧ୍ୟପ୍ରଦେଶ ତଥା ଦେଶର ଅନ୍ୟାନ୍ୟ ରାଜ୍ୟମାନଙ୍କୁ ଏକବିଂଶ ଶତାବ୍ଦୀର ନୂତନ ଦିଗ ମିଳିବ । ଏଥିପାଇଁ ଶ୍ରୀ ପ୍ରଧାନ ଏଆଇ ଟ୍ୟୁଟର ଭଳି ପଦକ୍ଷେପରେ ମଧ୍ୟପ୍ରଦେଶକୁ ଅଗ୍ରଣୀ ହେବାକୁ ଆହ୍ୱାନ କରିଥିଲେ । ମଧ୍ୟପ୍ରଦେଶ ସରକାରଙ୍କ ସ୍କୁଲ ଚଲେଁ ହମ୍‌ ଅଭିଯାନ ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟ ସହ ଯୋଡିବା, ଡ୍ରପ୍‌ଆଉଟ୍‌ ହ୍ରାସ କରିବା ଏବଂ ଆଧୁନିକ ଶିକ୍ଷଣ ପଦ୍ଧତିଗୁଡିକୁ ବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଅଧିକରୁ ଅଧିକ ପିଲା ଶିକ୍ଷା ସହ ଯୋଡିହୋଇ ଜ୍ଞାନ ଓ ସଂସ୍କାରରେ ସଶକ୍ତ ହୋଇ ବିକଶିତ ମଧ୍ୟପ୍ରଦେଶ ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇ ଚାଲିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ । ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କମଳା ନେହରୁ ସାନ୍ଦିପନୀ କନ୍ୟା ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ ।