ବ୍ୟକ୍ତିଙ୍କୁ ଜୀବନ ହାରିବାକୁ ବାଧ୍ୟ କଲା ଜେମିନି ଏଆଇ ! ସ୍ପଷ୍ଟୀକରଣ ଦେଲା ଗୁଗଲ୍‌

NEWS7
congress-declared-candidates-list-for-20-assembly-constituency

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚାରେ ଲାଗି ରହିଛି । ଏଆଇର ଉପକାରୀତା ଏବଂ ଅପକାରୀତା ସଂପର୍କରେ ବିଭିନ୍ନ ଖବର ଶୁଣିବାକୁ ମିଳେ । ଏଆଇ ପାଇଁ ଚାକିରି ଯାଉଛି, ଆଗକୁ ଆହୁରି ଅସୁବିଧା ହେବ ବୋଲି ଆଶଙ୍କା ବୃଦ୍ଧି ପାଇଛି । କିନ୍ତୁ ଏହାରି ମଧ୍ୟରେ ଏଆଇ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଛି ବୋଲି ବଡ଼ ଅଭିଯୋଗ ହୋଇଛି । ପ୍ଲୋରିଡାରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପରେ ତାଙ୍କ ପରିବାର ଜେମିନି ଏଆଇ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜେମିନି ଏଆଇ ସେମାନଙ୍କ ପୁଅଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛି ।

ଜୁନାଥନ ଗାଭାଲସ (୩୬) ଅକ୍ଟୋବର ୨, ୨୦୨୫ରେ ଆତ୍ମହତ୍ୟା କରିଥିଲେ । ତାଙ୍କ ବାପା ଜୁଏଲ ଗାଭାଲସ୍ ଜେମିନି ଏଆଇ ବିରୋଧରେ ମାର୍ଚ୍ଚ ୪ରେ ଅଭିଯୋଗ କରିଛନ୍ତି । ଜୁଏଲ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କୁ ଗଣ ହତ୍ୟା କରିବାକୁ ଏଆଇ ଚାଟବଟ୍ ବାଧ୍ୟ କରିଥିଲା ବୋଲି ମଧ୍ୟ ଜୋନାଥନ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ‘ଜୁନାଥନ ଏଆଇ ଚାଟବଟ୍ ବାସ୍ତବରେ ପରିଣତ ହେବ ବୋଲି ବିଶ୍ବାସ କରୁଥିଲା । ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ଲାଗି ଜେମିନି ଏଆଇ ଜୁନାଥନଙ୍କୁ ମିଆମି ଅନ୍ତର୍ଜାତୀୟ ବିମାନ ବନ୍ଦରର ଲୋକେସନ ଦେଇଥିଲା । ସେଠାରେ ତାଙ୍କୁ ଗଣ ହତ୍ୟା କରିବାକୁ କୁହାଯାଇ ଥିଲା ।’

ଜେମିନି ଏଆଇ ମାନସିକ ସ୍ଥିତିକୁ ଦେଖି କାର୍ଯ୍ୟ କରେ ଏବଂ ଏହା ବାସ୍ତବିକତାରୁ ଦୂରେଇ ନେଇଯାଏ । ଏକଥା ଗୁଗଲ ମଧ୍ୟ ଜାଣିଛି ବୋଲି ଜୁଏଲ କହିଛନ୍ତି । ସେପଟେ ଗୁଗଲ୍ ମୁଖପାତ୍ର ଜୋସ୍ କାଷ୍ଟାନେଡା ଏକ ବିବୃତ୍ତିରେ କହିଛନ୍ତି ଯେ, ଜେମିନି ବାସ୍ତବ-ଦୁନିଆ ହିଂସାକୁ ଉତ୍ସାହିତ କରିବା କିମ୍ବା ନିଜକୁ କ୍ଷତି ପହଞ୍ଚାଇବା ପାଇଁ ପରାମର୍ଶ ଦେବା ପାଇଁ ଡିଜାଇନ୍ କରାଯାଇ ନାହିଁ । ଗୁଗଲ୍ର ଏଆଇ ମଡେଲଗୁଡ଼ିକ ସାଧାରଣତଃ ଭଲ ପ୍ରଦର୍ଶନ କରନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ ଏଆଇ ମଡେଲଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇନାହିଁ ।

ଜୁନାଥନ୍ ଗୁଗଲର ଜେମିନି ଏଆଇ ବ୍ୟବହାର କରିବା ପରେ ପାଗଳ ଭଳି ବ୍ୟବହାର କରୁଥିଲା । ଆତ୍ମହତ୍ୟା କରିବାର ୪ ଦିନ ପୂର୍ବରୁ ତାଙ୍କ ବ୍ୟବହାର ଅତି ଭୟଙ୍କର ହୋଇଯାଇଥିଲା । ଜୁନାଥନକୁ ଜେମିନି କହିଥିଲା, ତାଙ୍କ ପିତା ଜଣେ ବିଦେଶୀ ଗୁପ୍ତଚର ଏବଂ ସେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଟାର୍ଗେଟରେ ରଖିଛନ୍ତି । ଜୁନାଥନ୍ ମିଶନ ପୂରା ନକରିପାରିବାରୁ ଜେମିନି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ବୋଲି ଜୁଏଲ କୋର୍ଟରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଗୁଗଲ ସ୍ପଷ୍ଟୀକରଣ ଦେଇ କହିଛି ଯେ, ଜେମିନି ଗାଭାଲସଙ୍କୁ ବିପଦ ନେଇ ବାରମ୍ବାର ଚେତାବନୀ ଜାରି କରିଥିଲା । କମ୍ପାନି ପକ୍ଷରୁ ଆହୁରି କୁହାଯାଇଛି, ଯେଉଁମାନେ ମାନସିକ ଅବସାଦରେ ଅଛନ୍ତି, ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ଲାଗି ଆମେ ଚିକିତ୍ସା ଏବଂ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇ ସୁରକ୍ଷା ବ୍ୟବସ୍ଥା ନିର୍ମାଣ କରିଛୁ ।