LIVE TV
LIVE TV

'ବଞ୍ଚାଇ ପାରିଲାନି ଟେକ୍ନୋଲୋଜି, ଜିଅନ୍ତା ଜଳିଗଲେ...': ନିଆଁକୁ ନିୟନ୍ତ୍ରଣ କରିବାରେ କାହିଁକି ଫେଲ ମାରିଲା ଶକ୍ତିଶାଳୀ ରାଷ୍ଟ୍ର ?

NEWS7
comedian-kapil-sharma-to-marry-girlfriend-ginni-punjabi-wedding-in-amritsar

ହାଇ ଟେକ୍ନୋଲୋଜିର ଦେଶ ଚୀନ। ଉଦ୍ଭାବନ ଏବଂ ଆବିଷ୍କାରର ଦେଶ। ଏଆଇ ଠାରୁ ଆରମ୍ଭ କରି ଉଡ଼ନ୍ତା କାର ଏବଂ ଅତ୍ୟାଧୁନିକ ସାଟେଲାଇଟ୍। କଣ ନାହିଁ ବା ତା ପାଖରେ। ବୈଷୟିକ ଜ୍ଞାନର ଅଧିକାରୀ ବେଜିଂ। ସାରା ବିଶ୍ୱରେ ପ୍ରଯୁକ୍ତିବିଦ୍ୟାରେ ମାହିର ଥିବା ଚୀନ ସାମାନ୍ୟ ନିଆଁରୁ ରକ୍ଷା ପାଇପାରିଲା ନାହିଁ କିପରି?

ନଭେମ୍ବର ୨୬ ତାରିଖ। ଅପରାହ୍ନ ୩ଟା । ଚୀନର ହଂକଂର ତାଇ ପୋ ଜିଲ୍ଲାରେ ଥିବା ବଡ଼ ଆବାସିକ କମ୍ପ୍ଲେକ୍ସ ୱାଙ୍ଗ ଫୁକ୍ କୋର୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ନିଆଁ ହୁତୁହୁତୁ ହୋଇ ସାରା ଅଟ୍ଟାଳିକାକୁ ମାଡିଗଲା। ଏହି ଟ୍ରାଜେଡିରେ ଏପର୍ଯ୍ୟନ୍ତ ୯୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୭୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨୮୦ ଜଣ ନିଖୋଜ ଅଛନ୍ତି। ଏହା ୭୭ ବର୍ଷ ମଧ୍ୟରେ ଚୀନର ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ। ସବୁଠୁ ବଡ଼ କଥା ହେଲା ୨୪ ଘଣ୍ଟା ପରେ ବି ଲିଭୁନି ନିଆଁ। ଫେଲ ମାରଛି ବିଶ୍ୱର ସବୁ ଟେକ୍ନୋଲୋଜି। ନିଆଁକୁ ତୁରନ୍ତ ନିୟନ୍ତ୍ରଣ କରିବା ଶକ୍ତିଶାଳୀ ରାଷ୍ଟ୍ର ପକ୍ଷେ ଅସମ୍ଭବ କାହିଁକି?

ଚୀନର ୱାଙ୍ଗ ଫୁକ୍ କୋର୍ଟ କମ୍ପ୍ଲେକ୍ସ। ଏଠାରେ ୮ଟି ବଡ଼ ବଡ଼ ବିଲ୍ଡିଂ ରହିଛି। ଏହି ଇଷ୍ଟେଟରେ ୧୯୮୪ଟି ଫ୍ଲାଟ୍ ଏବଂ ପ୍ରାୟ ୪ ହଜାର ଲୋକଙ୍କ ଘର ଅଛି। ପ୍ରତ୍ୟେକ ବିଲ୍ଡିଂ ୩୫ ମହଲା ବିଶିଷ୍ଟ। ୱାଙ୍ଗ ଫୁକ୍ କୋର୍ଟରେ ଅନେକ ବିଲ୍ଡିଂର ମରାମତି ଏବଂ ନବୀକରଣ କାର୍ଯ୍ୟ ବର୍ତ୍ତମାନ ଚାଲିଛି। ସେଥିପାଇଁ ସମସ୍ତ ଟାୱାରଗୁଡ଼ିକ ବାଉଁଶ ଭାରାରେ ଆଚ୍ଛାଦିତ ଥିଲା। କୋଠା ବାହାରେ ସ୍ଥାପିତ ବାଉଁଶ ଭାରା ମାଧ୍ୟମରେ ନିଆଁ ଲାଗିଥିଲା। ପ୍ରଥମେ ଏହାକୁ ଛୋଟ ନିଆଁ ଭାବି ହାଲୁକା ଭାବରେ ନେଇଥିଲେ ନିର୍ମାଣକାରୀ ଦଳ। ପ୍ରବଳ ପବନ ଯୋଗୁଁ ଗୋଟିଏ କୋଠାରୁ ଅନ୍ୟ କୋଠାକୁ ନିଆଁ ବ୍ୟାପିଯାଇଥିଲା। ଯେତେବେଳେ ନିଆଁ ଲାଗିଥିଲା, ଭିତରେ ରହୁଥିବା ଲୋକେ ବି ଜାଣିପାରିନଥିଲେ। କାରଣ ନବୀକରଣ ଯୋଗୁଁ ଝରକାଗୁଡ଼ିକ ବନ୍ଦ ଥିଲା। ଆଉ ଏହାହିଁ ବଡ଼ ବିପଦକୁ ଡାକିଆଣିଲା। ଉଭୟ ଫାୟାର ଏଗଜିଟ୍ ଏବଂ ଲିପ୍ଟକୁ ନିଆଁ ବ୍ୟାପିଗଲା। ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର। ଯିଏ ରକ୍ଷା କରିବାକୁ ଗଲା ସିଏବି ନିଆଁର ପ୍ରକୋପରୁ ବର୍ତ୍ତିଲାନି।

ହଂକଂ ଗଣମାଧ୍ୟମ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଏହା ୭୭ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ। ପୂର୍ବରୁ 1948 ମସିହାରେ ଏକ ପାଞ୍ଚ ମହଲା ବିଶିଷ୍ଟ ଗୋଦାମରେ ବିସ୍ଫୋରଣରେ ୧୭୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ଦେଢ଼ ଦଶନ୍ଧିରେ ଚୀନ୍ ଅନେକ ଉଦ୍ଭାବନର ଦେଶ ହୋଇଛି। ଚିକିତ୍ସା ଠାରୁ ଆରମ୍ଭ କରି ମହାକାଶ ଏବଂ ଟେକ୍ନୋଲୋଜି ପର୍ଯ୍ୟନ୍ତ... ସବୁଥିରେ ଅଗ୍ରଣୀ। ଚୀନ୍ ଏହାର ପ୍ରଯୁକ୍ତିବିଦ୍ୟା ପାଇଁ ବିଶ୍ୱବ୍ୟାପୀ ପ୍ରଶଂସା ପାଇପାରେ, କିନ୍ତୁ ଅଗ୍ନି-ପ୍ରତିରୋଧୀ ସାମଗ୍ରୀ ଭଳି ମୌଳିକ ସୁରକ୍ଷା ପଦକ୍ଷେପଗୁଡ଼ିକୁ ଅଣଦେଖା କରିଛି। ଚୀନର ପ୍ରଯୁକ୍ତିବିଦ୍ୟାର ଉନ୍ନତି ସତ୍ତ୍ୱେ, ଏହି ଦୁର୍ଘଟଣା ମାନବ ତ୍ରୁଟି ଏବଂ ପୁରୁଣା ଅଭ୍ୟାସର ଫଳାଫଳ ଥିଲା।ଜୁଲାଇ ୨୦୨୪ରୁ ନିର୍ମିତ କୋଠାଗୁଡ଼ିକ ବାଉଁଶ, ସବୁଜ ଜାଲରେ ଆଚ୍ଛାଦିତ କରାଯାଇଥିଲା। ଏହା ଚୀନ୍ ଏବଂ ବିଶେଷକରି ହଂକଂରେ ଏକ ସାଧାରଣ ଟେକନିକ। ବାଉଁଶ ଭାରା ଷ୍ଟିଲ ଭାରାର ଏକ ବିକଳ୍ପ। ଯାହା ନିର୍ମାଣ କାର୍ଯ୍ୟରେ ବହୁଳ ଭାବରେ ବ୍ୟବହୃତ ହୁଏ। କାରଣ ଏହା ହାଲୁକା ଏବଂ ଅତ୍ୟନ୍ତ ଦୃଢ଼। ଏହାକୁ ଅଧିକ ଉଚ୍ଚତାକୁ ପରିବହନ କରିବା ସହଜ। ଲମ୍ବା ବାଉଁଶଗୁଡ଼ିକୁ ସହଜରେ ସଂଯୋଗ କରାଯାଇପାରିବ। ଯାହା ଫଳରେ ବଡ଼ କୋଠା ଚାରିପାଖରେ ଭାରା ଶୀଘ୍ର ସ୍ଥାପନ କରାଯାଇପାରିବ। ଲିଫ୍ଟ ଝରକାରେ ସ୍ଥାପିତ ସ୍ଟାଇରୋଫେମ ବି ଲଗାଯାଇଥିଲା। ଏସବୁ ସାମଗ୍ରୀ ଅଗ୍ନିକୁ ପ୍ରଖର କରିବାରେ ସହାୟକ ହୁଏ।ଆଧୁନିକ କୋଠାରେ AI-ଭିତ୍ତିକ ସ୍ମୋକ ଡିଟେକ୍ଟର, ସ୍ୱୟଂଚାଳିତ ସ୍ପ୍ରିଙ୍କଲର ଏବଂ ଆଲାର୍ମ ଅଛି, ଯାହା 50-70% ପର୍ଯ୍ୟନ୍ତ ନିଆଁ ବ୍ୟାପିବାକୁ ରୋକିପାରିବ। ଏହା ଏକ ପୁରୁଣା କମ୍ପ୍ଲେକ୍ସ ହୋଇଥିବାରୁ ଟେକ୍ନୋଲୋଜିକୁ ଅପଗ୍ରେଡ କରାଯାଇନଥିଲା। ଦ୍ୱିତୀୟ କାରଣ ହେଲା ଡ୍ରୋନ୍ ଏବଂ ରୋବୋଟର ଅଭାବ।

ଚୀନ୍ରେ ଉନ୍ନତ ଅଗ୍ନି ନିର୍ବାପକ ରୋବୋଟ୍ ଏବଂ ଡ୍ରୋନ୍ ଅଛି, କିନ୍ତୁ ଘନ ଜନବସତି ଅଞ୍ଚଳରେ ସେଗୁଡ଼ିକୁ ନିୟୋଜିତ କରିବାରେ ଟ୍ରିକ ଜାଣିନି।ଜାତୀୟ ଅଗ୍ନି ସୁରକ୍ଷା ସଂଘ- NFPA ରିପୋର୍ଟ, "ଅଲ୍ ଏବାଉଟ୍ ଫାୟାର: ଏ ଗାଇଡ ଫର ରିପୋର୍ଟର୍ସ" ଅନୁଯାୟୀ, ନିଆଁ ବ୍ୟାପିବାର ଚାରୋଟି କାରକ ଥାଏ। ଇନ୍ଧନ, ଅମ୍ଲଜାନ, ତାପ ଏବଂ କେମିକାଲ ରିଆକ୍ସନ। ଏହି ଚାରୋଟି ଉପାଦାନର ମିଶ୍ରଣ କେବଳ ନିଆଁ ଜଳିବାର କାରଣ ନୁହେଁ, ବରଂ ଏହାକୁ ଦ୍ରୁତ ଗତିରେ ବ୍ୟାପିବାର କାରଣ ମଧ୍ୟ ହୁଏ। NFPA ଅନୁଯାୟୀ, ସାରା ବିଶ୍ୱରେ 80% ରୁ ଅଧିକ ନିଆଁ ଏହି ଉପାଦାନଗୁଡ଼ିକର ଭୁଲ ମିଶ୍ରଣରୁ ଆରମ୍ଭ ହୁଏ। ନିଆଁକୁ ବନ୍ଦ କରିବା ଅସମ୍ଭବ ହୋଇଯାଏ। ଏହି ଭୁଲ ହିଁ ହକଂର କୋର୍ଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡର କାରଣ ସାଜିଲା। ଘର ଫ୍ଲାଏ ରହିଥିବାରୁ ଜଳିବାରେ ଅଧିକ ସହାୟକ ହେଲା। ଗ୍ୟାସ ଟାଙ୍କି, ଏସି ଯୋଗୁଁ ନିଆଁକୁ ଇନ୍ଧନ ଯୋଗାଇଲା।ଆଜିର କୋଠାଗୁଡ଼ିକ ପ୍ଲାଷ୍ଟିକ୍, ପଲିୟୁରେଥାନ୍ ଫୋମ୍, ସ୍ଟାଇରୋଫୋମ୍ ଏବଂ ପିଭିସି ପାଇପରେ ପରିପୂର୍ଣ୍ଣ। ଏଗୁଡ଼ିକ ପୁରୁଣା କାଠ କିମ୍ବା ଇଟା ଅପେକ୍ଷା ୫-୧୦ ଗୁଣ ଦ୍ରୁତ ଗତିରେ ଜଳେ।

ଅଣ୍ଡରରାଇଟର୍ସ ଲାବୋରେଟୋରୀ (UL) ଦ୍ୱାରା କରାଯାଇଥିବା ପରୀକ୍ଷଣରେ, ସୋଫା ଭଳି ଆଧୁନିକ ଫର୍ନିଚର ୧୯୫୦ ଦଶକର ପୁରୁଣା ଫର୍ଣ୍ଣିଚର ଅପେକ୍ଷା ୨୦ ଗୁଣ ଦ୍ରୁତ ଗତିରେ ନିଆଁ ବ୍ୟାପେ। କାରଣ ଏଥିରେ ସିନ୍ଥେଟିକ୍ ଫ୍ରେମ ଥାଏ।ଉଚ୍ଚ କୋଠାଗୁଡ଼ିକ ସବୁଠାରୁ ବଡ଼ ଶତ୍ରୁ ନିଆଁ। କାହିଁକିନା ଏଠି ଜଳୀୟ ଚାପ ସ୍ୱୟଂଚାଳିତ ଭାବରେ ଉପରେ ହ୍ରାସ ପାଏ। ହେଲିକପ୍ଟର କିମ୍ବା ଡ୍ରୋନରୁ ପାଣି ଢାଳିଲେବି ଯାହା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ।

'ଷ୍ଟାକ୍ ଇଫେକ୍ଟ' ଥିବାରୁ ଗରମ ପବନ ଉପରକୁ ଉଠିଥାଏ ଏବଂ ଥଣ୍ଡା ପବନ ତଳକୁ ଖସିଥାଏ, ଯାହା ଫଳରେ ନିଆଁ ଏବଂ ଧୂଆଁ ଦ୍ରୁତ ଗତିରେ ଉପରକୁ ବ୍ୟାପିଥାଏ।ପ୍ରଯୁକ୍ତିବିଦ୍ୟା ନିଆଁକୁ ବନ୍ଦ କରିପାରିବ ନାହିଁ, ବରଂ କେବଳ ତାହାକୁ ଧୀର କରିପାରିବ। ଅତ୍ୟାଧୁନିକ ଘରେ ରହି ନିଜକୁ ସୁରକ୍ଷିତ ଭାବୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହଂକଂ ଟ୍ରାଡେଜି ଏକ ବଡ଼ ଶିକ୍ଷା। NFPA ଏବଂ USFA ରିପୋର୍ଟ କୁହେ ଯଦି କୋଠା ନିର୍ମାଣ ବେଳେ କୋଡ୍ ପାଳନ କରାଯାଏ, ତେବେ ୭୦% ଅଗ୍ନିକାଣ୍ଡକୁ ରୋକାଯାଇପାରିବ। ଟେକ୍ନୋଲୋଜିରେ ଆଗେଇଥିବା ଚୀନ ଟେକନିକରେ ଫେଲ ମାରିଛି। ନିଜକୁ ଉଦ୍ଭାବନର ଦେଶ ବାହସ୍ଫୋଟ ମାରୁଥିବା ବେଜିଂ ଆଜି ନିଆଁ ପାଖରେ ହାର ମାନିଛି।