LIVE TV

କାହା ପାଇଁ ଆଲୋକର ପର୍ବ ଆଣିଲା ଖୁସି, କାହା ପାଇଁ ସାଜିଲା ସର୍ବନାଶ

NEWS7
cm-naveen-to-meet-pm-modi-on-9th-june-at-delhi

କଟକ ୨୧/୧୦ : ବେଶ୍ ଧୁମ୍‌ଧାମରେ ସରିଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଦିଓ୍ୱାଲି । ତେବେ ଏହି ଖୁସିର ପର୍ବ କାହା ପାଇଁ ପୁଷମାସ ପାଲଟିଥିବାବେଳେ କାହାପାଇଁ ପାଲଟିଛି ସର୍ବନାଶ । ବିଶେଷ କରି ସିଲଭର ସିଟି କଟକରେ ଘଟିଛି ଅଭାବନୀୟ ଘଟଣା । ବାଇକ୍‌ରେ ବାଣ ବିସ୍ଫୋରଣ ଘଟି ୨ ଗୁରୁତର ହୋଇଛନ୍ତି । ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣ ଗୁରୁତର SCB ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । 

ସୂଚନା ଥାଉକି, ବାଇକ୍‌ରେ ଦୁଇ ଜଣ ଯୁବକ ବାଣ ନେଇ ଯାଉଥିଲେ । କିଛି ବାଟ ଯିବା ପରେ ହଠାତ୍ ଗାଡିରେ ହୋଇଥିଲା ବିସ୍ଫୋରଣ । ଶବ୍ଦ ଏତେ ଜୋର୍‌ରେ ଥିଲା ଯେ ଆଖ ପାଖର ଲୋକେ ଘରୁ ବାହାରି ଆସିଥିଲେ । ସଂଗେ ସଂଗେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ । ତେବେ ସଂପୂର୍ଣ୍ଣ ଘଟଣା ରାସ୍ତା କଡରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । 

ସେପଟେ କଟକ ସହରର ପିଠାପୁର ଡ଼ାଲମିଲ ଲେନରେ ଜଣେ ବ୍ୟକ୍ତିଙ୍କ ଘରେ ଥୁଆ ହୋଇଥିବା କାରରେ ଲାଗିଥିଲା ନିଆଁ। ରାତି ପ୍ରାୟ ୧୦.୩୦ ସମୟରେ ନିଆଁ ଲାଗିବା କ୍ଷଣି ଉଗ୍ର ରୂପ ଧାରଣ କରିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଦୁଇଟି ଫାୟାର ଗାଡ଼ି ଓ ୧୫ ରୁ ଉର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଏକ ଘଣ୍ଟା ପରିଶ୍ରମ କରି ନିଆଁକୁ ସମ୍ପୁର୍ଣ୍ଣ ଆୟତ୍ତ କରିଥିଲେ । ବାଣ ପଡ଼ିବା ଯୋଗୁ ନିଆଁ ଲାଗିଥିବା କଥା କହିଛନ୍ତି ଅଗ୍ନିଶମ ଅଧିକାରୀ।