ପୃଥିବୀର ଏଭଳି ଏକ ସ୍ଥାନ, ଯେଉଁଠି ୩୦ ବର୍ଷ ହେଲା ଜନ୍ମ ନେଇନଥିଲେ ପିଲା

NEWS7
cm-naveen-pattnaik-governer-and-dharmendra-pradhan-condenlence-on-mihir-das

ନୂଆଦିଲ୍ଲୀ: ପୃଥିବୀର ଏକ ଅନନ୍ୟ ଗାଁକୁ ନେଇ ଏବେ ବେଶ୍ ଚର୍ଚ୍ଚା। ଅନନ୍ୟ ଏଥିପାଇଁ, କାରଣ ପ୍ରାୟ ତିନି ଦଶନ୍ଧି ଅର୍ଥାତ୍ ୩୦ ବର୍ଷ ପରେ ଏହି ଗାଁରେ ଶୁଣିବାକୁ ମିଳିଛି କୂଆଁ କୂଆଁ ସ୍ବର। ମାନେ, ପ୍ରାୟ ୩ ଦଶନ୍ଧି ପରେ ଏହି ଗାଁରେ କେହି ସନ୍ତାନ ଜନ୍ମ ନେଇଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଗାଁ ରହିଛି ଇଟାଲୀରେ।

ଇଣ୍ଟରନେଟ୍ରେ ଏବେ ଇଟାଲୀର ଅବ୍ରୁଜୋ ପର୍ବତମାଳା ଉପରେ ଥିବା ଏକ ଛୋଟ ଗାଁ ପଗଲିଆରା ଦେ’ ମାର୍ସୀକୁ ନେଇ ବେଶ୍ ଚର୍ଚ୍ଚା। କାରଣ ପ୍ରାୟ ୩ ଦଶନ୍ଧି ପରେ ଏହି ଗାଁରେ ଶିଶୁଟିଏ ଜନ୍ମ ନେଇଛି । ଗାଁର ମହିଳା ସିଞ୍ଜିଆ ଟ୍ରାବୁକୋ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ କନ୍ୟା ସନ୍ତାନକୁ ୯ ମାସ। ତା’ର ନାଁ ଲାରା ବୁର୍ସୀ। ଆଉ ଲାରାକୁ ମିଶାଇଲେ ଏହି ପାହାଡ଼ି ଗାଁରେ ବର୍ତ୍ତମାନ ଜନସଂଖ୍ୟା ୨୦ ହୋଇଛି। ଜନ୍ମ ହାର ହ୍ରାସ ଯୋଗୁ ଏକ ପ୍ରକାର ନିର୍ଜନ ପାଲଟି ଯାଇଥିବା ଗାଁରେ ଏତେ ବର୍ଷ ପରେ ସନ୍ତାନର ଜନ୍ମ ଦୈନନ୍ଦିନ ଜୀବନକୁ ବଦଳାଇଦେଇଛି। ରୋଚକ କଥା ହେଲା, ଜନସଂଖ୍ୟା ଏତେ କମ୍ ଥିବାରୁ ଏହି ଗାଁରେ ବିଲେଇର ରାଜୁତି ବଢ଼ିଛି। ଗାଁରେ ମାଳ ମାଳ ବିଲେଇ।

ଏଥିପାଇଁ ତ’ ଲାରାj ନାମକରଣ ସମାରୋହରେ ଗାଁର ସବୁ ଲୋକଙ୍କ ସହ ବିଲେଇ ମଧ୍ୟ ସାମିଲ ଥିଲେ। ଏମିତିରେ ଏଭଳି ସ୍ଥାନ ଯେଉଁଠି ଦୀର୍ଘ ବର୍ଷରୁ ବୃଦ୍ଧ ଚେହେରା ଦେଖିବାକୁ ମିଳୁଥିଲା ଆଉ ସେଠାରେ ଲାରା ଜନ୍ମ ନେବା ଏବେ ଏକ ଆଶ୍ଚର୍ଯ୍ୟ ଘଟଣା ଭାବରେ ଦେଖାଯାଉଛି।

ସିଞ୍ଜିଆ ଟ୍ରାବୁକୋ କହିଛନ୍ତି, ‘‘ଯେଉଁ ଲୋକମାନେ ପଗଲିଆରା ଦେ’ ମାର୍ସୀ ବିଷୟରେ କେବେ ଶୁଣିନଥିଲେ ସେମାନେ ଏବେ ଲାରା ଯୋଗୁ ଗାଁକୁ ଆସୁଛନ୍ତି। ସେ ଏବେ ୧ ବର୍ଷର ବି ହୋଇନାହିଁ। ଆଉ ଏବେଠୁ ପରିଚିତ ହୋଇଗଲାଣି।’ ତା’ର ଜନ୍ମ ଖୁସି ଆଣିଛି। ଆଉ ଇଟାଲୀର ଜନସଂଖ୍ୟାରେ ହେଉଥିବା ବଡ଼ ହ୍ରାସକୁ ମଧ୍ୟ ଦେଖାଉଛି।’’

ଇଟାଲୀରେ ପ୍ରଜନନ ହାର ୟୁରୋପୀୟ ସଂଘରେ ସର୍ବନିମ୍ନ

ଇଟାଲୀର ଜାତୀୟ ପରିସଂଖ୍ୟାନ ସଂସ୍ଥା ଇଷ୍ଟାଟ୍ ଅନୁଯାୟୀ, ଦେଶରେ ୨୦୨୪ରେ ମାତ୍ର ୩,୬୯, ୯୪୪ ଜନ୍ମ ରେକର୍ଡ ହୋଇଥିଲା। ଯାହା ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସର୍ବନିମ୍ନ ସଂଖ୍ୟା। ଇଟାଲୀରେ ପ୍ରଜନନ ହାର ପ୍ରତି ମହିଳାଙ୍କ ପିଛା ୧.୧୮ ଶିଶୁଙ୍କୁ ହ୍ରାସ ପାଇଛି। ଏହାଦ୍ବାରା ଇଟାଲୀ ୟୁରୋପୀୟ ସଂଘରେ ସବୁଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ୨୦୨୫ର ପ୍ରାରମ୍ଭିକ ତଥ୍ୟ ଅନୁସାରେ ପରିସ୍ଥିତି ଆହୁରି ଖରାପ ହେଉଛି। ଆବ୍ରୁଜ୍ଜୋରେ ଏହି ସଙ୍କଟ ଅଧିକ ରହିଛି। ଏଠାରେ ୨୦୨୫ର ପ୍ରଥମ ସାତ ମାସରେ ଜନ୍ମ ହାର ଗତ ବର୍ଷ ତୁଳନାରେ ୧୦.୨% ହ୍ରାସ ପାଇଛି।

ଭୌଗୋଳିକ ହିସାବରେ ଦେଖିଲେ ପାଗଲିଆରା ଡେ’ ମାର୍ସୀ ହୁଏତ ଏକ କ୍ଷୁଦ୍ର ଅଞ୍ଚଳ। କିନ୍ତୁ ଏହା ଜାତୀୟ ବାସ୍ତବତାକୁ ପ୍ରତିଫଳିତ କରୁଛି। ସମ୍ପ୍ରଦାୟ ଗୁଡ଼ିକ ସଙ୍କୁଚିତ ହେବା, ସ୍କୁଲରେ ବଢ଼ୁଥିବା ଖାଲି ଶ୍ରେଣୀଗୃହ ଏବଂ ବଢ଼ୁଥିବା ଦ୍ରୁତ ଜନସଂଖ୍ୟା ଦେଶର ସାର୍ବଜନୀନ ସେବା ଉପରେ ଚାପ ପକାଉଛି।

ଲାରାଙ୍କ ଘର ନିକଟରୁ କିଛି ବାଟ ଦୂରରେ ରହୁଥିବା ମେୟୟ ଗିଉସେପିନା ପେରୋଜି କହିଛନ୍ତି ‘ଏହି ଗାଁ ପିଢ଼ି ପରେ ପିଢ଼ି ହରାଇଛି। ଆମେ ଅନେକ ବୃଦ୍ଧ ବାସିନ୍ଦାଙ୍କୁ ହରାଇଛୁ। ହେଲେ କେହି ସେମାନଙ୍କ ସ୍ଥାନ ନେଇ ନାହାଁନ୍ତି। କିନ୍ତୁ ଲାରାଙ୍କ ଆଗମନ ଅନ୍ୟମାନଙ୍କୁ ପ୍ରେରଣା ଦେଇପାରେ।’’ ଅବଶ୍ୟ ସେ ଏହା ମଧ୍ୟ ସେ ସ୍ୱୀକାର କରନ୍ତି ଯେ ଏପରି ନିଷ୍ପତ୍ତି କେତେ ବିରଳ।

ମିଳୁଛି ଭତ୍ତା

୪୨ ବର୍ଷୀୟା ଟ୍ରାବୁକୋ ସଙ୍ଗୀତ ଶିକ୍ଷା ଦିଅନ୍ତି ଏବଂ ତାଙ୍କ ଜେଜେବାପାଙ୍କ ଜନ୍ମସ୍ଥାନ ଥିବା ଗାଁରେ ରହିବା ପୂର୍ବରୁ ସେ ରୋମ୍ରେ ଦୀର୍ଘ ଦିନରୁ କାମ କରୁଥିଲେ। ସେ ସହରର ଭିଡ଼ରୁ ଦୂରରେ ନିଜ ସନ୍ତାନର ଲାଳନ- ପାଳନ କରିବାକୁ ଚାହୁଥିଲେ। ତାଙ୍କ ସ୍ବାମୀ ୫୬ ବର୍ଷୀୟ ପଓଲେ ବୁର୍ସୀ, ନିର୍ମାଣ କ୍ଷେତ୍ରରେ କାମ କରୁଛନ୍ତି। ଆଉ ମୂଳତଃ ଏହି ଅଞ୍ଚଳର ନିବାସୀ। ତାଙ୍କୁ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ସରକାରଙ୍କ ଦ୍ବାରା ୨୦୨୫ରେ ଆରମ୍ଭ କରାଯାଇଥିବା ଶିଶୁ ଜନ୍ମ ହେଲେ ୧୦୦୦ ୟୁରୋ ବୋନସ ଏବଂ ପ୍ରାୟ ୩୭୦ ୟୁରୋର ମାସିକ ଶିଶୁ ଭତ୍ତା ପାଉଛନ୍ତି। ଏହି ପ୍ରୋତ୍ସାହନ ମେଲୋନୀଙ୍କ ଦ୍ବାରା ଇଟାଲୀର ଜନସଂଖ୍ୟା ହ୍ରାସ ସଙ୍କଟର ମୁକାବିଲାର ଏକ ଅଂଶ। ତଥାପି ଦମ୍ପତି କହିଛନ୍ତି କେବଳ ଟଙ୍କା ହିଁ ସମସ୍ୟାର ସମାଧାନ କରିପାରିବନାହିଁ।

ସେମାନେ କୁହନ୍ତି ଦେଶରେ ସୀମିତ ସଂଖ୍ୟାରେ ନର୍ସରୀ ରହିଛି। କର୍ମଜୀବୀ ମାଆମାନଙ୍କ ପାଇଁ ସମର୍ଥନ ନାହିଁ। କାମ ଏବଂ ଶିଶୁ ଯତ୍ନ ନେବା ଖୁବ୍ କଷ୍ଟକର। ଗର୍ଭାବସ୍ଥାରେ ଅନେକ ମହିଳା କାମ ଛାଡ଼ିଥାନ୍ତି। ଆଉ ପୁଣି ଫେରିବାକୁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼େ। ଶିକ୍ଷା ମଧ୍ୟ ଏକ ବଡ଼ ଚିନ୍ତା। ପଗଲିଆରା ଦେ’ ମାର୍ସୀରେ ଦଶନ୍ଧିରୁ କେହି ଶିକ୍ଷକ ନାହାଁନ୍ତି। ଅବଶ୍ୟ ଆଖ- ପାଖ ଅଞ୍ଚଳରେ କିଛି ପ୍ରାଥମିକ ବିଦ୍ୟାଳୟ ରହିଛି। କିନ୍ତୁ ଖସୁଥିବା ଜନ୍ମ ହାର କାରଣରୁ ସ୍କୁଲ ବନ୍ଦ ହେବା ଦ୍ବାରା ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି। ଟ୍ରାବୁକୋ କହିଛନ୍ତି ‘ବ୍ୟବସ୍ଥାରେ ସଂପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆମେ ଅଧିକ ଟ୍ୟାକ୍ସ ଦେଉଛୁ। କିନ୍ତୁ ଆମକୁ ସେଭଳି ସୁବିଧା ମିଳୁନାହିଁ ଯାହାଦ୍ବାରା ପାରିବାରିକ ଜୀବନ ସହଜ ହୋଇପାରିବ।’’