କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ ଟପ୍ ନକ୍ସଲ, କେକେବିଏନ୍ ଡିଭିଜନର ଥିଲେ ସଦସ୍ୟ

NEWS7
cm-naveen-patnaik-speech-in-cuttack-barabati-stadium

ଫୁଲବାଣୀ: ମାଓମୁକ୍ତ ଓଡ଼ିଶା ଦିଗରେ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଚାରି ମାଓବାଦୀ ଶୁକ୍ରବାର କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ତିନି ମହିଳା । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ, ଗଙ୍ଗା କୁଞ୍ଜାମୀ ଓରଫ ଜିତେନ, ମୁଚାକି ମାସେ ଓରଫ ସସ୍ମିତା, ଚୋମାଲି କୁଞ୍ଜମ ଓରଫ ସାନ୍ତିଲା ଏବଂ ବାନ୍ଦି ମାଡଭୀ ଓରଫ ମାଳତୀ । ଏମାନେ ସମସ୍ତେ କେକେବିଏନ୍ ଡିଭିଜନରେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ।

ସ୍ଥାନୀୟ ପୋଲିସ ରିଜର୍ଭ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅସ୍ତ୍ରଶସ୍ତ୍ର ସହିତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ୨୦୧୮ରେ ଲାଲବାହିନୀରେ ସାମିଲ ହୋଇ ପ୍ରଥମେ ଛତିଶଗଡ଼ରେ କାମ କରିବା ପରେ କେକେବିଏନ ସଂଗଠନରେ ଯୋଗ ଦେଇଥିଲେ । ଏମାନଙ୍କ ନାମରେ ଅଞ୍ଚଳରେ ବିଭିନ୍ନ ମାଓ ଘଟଣାରେ ସାମିଲ ଥିବା ଅଭିଯୋଗ ରହିଛି । ଏସଏଲଆର ରାଇଫଲ, ୩୦୩ ରାଇଫଲ୍, ୧୨ ବୋର ବନ୍ଧୁକ, ବହୁ ପରିମାଣର ଗୁଳି ସହିତ ଅନ୍ୟାନ୍ୟ ମାଓ ସାମଗ୍ରୀ ମଧ୍ୟ ପୁଲିସ ପାଖରେ ସମର୍ପଣ କରିଛନ୍ତି । ସରକାରଙ୍କ ଥଇଥାନ ଯୋଜନା ଅନୁଯାୟୀ ଏମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର। ଏ ଅବସରରେ ବୌଦ୍ଧ ଜିଲ୍ଲା ସମ୍ପୂର୍ଣ୍ଣ ମାଓମୁକ୍ତ ହୋଇଥିବା ଘୋଷଣା କରିଛନ୍ତି ଆଇଜି ।