ଧଉଳି ଗଣଦୁଷ୍କର୍ମ ଲଜ୍ଜା: ରେଡଫ୍ଲାଗ ଅନ୍ତର୍ଭୁକ୍ତ ହେଲା ମାମଲା

NEWS7
class-2-student-died-after-branches-fall-down-in-school-of-khurda

ଭୁବନେଶ୍ୱର ୧୭/୧୨: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ । ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ କ୍ରାଇମବ୍ରାଞ୍ଚ ଏଡିଜି ଓ ମାମଲାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ । ଏହି ମାମଲା କ୍ରାଇମ ଏଗେନଷ୍ଟ ଓମେନ ବା ଉଇଡ ଭାବେ ପରିଗଣିତ ହେବ । ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।

ଜଣେ ଡ଼ିଏସପି ପାହ୍ୟାର ଅଫିସର ଧଉଳି ଥାନା ଯାଇ ତଦନ୍ତର ଅଗ୍ରଗତି ବାବଦରେ ବୁଝିବେ । ତଦନ୍ତ କିପରି ତ୍ୱରାନ୍ୱିତ ହେବ, ସେନେଇ ସେ ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ । ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ ଟିମର ରିପୋର୍ଟ ସମେତ, ମାମଲାର ଅଗ୍ରଗତି ସହ ଶୀଘ୍ର ଚାର୍ଜସିଟ ପର୍ଯ୍ୟନ୍ତ ସହଯୋଗ କରିବ ସ୍ବତନ୍ତ୍ର ଟିମ୍ । ସାରା ରାଜ୍ୟରେ ହଇଚଇ ଖେଳାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି ।

ଗତ ୧୦ ତାରିଖରେ ବାଙ୍କୁଆଳ ନଦୀପଠାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା । ସେହିପରି ଏହି ସମ୍ବେଦନଶୀଳ ମାମଲାରେ ମହିଳା କମିଶନ ଏବଂ ଶିଶୁ ସୁରକ୍ଷା ଆୟୋଗ ମଙ୍ଗଳବାର ଉଦ୍ବେଗ ପ୍ରକାଶ କରିଛନ୍ତି । ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ନଦୀ ପଠାକୁ ଯାଇ ଅନୁଧ୍ୟାନ କରିଛନ୍ତି ।

ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ପକ୍ଷରୁ ନିଜ ଆଡୁ ମାମଲା ରୁଜୁ କରାଯାଇଛି । ଆୟୋଗଙ୍କ ୨ଜଣ ସଦସ୍ୟ ଧଉଳି ଥାନାକୁ ଯାଇ ତନାଘନା କରିଛନ୍ତି । ଭୁବନେଶ୍ୱର ଡିସିପି ଓ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କୁ ଗଣବଳାତ୍କାର ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ଅଧ୍ୟକ୍ଷା ବବିତା ପାତ୍ର ।

ଧଉଳି ଥାନା ପୁଲିସ ଅଟକ ରଖିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କଟକ ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର । ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି । କାଳନ୍ଦୀ ଜଣେ ପେସାଦାର ଅପରାଧୀ । ତା’ ନାଁରେ ପୂର୍ବରୁ ଧଉଳି, ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଥାନାରେ ଏକାଧିକ ଫୌଜଦାରୀ ମାମଲା ରହିଛି ବୋଲି ପୋଲିସ କହିଛି ।