LIVE TV

ଯେତେବେଳେ ପେରୁରେ ଛାତ୍ର ପଚାରିଲେ ‘ଆପଣଙ୍କ ଭାରତ କିପରି’? ଜାଣନ୍ତୁ କ’ଣ କହିଲେ ରାହୁଲ ଗାନ୍ଧି

NEWS7
china-successfully-powered-up-the-hl-2m-tokamak-reactor-also-known-as-artificial-sun

ନୂଆଦିଲ୍ଲୀ ୧୩।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଭାରତରୁ ହଜାର ହଜାର ମାଇଲ ଦୂର ଦକ୍ଷିଣ ଆମେରିକୀୟ ଦେଶ ପେରୁ ଯାତ୍ରାରେ ଅଛନ୍ତି। ସେ ସେଠାକୁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ନୁହେଁ ଏକ ବ୍ୟକ୍ତିଗତ ଯାତ୍ରାରେ ଯାଇଛନ୍ତି। ତେବେ ଏହି ଗସ୍ତକାଳରେ ପେରୁର ଏକ ୟୁନିଭର୍ସିଟିରେ ଯେତେବେଳେ ଛାତ୍ରଙ୍କ ସହ ତାଙ୍କୁ  କଥା ହେବାର ସୁଯୋଗ ମିଳିଲା ସେ ଭାରତର ବର୍ତ୍ତମାନ ପରିସ୍ଥିତିକୁ ନେଇ ଏପରି କିଛି କହିଛନ୍ତି ଯାହା ଦିଲ୍ଲୀରେ ଏକ ନୂଆ ରାଜନୈତିକ ବିତର୍କ ସୃଷ୍ଟି କରିଛି।

ବିଦେଶରେ ରାହୁଲ କହିଲେ କ’ଣ?
ଯେତେବେଳେ ରାହୁଲ ସେଠାକାର ଛାତ୍ରଙ୍କ ସହ କଥା ହେଲେ ସେ ଭାରତର ଏକ ଏପରି ଛବି ଉପସ୍ଥାପନ କରିଦେଲେ ଯାହା ସରକାରଙ୍କ ଦାବିର ବିଲକୁଲ ଓଲଟା। ସେ ପେରୁରେ ଛାତ୍ରଙ୍କୁ ଦୁଇଟି ବହୁତ ବଡ଼ ଓ ଗୁରୁତର କଥା କହିଛନ୍ତି। ଯେଉଁଥିରେ ସେ ପ୍ରଥମେ ଭାରତର ଉଚ୍ଚ ଶିକ୍ଷା ବିଷୟରେ କହିଛନ୍ତି। ଏଥିରେ ଦେଶରେ ଉଚ୍ଚଶିକ୍ଷା କେବଳ କିଛି ଲୋକଙ୍କ  ପହଞ୍ଚ ପର୍ଯ୍ୟନ୍ତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭାରତରେ ଉଚ୍ଚଶିକ୍ଷା ପାଇବା ସମସ୍ତଙ୍କ ଲାଗି ସମ୍ଭବ ନୁହେଁ। ଏହା ଏବେ ଏକ ବିଶେଷାଧିକାରର ବିଷୟ ପାଲଟିଯାଇଛି, ଯାହା କିଛି ଖାସ ଓ ଧନୀ ଲୋକଙ୍କୁ ହିଁ ମିଳିପାରୁଛି।

ରାହୁଲଙ୍କ ଇସାରା ସ୍ପଷ୍ଟ ଥିଲା ଯେ ଆମ ଦେଶରେ ଶିକ୍ଷା ମହଙ୍ଗା ହେବାରେ ଲାଗିଛି ଓ ସାଧାରଣ ଲୋକଙ୍କ ପହଞ୍ଚରେ ନାହିଁ। ସେହିପରି ଦ୍ୱିତୀୟ ଗୁରୁତର କଥାଟି ଯାହା କହିଛନ୍ତି ତାହା ହେଉଛି ‘ଅଭିବ୍ୟକ୍ତିର ଅଧିକାର’। ଏଥିରେ ସେ କହିଛନ୍ତି ଯେ ଭାରତରେ ମନଖୋଲା କହିବା, ପ୍ରଶ୍ନ କରିବା ଓ ସ୍ୱତନ୍ତ୍ର  ଭାବେ ଚିନ୍ତା କରିବାର ସ୍ୱାଧୀନତା ଉପରେ ଆକ୍ରମଣ ହେଉଛି। ସେ କହିଛନ୍ତି ଯେ ଦେଶରେ ଏପରି ପରିବେଶ ସୃଷ୍ଟି କରିଦିଆଯାଇଛି ଯେଉଁଠି ଆପଣ ସରକାରଙ୍କ ନୀତି ଓ ବିଚାରରେ ଅସହମତ ହୋଇ ପାରିବେ ନାହିଁ।

କାହିଁକି ଦେଲେ ବିଦେଶରେ ଏପରି ବୟାନ?
ବିଦେଶ ମାଟିରେ ଭାରତର ଅନ୍ତରୀଣ ପ୍ରସଙ୍ଗରେ କିଛି କହିବା ଦେଶରେ ସର୍ବଦା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହି ଆସିଛି। ରାହୁଲ ଗାନ୍ଧିଙ୍କ ଉପରେ ବିଜେପି ପ୍ରାୟତଃ ବିଦେଶ ଯାଇ ଭାରତର ଛବି ଖରାପ କରୁଥିବାର ଅଭିଯୋଗ ଆଣୁଛି। ଏଥିରେ କଂଗ୍ରେସର କହିବା କଥା ହେଉଛି ରାହୁଲ ସତ କଥା କହୁଛନ୍ତି ଓ ଗଣତନ୍ତ୍ରରେ ସତ କହିବାର ଉଚିତ ଅନୁଚିତର ସ୍ଥାନ ନାହିଁ। ରାହୁଲଙ୍କ ଏହି ବୟାନ କେବଳ ପେରୁରେ ଛାତ୍ରଙ୍କ ନିମନ୍ତେ ନଥିଲା, ବରଂ ଏକ ଅନ୍ତର୍ଜାତୀୟ ମଞ୍ଚରୁ କେନ୍ଦ୍ରର ବିଜେପି ସରକାର ଉପରେ ସିଧାଶଳଖ ଆକ୍ରମଣ ଥିଲା। ରାହୁଲ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ ‘ଭାରତରେ ସବୁକିଛି ସେମିତି ନାହିଁ ଯେମିତି ଦେଖାଯାଉଛି’। ତେବେ ଭାରତ ଫେରିବା ପରେ ତାଙ୍କୁ ପୁଣି ଥରେ ଏକ ନୂଆ ବିତର୍କର ସମ୍ମୁଖୀନ ହେବାକୁ ପଡିବ ଏହା ଏବେ ନିଶ୍ଚିତ ହୋଇଯାଇଛି।