କାହା ଉପରେ ଭରସା ନାହିଁ, ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ହେଉ ଅଜିତ୍ ପାୱାରଙ୍କ ମୃତ୍ୟର ତଦନ୍ତ: ମମତା ବାନାର୍ଜୀ

NEWS7
china-has-crossed-its-1960-claims-along-the-lac

ମୁମ୍ୱାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଓ ଏନସିପିର ବରିଷ୍ଠ ନେତା ଅଜିତ୍ ପାୱାରଙ୍କ ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ନିଧନ ହୋଇଛି । ପୁଣେ ଜିଲ୍ଲାର ବାରାମତୀରେ ବିମାନ ଲ୍ୟାଣ୍ଡିଂ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଏହି ଘଟଣା ସାରା ଦେଶର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିମାନ ଦୁର୍ଘଟଣାର ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ତଦନ୍ତ ପାଇଁ ଦାବି କରିଛନ୍ତି । ଘଟଣା ଉପରେ ଗଭୀର ଶୋକ ବ୍ୟକ୍ତ କରି ସେ ଷଡ଼ଯନ୍ତ୍ର ନେଇ ଆଶଂକା ପ୍ରକାଶ କରିଛନ୍ତି । ଏହାସହ ଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି କରିଛନ୍ତି ।

ମିଡିଆକୁ ପ୍ରତିକ୍ରିୟା ଦେଇ ମମତା ବାନାର୍ଜୀ କହିଛନ୍ତି, ସେ ଏହି ଖବରରେ ସ୍ତବ୍ଧ ଅଛନ୍ତି ଓ ଏହା ରାଷ୍ଟ୍ର ପାଇଁ ଏକ ବଡ଼ କ୍ଷତି ଅଟେ । ସେ ଦାବି କରିଛନ୍ତି ଯେ ରାଜନୈତିକ ନେତୃତ୍ୱଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ଆଉ ନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ରସାରିତ ସେହି ବୟାନ ବି ଉଲ୍ଲେଖ କରିଥିଲେ, ଯେଉଁଥିରେ ଦାବି କରାଯାଉଛି ଯେ ଅଜିତ୍ ପାୱାର ବିଜେପିଠାରୁ ଅଲଗା ହେବାକୁ ବିଚାର କରୁଥିଲେ ।

ମମତା ବାନାର୍ଜୀ ସଂକେତରେ ଦେଇଛନ୍ତି ଯେ ଅଜିତ୍ ପାୱାର ମହାୟୁତି ମେଣ୍ଟରୁ ଦୂରତା ରକ୍ଷା କରୁଥିଲେ, ଏଥିପାଇଁ ଏହି ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ରହିପାରେ । ସେ କହିଛନ୍ତି, ଆଜି ଯାହା ଘଟିଲା, ତାହା ଏକ ଗମ୍ଭୀର ପ୍ରଶ୍ନ ଠିଆ କରାଉଛି । ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ତଦନ୍ତ ହିଁ ଭରସାଯୋଗ୍ୟ ହେବ । ଆମକୁ କେବଳ ସୁପ୍ରିମକୋର୍ଟଙ୍କ ଉପରେ ଭରସା ଅଛି, କୌଣସି ଅନ୍ୟ ଏଜେନ୍ସି ଉପରେ ନାହିଁ ।

ସେପଟେ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଜଣେ ଟାଣୁଆ ନେତାଙ୍କ ଏପରି ଯିବା ଦେଶ ପାଇଁ ଏକ ବଡ଼ କ୍ଷତି ଅଟେ । ସେ ମଧ୍ୟ ଏକ ପାରଦର୍ଶୀ ତଦନ୍ତ ପାଇଁ ଦାବି କରିଛନ୍ତି, ଫଳରେ ବିମାନ ଦୁର୍ଘଟରଣା ପ୍ରକୃତ କାରଣ ଜଣାପଡ଼ିପାରିବ ।

Also Read:ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ, ନିର୍ବାଚନ ପ୍ରଚାର ପାଲଟିଲା ଶେଷ ଯାତ୍ରା