ଭାରତୀୟ ନୋଟ୍ ରୁ ହଟିବ ମହାତ୍ମା ଗାନ୍ଧିଙ୍କ ଛବି? ଚାଲିଛି ପ୍ରସ୍ତୁତି

NEWS7
child-disease-in-sonpur

ନୂଆଦିଲ୍ଲୀ ୨୬।୧୨: କେନ୍ଦ୍ର ପ୍ରାୟୋଜିତ ଯୋଜନା ‘ମନରେଗା’ ନାମ ବଦଳାଯିବାକୁ ନେଇ ଜାରି ବିବାଦ ଥଣ୍ଡାପଡିନି, ଏବେ ଆଉ ଏକ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ରାଜ୍ୟସଭା ସାଂସଦ ଜନ ବ୍ରିଟାଶ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧିଙ୍କ ଛବି ହଟାଇବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ଏଥି ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରସ୍ତୁତି ସରିଛି ଓ ଗାନ୍ଧିଙ୍କ ସ୍ଥାନରେ ଦେଶର ଐତିହ୍ୟ ସମ୍ପର୍କିତ ଅନ୍ୟ ପ୍ରତିକଙ୍କୁ ସାମିଲ କରିବାକୁ ବିଚାରବିମର୍ଷ କରାଯାଉଛି।

ଜନ ବ୍ରିଟାଶ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଯଦିଓ ଏପରି କିଛି ପରିବର୍ତ୍ତନ ନେଇ ବାରମ୍ବାର ଅସ୍ୱୀକାର କରୁଛନ୍ତି, ହେଲେ ବାସ୍ତବିକତା ଏହାଠୁ ଭିନ୍ନ। ବ୍ରିଟାଶଙ୍କ ଅନୁସାରେ ଅଧିକାରୀକ ବୟାନ ସତ୍ତ୍ୱେ ଉଚ୍ଚସ୍ତରରେ ପ୍ରସଙ୍ଗ ଉପରେ ପ୍ରାରମ୍ଭିକ ଆଲୋଚନା ପୂର୍ବରୁ ଶେଷ ହୋଇଛି। ସେ କହିଛନ୍ତି ଏହା କେବଳ ଏକ ଗୁଜବ କି ଅନୁମାନ ନୁହେଁ। ବ୍ରିଟାଶଙ୍କ ଏହି ବୟାନ ପରେ ରାଜନୈତିକ ଅଳିନ୍ଦରେ ପୁଣି ବିତର୍କ ଆରମ୍ଭ ହୋଇଯାଇଛି ଓ ସରକାରଙ୍କ ମାନସିକତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଟଙ୍କାରେ ଲକ୍ଷ୍ମୀ-ଗଣେଶ, ଡ. ଆମ୍ବେଦକର, ଡ.ଏ.ପି.ଜେ ଅବଦୁଲ କାଲାମ ଓ ସର୍ଦ୍ଦାର ପଟେଲଙ୍କ ଛବି ଛାପିବା ପାଇଁ ଦାବି କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗ ସମୟ ସମୟରେ ଉଠିଛି। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ପାଖାପାଖି ୩ ବର୍ଷ ପୂର୍ବେ ଓ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ୫ ବର୍ଷ ପୂର୍ବେ ପରାମର୍ଶ ଦେଇଥିଲେ ମୁଦ୍ରାରେ ଲକ୍ଷ୍ମୀ-ଗଣେଶ ଛବି ରହିବା ଦରକାର। ସେମାନଙ୍କ ତର୍କ ହେଉଛି ଲକ୍ଷ୍ମୀ ଧନର ଦେବୀ ଓ ତାଙ୍କ ଛବି ଯୋଗୁ ଆର୍ଥିକ ସମୃଦ୍ଧିର ପ୍ରତୀକ ମଜଭୁତ ହେବ। ଏଥିରୁ ଅଲଗା ଅଲଗା ରାଜନୈତିକ ଦଳ ଓ ନେତା ସମୟସମୟରେ ଏପରି ଦାବି ଉଠାନ୍ତି।

ତେବେ ଭାରତୀୟ ନୋଟ୍ ମାନଙ୍କରେ ମହାତ୍ମା ଗାନ୍ଧିଙ୍କ ଛବିକୁ ନେଇ ଦୀର୍ଘ ସମୟରୁ ବିତର୍କ ଲାଗି ରହିଛି। କିଛି ଲୋକଙ୍କ ଅନୁସାରେ ଏବେ ନୋଟ୍ ରୁ ମହାତ୍ମା ଗାନ୍ଧିଙ୍କ ଛବି ଉଠାଇ ଦିଆଯିବା ଦରକାର। ହେଲେ କିଛି ଲୋକଙ୍କ ଦାବି ନୋଟରେ ମହାତ୍ମା ଗାନ୍ଧିଙ୍କ ଛବି ରହୁ। ହେଲେ ଅଲଗା ଅଲଗା ନୋଟରେ ଅନ୍ୟ ମହାପୁରୁଷଙ୍କ ଛବି ମଧ୍ୟ ରହିବା ଦରକାର। ତେବେ ଗାନ୍ଧିଜୀଙ୍କ ସ୍ଥାନରେ ଅନ୍ୟ କାହାର ଛବି ରହିପାରେ କି? ଏହି ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ‘ନା’। ଏବେକା ବ୍ୟବସ୍ଥାରେ ଏହା ପାଖାପାଖି ଅସମ୍ଭବ। ସ୍ୱାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ନୋଟ୍ ରେ ଗାନ୍ଧି ଜୀଙ୍କ ଛବି ନଥିଲା। ସେତେବେଳେ ନୋଟ୍ ମାନଙ୍କରେ ଅଶୋକ ସ୍ତମ୍ବ ଭଳି ଜାତୀୟ ପ୍ରତୀକ ଛପା ହେଉଥିଲା।

ପରେ ଯେତେବେଳେ ନୋଟ୍ ରେ ଛବି ଲଗାଇବାର ନିଷ୍ପତ୍ତି ନିଆଗଲା ଗାନ୍ଧିଜୀଙ୍କୁ ଏଥି ପାଇଁ ବଛା ଯାଇଥିଲା ଯେ ସାରା ଦେଶରେ ତାଙ୍କର ସ୍ୱୀକାର୍ଯ୍ୟତା ଥିଲା। ସେତେବେଳେ ମନେ କରାଯାଇଥିଲା ଯଦି ଗାନ୍ଧିଜୀଙ୍କ ବଦଳେ ଅନ୍ୟ କୌଣସି ମହାପୁରୁଷଙ୍କ ଛବି ରହିଥାନ୍ତା ତେବେ ବିବାଦର ସୂତ୍ରପାତ ହୋଇଥାନ୍ତା। ଗାନ୍ଧି ଜୀଙ୍କୁ ଜଣେ ଏପରି ନେତା ଭାବେ ଦେଖାଗଲା ଯିଏ ପୁରା ଦେଶର ପ୍ରତିନିଧିତ୍ୱ କରନ୍ତି। ନୋଟରେ ଛବି ବଦଳାଇବା ପାଇଁ ଆରବିଆଇ ଏକ କମିଟି ଗଠନ କରିଥିଲା। ନଭେମ୍ବର ୨୦୧୪ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅଋଣ ଜୈଟଲୀ ସଂସଦରେ କମିଟିର ରିପୋର୍ଟ ଉପସ୍ଥାପନ ମଧ୍ୟ କରିଥିଲେ। କମିଟି ସ୍ପଷ୍ଟ କରିଥିଲେ ଯେ ମହାତ୍ମା ଗାନ୍ଧିଙ୍କ ଠାରୁ ଅନ୍ୟ କେହି ବ୍ୟକ୍ତି ଭାରତର ଚରିତ୍ର ଓ ମୂଲ୍ୟଗୁଡିକର ପ୍ରତିନିଧିତ୍ୱ କରି ନପାରନ୍ତି। ଏଣୁ ଭାରତୀୟ ନୋଟରୁ ମହାତ୍ମା ଗାନ୍ଧିଙ୍କ ଛବି ଜାରି ରଖିବାକୁ ନିର୍ଣ୍ଣୟ ନିଆଯାଇଥିଲା।