Puri : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ସମୁଦ୍ର କୂଳରେ ଆଉ ଚୋରି ହେବନି ବ୍ୟାଗ୍...

NEWS7
chief-ministers-corona-review-the-chief-minister-has-ordered-a-10-day-special-drive

ପୁରୀ : ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଉ ପର୍ଯ୍ୟଟକଙ୍କୁ ହଇରାଣ ହେବାକୁ ପଡ଼ିବନି। ପ୍ରଥମଥର ପାଇଁ ପୁରୀ ସମୁଦ୍ର କୂଳରେ କରାଯାଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍।

ସମୁଦ୍ର ବାଲିରେ ନିଜର ବ୍ୟାଗ୍ ରଖି ସମୁଦ୍ରକୁ ସ୍ନାନ କରିବାକୁ ଯାଆନ୍ତି ପର୍ଯ୍ୟଟକ। ଏଥିପାଇଁ ବିଭିନ୍ନ ସମୟରେ ବ୍ୟାଗ ଚୋରି ହୋଇଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି। ପ୍ରଥମଥର ପାଇଁ ପୁରୀ ସମୁଦ୍ର କୂଳରେ କରାଯାଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍। ବେଳାଭୂମିର ଦୁଇଟି ସ୍ଥାନରେ ଏହି ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଭିକ୍ଟୋରିଆ ହୋଟେଲ୍ ସମ୍ମୁଖ ଓ ଦିଗବାରେଣୀ ଛକ ପାଖରେ ଦୁଇଟି ବ୍ୟାଗେଜ୍ ଲକର୍ ପରୀକ୍ଷାମୂଳକ ଭାବେ ସ୍ଥାପନ ହୋଇଛି। ତେବେ ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆପଣାଇବାକୁ ହେଲେ ପ୍ରଥମେ ସେଠାରେ ଲାଗିଥିବା କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଲୋକେସନ୍ ଅନ୍ କରି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ। ଏହାପରେ ଅନଲାଇନରେ କିଛି ଟଙ୍କା ଦେବାକୁ ପଡିବ। ଏହାପରେ ଲକର୍ ଆପେଆପେ ଖୋଲିବା ପରେ ପର୍ଯ୍ୟଟକମାନେ ନିଜର ବ୍ୟାଗ୍, ଜୋତା, ମୋବାଇଲ ଆଦି ଅନ୍ୟାନ୍ୟ ଜିନିଷପତ୍ର ରଖି ମୋବାଇଲ ଯୋଗେ ଏହାକୁ ବନ୍ଦ କରିବେ।

ଗୋଟିଏ ସିଷ୍ଟମରେ ୨୭ ଟି ଲକର୍ ଥିବାବେଳେ ଏଥିରେ ଛୋଟ, ମଧ୍ୟମ, ବଡ ଏବଂ ଅତିରିକ୍ତ ବଡ ଭଳି ଭିନ୍ନଭିନ୍ନ ମାପର ଲକର୍ ରହିଛି। ସବୁଠାରୁ ବଡ଼ ଲକରରେ ୮ରୁ ୧୦ଟି ବ୍ୟାଗ୍, ଚପଲ, ମୋବାଇଲ ରହିପାରିବ। ଏଥିପାଇଁ ଘଣ୍ଟାକୁ ୧୧୮ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ବଡ଼ ଲକର୍ ପାଇଁ ଘଣ୍ଟାକୁ ୬୯ ଟଙ୍କା ୬୨ ପଇସା, ମଧ୍ୟମ ଲକର୍ ପାଇଁ ଘଣ୍ଟାକୁ ୨୯ ଟଙ୍କା ୫ ପଇସା ଏବଂ ଛୋଟ ଲକର୍ ପାଇଁ ଘଣ୍ଟାକୁ ୧୮ ଟଙ୍କା ୮୮ ପଇସା ଅନଲାଇନ ଯୋଗେ ପେମେଣ୍ଟ କରିବାକୁ ପଡିବ। ୨୫ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଆଗକୁ ଏହାର ବହୁଳ ବ୍ୟବହାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା।