LIVE TV

ଲୋକପାଳ ସଦସ୍ୟ ଚଢ଼ିବେ ୭୦ ଲକ୍ଷର BMW, ସାର୍ବଜନୀନ ସମ୍ପତ୍ତିର ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

NEWS7
chief-minister-reviewed-the-covid-fight

ନୂଆଦିଲ୍ଲୀ: ସରକାରୀ ବିଭାଗରେ ଦୁର୍ନୀତିର ତଦନ୍ତ କରୁଥିବା ଲୋକପାଳର ଅଧ୍ୟକ୍ଷ ଓ ସଦସ୍ୟ ଏବେ ୭୦ ଲକ୍ଷ ମୂଲ୍ୟର ବିଏମ୍‌ଡବ୍ଲୁରେ ଯାତ୍ରା କରିବେ । ଲୋକପାଳ ପକ୍ଷରୁ ଏଥିପାଇଁ ଟେଣ୍ଡର ମଧ୍ୟ ଜାରି କରାଯାଇଛି । ଟେଣ୍ଡରରେ କୁହାଯାଇଛି ଯେ BMW 3 Series 330Li ମଡେଲର ୭ଟି କାର ଆବଶ୍ୟକ ଅଛି । ଲୋକପାଳ ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟଙ୍କ ପାଇଁ ବିଏମଡବ୍ଲୁ କିଣିବାର ଯୋଜନା ରହିଛି । ସୂତ୍ର ଅନୁସାରେ ପ୍ରତ୍ୟେକ ବିଏମ୍‌ଡବ୍ଲୁ ୩୩୦ ଏଲ୍‌ଆଇର ମୂଲ୍ୟ  ଲକ୍ଷ ଟଙ୍କାରୁ ଅଧିକ । ମୋଟ ଉପରେ ଏହି ସାତ କାରର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ଥିବା କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁସାରେ ବିଏମଡବ୍ଲୁ ପକ୍ଷରୁ ଲୋକପାଳର ଡ୍ରାଇଭର୍ ଓ ଷ୍ଟାଫଙ୍କୁ ଟ୍ରେନିଂ ମଧ୍ୟ ଦିଆଯିବ । ସମସ୍ତଙ୍କୁ ଇଲେକ୍ଟ୍ରୋନିକ ସିଷ୍ଟମ ଓ ଅପରେସନ୍ ବାବଦରେ ସାତ ଦିନର କୋର୍ସ ମଧ୍ୟ କରାଯିବ । ଅକ୍ଟୋବର ୧୬ରେ ଜାରି ଟେଣ୍ଡର ନୋଟିସ୍ ଅନୁସାରେ ଏହି ଅଫର୍ ଆଗାମୀ ୯୦ ଦିନ ଯାଏ ବୈଧ ରହିବ । ନଭେମ୍ୱର ୭ରେ ବିଡ୍ ଉପରେ ବୈଷୟିକ ଯାଞ୍ଚ କରାଯିବ ।

ଅନ୍ୟପଟେ ଲୋକପାଳର ଏହି ଟେଣ୍ଡର ପରେ ସୋସିଆଲ୍ ମିଡିଆରେ ବିତର୍କ ଆରମ୍ଭ ହୋଇଛି । ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମଧ୍ୟ ଦୁର୍ନୀତି ବିରୁଦ୍ଧରେ ତଦନ୍ତ କରୁଥିବା ସଂସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଭୂଷଣ କହିଛନ୍ତି ଯେ ଲୋକପାଳର ସଦସ୍ୟଙ୍କୁ କୌଣସି ଘଟଣା ସହ କିଛି ନେଣଦେଣ ନାହିଁ, କେବଳ ନିଜ ସୁବିଧାରେ ହିଁ ଖୁସି ଅଛନ୍ତି । ସେମାନେ ନିଜ ପାଇଁ ୭୦ ଲକ୍ଷ ଟଙ୍କାର ବିଏମଡବ୍ଲୁ କିଣିବାକୁ ଯାଉଛି । ସେ କହିଛନ୍ତି, ପ୍ରଥମରେ ଅନେକ ବର୍ଷ ହେଲା ନିଯୁକ୍ତି ହୋଇନଥିଲା ଓ ପରେ ଯେତେବେଳେ ନିଯୁକ୍ତି ହେଲା, ସେତେବେଳେ ନିଜ ଲୋକଙ୍କୁ ବସାଇ ଦେଲେ । ଏବେ ଏମାନେ ନିଜ ଲଗଜରୀ ସହ ଖୁସି ଅଛନ୍ତି ।

ଲୋକପାଳ ହେଉଛି ଏକ ସ୍ୱତନ୍ତ୍ର ସଂସ୍ଥା, ଯାହାକୁ ଲୋକପାଳ ଓ ଲୋକାୟୁକ୍ତ ଅଧିନିୟମ, ୨୦୧୩ ଅଧିନରେ ଗଠନ କରାଯାଇଥିଲା । ଲୋକପାଳ ଆନ୍ଦୋଳନ (୨୦୧୦) ପରେ ଏହାର ଗଠନ କରାଯାଇଛି, ଯାହାର ନେତୃତ୍ୱ ସମାଜସେବୀ ଅନ୍ନା ହଜାରରେ ନେଇଥିଲେ । ବର୍ତ୍ତମାନ ସମୟରେ ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ୍ ମାଣିକରାଓ ଖାନବିଲକର ଏହାର ଅଧ୍ୟକ୍ଷ ଅଛନ୍ତି । ସେହିପରି ଜଷ୍ଟିସ୍ ଏଲ୍.ନାରାୟଣ ସ୍ୱାମୀ, ଜଷ୍ଟିସ୍ ସଞ୍ଜୟ ଯାଦବ, ଜଷ୍ଟିସ୍ ରିତୁ ରାଜ ଅୱସ୍ତି, ପଙ୍କଜ କୁମାର, ସୁଶୀଲ ଚନ୍ଦ୍ରା ଓ ଅଜୟ ତିରକେ ସଦସ୍ୟ ଅଛନ୍ତି । ଲୋକପାଳ ପାଖରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ କେନ୍ଦ୍ର ସରକାରଙ୍କ ଅଧିକାରୀ (ଗ୍ରୁପ୍ A,B,C D) ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ଅଧିକାର ରହିଛି ।