ପୁଟିନ-ଏର୍ଦୋଗାନଙ୍କ ମିଟିଂକୁ ଧସେଇ ପଶିଲେ ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ, ବିଶ୍ୱରେ ଚର୍ଚ୍ଚା

NEWS7
chidambaram-got-little-relaxant-from-being-arsted

ନୂଆଦିଲ୍ଲୀ ୧୨।୧୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସେତେବେଳେ ଅପମାନିତ ଅନୁଭବ କଲେ ଯେତେବେଳେ ତୁର୍କମେନିସ୍ତାନରେ ଋଷିଆ ରାଷ୍ଟ୍ରପତି ପୁଟିନ ଓ ତୁର୍କି ପ୍ରଧାନମନ୍ତ୍ରୀ ରେସେପ ତ୍ୟପ ଏର୍ଦୋଗାନଙ୍କ ମଧ୍ୟରେ ଚାଲିଥିବା ବୈଠକକୁ ଧସେଇ ପଶି ଯାଇଥିଲେ। କୁହାଯାଉଛି ଶହବାଜଙ୍କ ସହ ପୁଟିନଙ୍କ ସାକ୍ଷାତ ଆଲୋଚନା ହେବାର ଥିଲା। ଏଥି ପାଇଁ ଶହବାଜ ପ୍ରାୟ ୪୦ ମିନିଟ୍ ଧରି ପୁଟିନଙ୍କୁ ଅପେକ୍ଷା କରିଥିଲେ। ତେବେ ପୁଟିନ ନ ଆସିବାରୁ ସହବାଜ ଶାଳିନତା ଉଲ୍ଲଂଘନ କରି ପୁଟିନ-ଏର୍ଦୋଗାନଙ୍କ ବୈଠକକୁ ଧସେଇ ପଶି ଯାଇଥିଲେ।

ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ବେଳେ ଏହା ଭାଇରାଲ ହୋଇଯାଇଛି। ଏହି ଭିଡିଓଟିକୁ ଋଷୀୟ ପ୍ରସାରଣକାରୀ ଆରଟି ସେୟାର କରିଛି। ଏଥିରେ ଋଷିଆ ଓ ପାକିସ୍ତାନ ଶାସନ ମୁଖ୍ୟଙ୍କ ନିମନ୍ତେ ଆସନ ପଛପଟେ ଦୁଇ ଦେଶଙ୍କ ପତାକା ଲଗାଯାଇଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଏକାକୀ ବସିଥିବା ଦେଖାଯାଇଛି। ଦୀର୍ଘ ସମୟ ପୁଟିନଙ୍କୁ ଅପେକ୍ଷା କରି ଶହବାଜଙ୍କୁ ବିଚଳିତ ହୋଇପଡୁଥିବା ଦେଖା ଯାଉଛି। ଦୀର୍ଘ ୪୦ ମିନିଟ୍ ଅପେକ୍ଷା କରିବା ପରେ ଶହବାଜ ଧୈର୍ଯ୍ୟ ହରାଇଥିଲେ ଓ ପୁଟିନ-ଏର୍ଦୋଗାନ ଯେଉଁ ସୁରକ୍ଷିତ କକ୍ଷରେ ବୈଠକ କରୁଥିଲେ ସେଠାକୁ ପଶି ଯାଇଥିଲେ।

ଭିଡିଓରେ ଶହବାଜଙ୍କୁ ଏକ କଡ଼ା ସୁରକ୍ଷା ରେ ଥିବା କକ୍ଷକୁ ଧସେଇ ପଶୁଥିବାର ଦେଖା ଯାଉଛି। ଏହି କକ୍ଷରେ ପୁଟିନ ଓ ଏର୍ଦୋଗାନଙ୍କ ଦୀର୍ଘ ମିଟିଂ ଚାଲିଥିଲା। ସେଠାରେ ସହବାଜଙ୍କ ନିମନ୍ତେ ଆସନ ମଧ୍ୟ ନଥିଲା। ତେବେ ଶହବାଜ ଆହୁରି ୧୦ ମିନିଟ୍ କକ୍ଷରେ ରହିବା ପରେ ଏର୍ଦୋଗାନ ବୈଠକ ଶେଷ କରି ସେଠାରୁ ବାହାରି ଯାଇଥିଲେ। ତେବେ ଋଷିଆ ଓ ତୁର୍କିଏ ରାଷ୍ଟ୍ରମୁଖ୍ୟ ବୈଠକରେ ପାକିସ୍ତାନ ଭଳି ଦେଶର ପ୍ରଧାନମନ୍ତ୍ରୀ ଧସେଇ ପଶିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କୁହାଯାଉଛି ପାକ୍ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏପରି ଅଣଦେଖା ପୁଟିନଙ୍କ ଦୁଇ ଦିବସୀୟ ଭାରତ ଗସ୍ତର ଠିକ୍ ସପ୍ତାହକ ପରେ ହୋଇଛି। ଯାହାକୁ ସମୀକ୍ଷକ ଭାରତ-ଋଷିଆ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣ ବୋଲି କହିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦିଲ୍ଲୀ ପାଲାମ ଏୟାରପୋର୍ଟରେ ପୁଟିନଙ୍କୁ ସ୍ୱାଗତ କରିଥିଲେ। ଏହାକୁ ନୂଆଦିଲ୍ଲୀ ଓ ମସ୍କୋ ମଧ୍ୟରେ ମଜଭୁତ ରଣନୈତିକ ସମ୍ପର୍କ ପୁଣି ଥରେ ପୁଷ୍ଟି ହୋଇଥିବା କୁହାଯାଇଛି।