ଟି-୨୦ ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ହୁଙ୍କାର ଭରିଲା ଟିମ୍ ଇଣ୍ଡିଆ, ଦ. ଆଫ୍ରିକାକୁ ଦେଲା ମାତ୍

NEWS7
chandikhol-durgapuja-news

ନଭି ମୁମ୍ବାଇ: ଟି-୨୦ ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ହୁଙ୍କାର ଭରିଲା ଭାରତୀୟ ଦଳ। ବୁଧବାର ଖେଳା ଯାଇଥିବା ଓ୍ଵାର୍ମ ଅପ୍ ମ୍ୟାଚରେ ଭାରତ ୩୦ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଏହି ଧମାକାଦାର ବିଜୟ ସହ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ବିପକ୍ଷ ଦଳକୁ ଚେତାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ବିଶାଳ ୨୪୦ ରନ କରିଥିଲା। ଭାରତ ପକ୍ଷରୁ ଇଶାନ କିଶନ, ଅଭିଷେକ ଶର୍ମା ଓ ତିଳକ ବର୍ମା ଦମଦାର ପ୍ରଦର୍ଶନ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୭ ଓ୍ଵିକେଟ୍ ହରାଇ ୨୧୦ ରନ କରିଥିଲା। ଭାରତ ଫେବୃଆରୀ ୭ରେ ଆମେରିକା ବିପକ୍ଷ ମୁକାବିଲାରୁ ନିଜର ଅଭିଯାନ ଆରମ୍ଭ କରିବ। 

୨୪୧ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ଟ୍ରିଷ୍ଟନ ଷ୍ଟବ୍ସ ସର୍ବାଧିକ ଅପରାଜିତ ୪୫ ରନ କରଥିଲେ। ସେ ୨୧ ବଲରୁ ୪ ଚୌକା ଓ ଏକ ଛକା ମାରିଥିଲେ। ଓ୍ଵିକେଟ୍ କିପର ବ୍ୟାଟର ରିୟାନ ରିକଲଟନ ୨୧ ବଲରୁ ୪ ଚୌକା ଓ ୩ ଛକା ସହ ୪୪ ରନ କରିଥିଲେ। ଅଧିନାୟକ ଆଡନ ମାରକ୍ରମ ରିଟାୟର୍ଡ ହଟ୍ ହେବା ପୂର୍ବରୁ ୧୯ ବଲରୁ ବିସ୍ଫୋରକ ୩୮ କରିଥିଲେ। ଏଥିରେ ୨ ଚୌକା ଓ ୪ ଛକା ସାମିଲ୍। ଜାନ ସ୍ମିଥ ୨୩ ବଲରୁ ୪ ଚୌକା ଓ ଗୋଟିଏ ଛକା ଜରିଆରେ ୩୫ ରନ କରିଥିଲେ। ମାର୍କୋ ଜନସେନ ୩୧ ରନର ଯୋଗଦାନ ଦେଇଥିଲେ। ଭାରତ ପାଇଁ ଅଭିଷେକ ଶର୍ମା ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୨୪୦ ରନ କରିଥିଲା। ଓପନିଂ କରିଥିବା ଇଶାନ କିଶନ ୭ ଛକା ଓ ୨ ଚୌକା ସହ ମାତ୍ର ୨୦ ବଲରୁ ୫୩ ରନ କରି ରିଟାୟର୍ଡ ହଟ୍ ହୋଇଥିଲେ। ଆହତ ସମସ୍ୟାରୁ ମୁକୁଳିଥିବା ତିଳକ ବର୍ମା ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୧୯ ବଲରୁ ୪୧ ରନର ଇନିଂସ ଖେଳିଛନ୍ତି। ଏଥିରେ ୩ ଚୌକା ଓ ୩ ଛକା ସାମିଲ୍।ଅକ୍ଷର ପଟେଲ୍ ୨୩ ବଲରୁ ୩୫ ରନ କରିଥିଲେ। ଏଥିରେ ୨ ଛକା ଓ ୨ ଚୌକା ସାମିଲ୍। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୩୦-୩୦ ରନ ଯୋଗଦାନ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନରିକ ନୋର୍କିଆ, କାର୍ବିନ ବୋଶ, ମାର୍କୋ ଜନସେନ ଓ କ୍ଵେନା ମଫାକା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।