LIVE TV

ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା, ଗୁରୁବାର ଗାନ୍ଧୀ ମୈଦାନରେ ଶପଥ ସମାରୋହ

NEWS7
central-govt-warned-to-twitter-over-new-it-rule

ପାଟନା: ନୀତୀଶ କୁମାର ବୁଧବାର (୧୯ ନଭେମ୍ବର) ରାଜଭବନ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଏନଡିଏ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି ନୀତୀଶ । ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ, ନୀତିଶ କୁମାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଏନଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀ ନୀତୀଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପି ବିଧାୟକ ଦଳ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ପୁଣି ଥରେ ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଛି। ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳର ନେତା ଏବଂ ବିଜୟ ସିହ୍ନାଙ୍କୁ ଉପନେତା ଭାବରେ ନିର୍ବାଚିତ କରାଯାଇଛି ।

ସୂତ୍ର ଅନୁସାରେ, ବାଚସ୍ପତି ପଦ ବିଜେପିକୁ ଯିବ । ପୂର୍ବରୁ ନୀତିଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳର ନେତା ମନୋନୀତ କରାଯାଇଥିଲା। ବୁଧବାର (୧୯ ନଭେମ୍ବର) ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ନୀତୀଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ନେତା ମନୋନୀତ କରାଯାଇଥିଲା। ନୀତୀଶ କୁମାର ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ଶପଥ ଗ୍ରହଣ ସମାରୋହ ଗୁରୁବାର (୨୦ ନଭେମ୍ବର) ପାଟନାର ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ନୀତୀଶ କୁମାର ମଙ୍ଗଳବାର (୧୮ ନଭେମ୍ବର) ବ୍ୟକ୍ତିଗତ ଭାବରେ ଗାନ୍ଧୀ ମୈଦାନ ଗସ୍ତ କରିଥିଲେ। ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ NDA ୨୦୨ଟି ଆସନ ଜିତିବାରେ ସଫଳ ହୋଇଛି। ବିଜେପି ୮୯ଟି ଆସନ ଜିତି ରାଜ୍ୟରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ୮୫ଟି ଆସନ ପାଇ ଦଳୀୟ ସଂଖ୍ୟା ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ରହିଛି।

ଚିରାଗ ପାସୱାନଙ୍କ ଏଲଜେପି (ଆର) ୧୯ଟି ଆସନ ଜିତିଥିବା ବେଳେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚଏଏମ) ୫ଟି ଏବଂ ଆରଏଲଏମ ୪ଟି ଆସନ ଜିତିଛି । ଅନ୍ୟପକ୍ଷରେ, ମହାଗଠବନ୍ଧନ ଏକ ବଡ଼ ପରାଜୟ ବରଣ କରିଛି । ଏମଜିବି ମାତ୍ର ୩୫ଟି ଆସନ ଜିତିଛି।