ଟାର୍ଗେଟକୁ ଗୋଡ଼ାଇ ଗୋଡ଼ାଇ କରିବ ଧ୍ୱଂସ, ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷା

NEWS7
central-govt-issue-notice-to-ministry-for-reduce-expenses

ନୂଆଦିଲ୍ଲୀ ୧୩।୦୧ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ଉପଲବ୍ଧି ହାସଲ କରିଛି । ଡିଆରଡିଓ (ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ) ପକ୍ଷରୁ ବିକଶିତ ତଥା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

ମହାରାଷ୍ଟ୍ରର ଅହିଲ୍ୟାନଗର ଠାରେ ଥିବା କେକେ ରେଞ୍ଜରେ ମ୍ୟାନ୍ ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ (ଏମ୍ପିଏଟିଜିଏମ)ର ସଫଳ ପରୀକ୍ଷା ହୋଇଛି । ଏହି ମିସାଇଲ ଟପ୍ ଆଟାକ ମୋଡରେ ଚାଲୁଥିବା କୌଣସି ଟ୍ୟାଙ୍କକୁ ନିମିଷକ ମଧ୍ୟରେ ଧ୍ୱଂସ କରିଦେବ । ଅର୍ଥାତ ଏହି ମିସାଇଲ ସିଧା ଟ୍ୟାଙ୍କକୁ ଏହାର ଉପରୁ ଟାର୍ଗେଟ କରିବ । କାରଣ ଟ୍ୟାଙ୍କର ଉପରି ଭାଗ ବେଶ୍ ପତଳା ହୋଇଥାଏ । ତା’ଛଡା ଏହି ମିସାଇଲ ଉଭୟ ଦିନ ଓ ରାତିରେ କାମ କରିପାରିବ । ଏଥିରେ ଥିବା ଥର୍ମାଲ ଇମେଜିଂରେ ଏହା ଟାର୍ଗେଟକୁ ଦେଖିପାରିବ । ଏଥିରେ ଦୁଇଟି ଯୁଦ୍ଧାସ୍ତ୍ର ରହିବ । ଗୋଟିଏ ଟ୍ୟାଙ୍କର ଗୋଳା ବା ଯୁଦ୍ଧାସ୍ତ୍ରକୁ ନଷ୍ଟ କରିବ । ଦ୍ୱିତୀୟଟି ଟ୍ୟାଙ୍କର ମୁଖ୍ୟ ବଡିକୁ ନଷ୍ଟ କରିବ । ଭାରତୀୟ ସେନା ପାଇଁ ଏହା ଏକ ବଡ ପଦକ୍ଷେପ । କାରଣ ଏହା ଆଧୁନିକ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କକୁ ସହଜରେ ଟାର୍ଗେଟ କରି ନଷ୍ଟ କରିବାରେ ସକ୍ଷମ ହେବ । ଏମ୍ପିଏଟିଜିଏମ ହେଉଛି ତୃତୀୟ ପିଢ଼ିର ଫାୟାର ଆଣ୍ଡ ଫର୍ଗେଟ ମିସାଇଲ । ସୈନିକମାନେ ଏହି ମିସାଇଲକୁ ଛାଡିବା ପରେ ଆଉ ଗାଇଡ୍ କରିବାକୁ ପଡିବ ନାହିଁ । କାରଣ ଏହି ମିସାଇଲ ଖୋଦ୍ ଲକ୍ଷ୍ୟକୁ ଖୋଜି ଧ୍ୱଂସ କରିବ । ତା’ଛଡା ଏହି ମିସାଇଲ ବହୁତ ହାଲୁକା । ଯାହାଫଳରେ ସୈନିକ ଏହାକୁ ନିଜ କାନ୍ଧରେ ବୋହି ନେଇପାରିବେ । ଡିଆରଡିଓର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ବୈଜ୍ଞାନିକ ଓ ଏଥିରେ ସହଯୋଗ କରିଥିବା କମ୍ପାନିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ବଡ ଉପଲବ୍ଧି । ସେହିଭଳି ଡିଆରଡିଓ ମୁଖ୍ୟ ଡକ୍ଟର ସମୀର ବି. କାମାଥ କହିଛନ୍ତି ମିସାଇଲର ସଫଳ ପରୀକ୍ଷଣ ଯୁଦ୍ଧାସ୍ତ୍ର ପ୍ରଣାଳୀ ତଥା ଏହାକୁ ଭାରତୀୟ ସେନାରେ ସାମିଲ କରିବା ଦିଗରେ ଏକ ବଡ ପଦକ୍ଷେପ ।