କୋର୍ଟକୁ ଉଡ଼ାଇଦେବୁ ବୋମାରେ ! ଇ-ମେଲ୍ ଆସିଲା ପରେ ଚାଲିଲା ଯାଞ୍ଚ, ଜଣାପଡିଲା ଫେକ୍

NEWS7
cbi-seeks-united-states-help-through-a-formal-channel-in-sushant-singh-rajput-death-case

ଭୁବନେଶ୍ବର ୧୨।୩: ଭୁବନେଶ୍ୱର କୋର୍ଟକୁ ପୁଣି ଥରେ ବୋମା ଧମକ । ବୋମା ଆତଙ୍କରେ ଆସିଥିବା ଲୋକେ ଛାନିଆ ହୋଇଛନ୍ତି । ଘଟଣାକୁ ଗୁରୁତର ସହ ନେବା ପରେ ପୋଲିସ, ଅଗ୍ନିଶମ ବାହିନୀ, ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ଏବଂ ସନ୍ଧାନୀ କୁକୁର ଦ୍ୱାରା ବିଭିନ୍ନ କୋଣ ଅନୁକୋଣରେ ଯାଞ୍ଚ ଚାଲିଛି । ସେପଟେ ବରିଷ୍ଠ ଆଇନଜୀବୀ କହିଛନ୍ତି ଯେ, ସବୁକିଛି ସାମାନ୍ୟ ଅଛି ତଦନ୍ତ ଚାଲିଛି ଲୋକଙ୍କୁ ଆତଙ୍କିତ ନହେବାକୁ ଅପିଲ କରାଯାଇଛି ।

ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ ବୋମାରେ ଉଡାଇଦେବାକୁ ଇ-ମେଲ୍ ଯୋଗେ ମିଳିଛି ଧମକ । ଏହାକୁ ନେଇ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଭଳି ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ଭିତରେ ଡଗ୍ ସ୍କ୍ୱାଡ୍ ଦ୍ୱାରା ତନ ତନ କରି ଯାଞ୍ଚ କରାଯାଇଥିଲା । ତେବେ ଯାଞ୍ଚ ପରେ ଏହା ଗୁଜବ ବୋଲି ଜଣାପଡିଛି ।

ତେବେ କୋର୍ଟକୁ ବୋମାରେ ଉଡ଼ାଇଦେବା ଖବର ମିଳିବା ପରେ ବଡ଼ଗଡ଼ ଥାନା ପୋଲିସ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ଏହାସହ ଡଗ୍ ସ୍କ୍ୱାଡ୍ କୋର୍ଟ ପରିସରରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଯାଞ୍ଚ କରିଥିଲା । ଏଭଳି ଖବର ପ୍ରଚାରିତ ହେବା ପରେ କୋର୍ଟ ଭିତରେ ଭୟର ବାତାବରଣ ଖେଳିଯାଇଥିଲା । ଯାଞ୍ଚ ପରେ ଏହା ଗୁଜବ ବୋଲି ଜଣାପଡିଥିଲା । ତେବେ କିଏ ଓ କାହିଁକି ଏଭଳି ଇ-ମେଲ୍ ପଠାଇ ଆତଙ୍କ ସୃଷ୍ଟି କଲେ ତାକୁ ନେଇ ପୋଲିସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଇ-ମେଲ୍ ଆସିବାରେ ଲାଗିଛି। ଯାହାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଲାଗି ରହୁଛି । ଗତ ୯ ତାରିଖରେ ପୁରୀ କୋର୍ଟକୁ ମଧ୍ୟ ଏଭଳି ଇ-ମେଲ୍ ଯୋଗେ ଧମକ ମିଳିଥିଲା । ଗତ ୬ ତାରିଖରେ ମଧ୍ୟ ସମାନ ଧମକ କୋର୍ଟକୁ ଆସିଥିଲା । ତେବେ ଇ-ମେଲ୍ର ଯାଞ୍ଚ ପରେ ତାହା ଗୁଜବ ବୋଲି ଜଣାପଡିଥିଲା । ଗତ ଜାନୁଆରୀ ୮ ତାରିଖରେ ହାଇକୋର୍ଟ ସମେତ ସମ୍ବଲପୁର, ଦେବଗଡ଼ ଜିଲ୍ଲା କୋର୍ଟକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥିଲା । ପରେ ତାହା ଫେକ୍ ମେଲ୍ ବୋଲି ଜଣାପଡିଥିଲା ।