‘୭ ବର୍ଷ ଜେଲ୍ ଏବଂ ୫୦,୦୦୦ ଟଙ୍କା ଜରିମାନା’; ବିଜେପିର ବିରୋଧ ସତ୍ତ୍ୱେ କର୍ଣ୍ଣାଟକ ବିଧାନସଭାରେ ପାସ୍ ହେଲା ହେଟ୍ ସ୍ପିଚ ବିଲ୍‌

NEWS7
cbi-raid-in-debi-mishra-house

ବେଙ୍ଗାଲୁରୁ: ବିଜେପି ଏବଂ ଜେଡିଏସର କଡ଼ା ବିରୋଧ ସତ୍ତ୍ୱେ ହେଟ ସ୍ପିଚ୍ ବିଲ୍ ପାରିତ । କଂଗ୍ରେସ ସରକାର ବୁଧବାର (ଡିସେମ୍ବର ୧୭, ୨୦୨୫) କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ହେଟ୍ ସ୍ପିଚ ( ଘୃଣା ଭାଷଣ) ବିଲ୍ ପାସ୍ କରିଛନ୍ତି। ବିଲ୍ ପାସ୍ ହେବା ପରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି ।

ଭେଦ ଭାବ, ଘୃଣ୍ୟ ଭାଷଣ ଭଳି ୧୧ଟି ଆଧାରକୁ ନେଇ ଏହି ବିଲ୍ ପ୍ରସ୍ତୁତ କରାଯାଇଛି । ସମାଜର ଦୁର୍ବଳ ବର୍ଗଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ବିଲ୍ ଆଣିଛନ୍ତି ସରକାର । ମୌଖିକ, ପ୍ରିଣ୍ଟ କମ୍ବା କୌଣସି ଉପାୟରେ ପ୍ରକାଶିତ ହିଂସା ଉଦ୍ରେକକାରୀ ଭାଷଣକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

ପ୍ରସ୍ତାବିତ ଆଇନ ଅନୁଯାୟୀ, ପ୍ରଥମ ଥର ଅପରାଧୀକୁ ସର୍ବନିମ୍ନ ଏକ ବର୍ଷ ଜେଲଦଣ୍ଡ ମିଳିବ । ଯାହା ୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ଏବଂ ୫୦ ହଜାର ଟଙ୍କା ଜରିମାନା ଲାଗିବ। ଅପରାଧର ପୁନରାବୃତ୍ତି ହେଲେ, ଦୁଇ ବର୍ଷରୁ ଦଶ ବର୍ଷ ଜେଲଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜରିମାନା ଲାଗିବ। ଆଇନ ଅନୁଯାୟୀ, ଅପରାଧଗୁଡ଼ିକ ବିଚାରଯୋଗ୍ୟ ଏବଂ ଜାମିନ ବିହୀନ ହେବ । ଜଣେ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଦ୍ୱାରା ମାମଲାର ବିଚାର କରାଯିବ ।

 

ଏହି ବିଲକୁ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ଏହି ବିଲ୍ ହିନ୍ଦୁଙ୍କ ସ୍ୱରକୁ ଦମନ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ରାଜନୈତିକ ବିରୋଧୀମାନଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରାଯାଇପାରେ ।