ଦୀପାଳି ନା ପୋଲିସ ରେକର୍ଡ କିଏ କହୁଛି ସତ ? ୩ ବର୍ଷ ପରେ ବି ଘଟଣା ଦିନର କ୍ଲାଇମାକ୍ସକୁ ନେଇ ପ୍ରଶ୍ନ ଅନେକ

NEWS7
cbi-booked-directors-of-punjab-basamati-rice-ltd

ଝାରସୁଗୁଡ଼ା ୩୦।୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଇତିମଧ୍ୟରେ ପୂରିଛି ତିନି ବର୍ଷ । ହେଲେ ଏବେବି ରହସ୍ୟରେ ନବ ଦାସଙ୍କ ହତ୍ୟାକାଣ୍ଡ । ନବ ଦାସଙ୍କୁ କାହିଁକି ମାରିଥିଲା ଗୋପାଳ ? କ’ଣ ଥିଲା ତାଙ୍କ ଉଦ୍ଦେଶ୍ୟ ? ହତ୍ୟାକାଣ୍ଡ ପାଇଁ ଗୋପାଳକୁ କିଏ ଉସକାଇଥିଲା ? ଏବେ ବି ଏମିତି ଅନେକ ଅସମାହିତ ପ୍ରଶ୍ନ । ନବ ଦାସଙ୍କ ହତ୍ୟାକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ହତ୍ୟା ପଛର କାରଣ ଏବେ ବି ରହସ୍ୟରେ ।

ଏସବୁ ଭିତରେ ଝାରସୁଗୁଡାରେ ପାଳନ ହୋଇଛି ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଆୟୋଜିତ ଶ୍ରାଦ୍ଧ ସଭାରେ ଭାବବିହ୍ଵଳ ହୋଇ କହୁ କହୁ କିଛି ଏମିତି କଥା କହି ପକାଇଲେ ଝିଅ ଦୀପାଳି ଦାସ, ଯାହା ଏବେ ଏହି ହତ୍ୟାକାଣ୍ଡକୁ ଆହୁରି ରହସ୍ୟଘେରକୁ ଟାଣିଛି । ବାପାଙ୍କ ଶେଷ କଲ୍ ପାଇଥିଲେ ବୋଲି କହିଥିଲେ ଝିଅ ଦୀପାଳି । ଘଟଣା ଦିନ ୧୨ଟା ୨୭ ମିନିଟ୍‌ରେ ତାଙ୍କ ଫୋନ୍କୁ ମିସ୍ କଲ୍ ଆସିଥିଲା । ଆଉ ୧୨ଟା ୪୫ ମିନିଟ୍‌ରେ ବାପାଙ୍କ ଡେଥ୍ ହୋଇଯାଇଥିଲା । ତେବେ ପୋଲିସ ରେକର୍ଡରେ ନବ ଦାସଙ୍କ ଡେଥ୍ ଟାଇମ୍ ରହିଛି ୧୨ଟା ୧୫ ମିନିଟ୍ । ପ୍ରକୃତରେ ନବ ଦାସଙ୍କର ମୃତ୍ୟୁ କେଉଁ ସମୟରେ ହୋଇଥିଲା ତାହା ଏବେ ଆହୁରି ରହସ୍ୟ ଘେରକୁ ଟାଣିହୋଇଯାଇଛି । ହତ୍ୟା ଘଟଣାର ସଠିକ୍ ସମୟକୁ ନେଇ ପୋଲିସ ରେକର୍ଡ ଓ ପରିବାର ପକ୍ଷରୁ ଆସୁଥିବା ନୂତନ ତଥ୍ୟ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ଦେଖାଯାଉଛି । ଯାହା ତଦନ୍ତର ପ୍ରାରମ୍ଭିକ ଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୋଲିସ ଏତଲା ଅନୁସାରେ, ଜାନୁଆରୀ ୨୯, ୨୦୨୩ ଦିନ ୧୨ଟା ୧୫ ମିନିଟ୍ ସମୟରେ ଗୁଳିକାଣ୍ଡ ଘଟିଥିବା କଥା ଦର୍ଶାଯାଇଛି । କିନ୍ତୁ ଝିଅ ଦୀପାଳି ଦାସଙ୍କ ନୂତନ ବୟାନ ଏହି ସମୟକୁ ପୁନଃବିଚାରର ଦାବି କରୁଛି । ତାଙ୍କ କହିବା ଅନୁସାରେ, ଦିନ ୧୨ଟା ୨୭ ମିନିଟ୍‌ରେ ତାଙ୍କ ମୋବାଇଲ୍କୁ ଏକ ମିସ୍ କଲ୍ ଆସିଥିଲା ଏବଂ ପ୍ରକୃତ ଗୁଳିକାଣ୍ଡ ୧୨ଟା ୪୫ ମିନିଟ୍‌ରେ ଘଟିଥିଲା । ଏହି ୩୦ ମିନିଟ୍‌ର ତଫାତ ମାମଲାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଇଛି ।

ଯଦି ଦୀପାଳି ଦାସଙ୍କ ଦାବି ଫୋନ୍ କଲ୍ ରେକର୍ଡ (CDR) ଓ ଟେଲିକମ୍ ତଥ୍ୟ ଦ୍ୱାରା ପ୍ରାମାଣିତ ହୁଏ, ତେବେ ପୋଲିସର ପ୍ରାରମ୍ଭିକ ତଦନ୍ତ, ଘଟଣାସ୍ଥଳରେ ପହଞ୍ଚିବା ସମୟ, ଆମ୍ବୁଲାନ୍ସ ଓ ମେଡିକାଲ୍ ସହାୟତାର ଟାଇମଲାଇନ୍‌ରେ ପୁନଃ ତଦନ୍ତର ଆବଶ୍ୟକତା ପଡିପାରେ । ସମସ୍ତ ଚିତ୍ରକୁ ଦେଖିଲେ, ଗୁଳିକାଣ୍ଡର ସମୟର ପାର୍ଥକ୍ୟ, ସାକ୍ଷ୍ୟ ଗ୍ରହଣର ଧୀମା ଗତି ଓ ତଦନ୍ତର ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି କରିଛି ।

ସେପଟେ ଏହା ଉପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି । ପରିବାର ଲୋକଙ୍କ ସନ୍ଦେହକୁ ନେଇ ପୁଣି ଥରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ । ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଖୁଲାସା ହୋଇ ନିର୍ଯାସ ବାହାରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।