ପଞ୍ଚମ ବର୍ଷରେ ଋଷିଆ-ୟୁକ୍ରେନ ଯୁଦ୍ଧ, ଋଷର ଅଜେୟ ଛବି ଧରାଶାୟୀ

NEWS7
car-accident-in-uttarakhand-two-bjp-leaders-died

ନୂଆଦିଲ୍ଲୀ ୨୪।୨: ଋଷିଆ-ୟୁକ୍ରେନ ଯୁଦ୍ଧ ପଞ୍ଚମ ବର୍ଷକୁ ପ୍ରବେଶ କରିଛି। ମସ୍କୋ ଯାହାକୁ ସ୍ପେଶାଲ ମିଲେଟ୍ରି ଅପରେସନ କହିଥିଲା ତାହା ୨୪ ଫେବୃଆରୀ ୨୦୨୨ ରେ ଆରମ୍ଭ ହୋଇଥିଲା। ସେତେବେଳେ ସାରା ବିଶ୍ୱ କହିଥିଲା ଏହି ଯୁଦ୍ଧ ଦୁଇ ସପ୍ତାହରୁ ଅଧିକ ଚାଲି ପାରିବନି। ହେଲେ ଆଜି ୧୪୬୦ ଦିନ ପରେ ବି ଜାରି ରହିଛି। ଏଥିରୁ ଏବେ ଜଣାପଡୁଛି ପ୍ରାରମ୍ଭିକ ଆକଳନ ସମ୍ପୂର୍ଣ୍ଣ ଭୁଲ ଥିଲା। ଏବେ ଯୁଦ୍ଧ ନିକଟ ଭବିଷ୍ୟତରେ ସମାପ୍ତ ହୋଇଯିବ ତାହା ବି କହିବା ଅସମ୍ଭବ। ଏହି ଯୁଦ୍ଧ ଦୁଇଦେଶଙ୍କ ଅନେକ ଭୁଲ ଧାରଣାକୁ ଉଜାଗର କରିଛି। ଅଜୟ ମନେ କରାଯାଉଥିବା ଋଷୀୟ ସେନା ପ୍ରତି ଏବେ ବିଶ୍ୱର ଧାରଣା ବଦଳି ଯାଇଛି। ଏହି ଯୁଦ୍ଧ ୟୁରୋପର ସୁରକ୍ଷା ବ୍ୟବସ୍ଥା ଓ ବୈଶ୍ୱିକ ଶକ୍ତି ସନ୍ତୁଳନକୁ ବଦଳାଇ ଦେଇଛି।

ଏହି ସଂଘର୍ଷ ଏବେ ଦୁଇ ଦେଶଙ୍କ ମଧ୍ୟରେ ଆଉ ଯୁଦ୍ଧ ହୋଇ ନାହିଁ, ଏହା ବିଶ୍ୱର ରାଜନୀତି ଓ ସାମରିକ ସାମର୍ଥ୍ୟର ବାସ୍ତବିକତାକୁ ନୂଆ ଭାବେ ସାମ୍ନାକୁ ଆଣିଛି। ଏହି ଯୁଦ୍ଧରେ ହତାହତ ସଂଖ୍ୟା ବହୁତ ଅଧିକ। ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ (ସିଏସଆଇଏସ) ଓ ବ୍ରିଟିଶ ସାପ୍ତାହିକ ସମ୍ବାଦପତ୍ର ‘ଦି ଇକୋନମିଷ୍ଟ’ ଅନୁମାନ କରିଛନ୍ତି ଯେ ଏହି ଯୁଦ୍ଧରେ ପାଖାପାଖି ୧୮ଲକ୍ଷ ଲୋକେ ହତାହତ ହେଲେଣି, ଯେଉଁମାନଙ୍କ ମଧ୍ୟରେ ୧୨ଲକ୍ଷ କେବଳ ଋଷୀୟ ସୈନିକ। ସିଏସଆଇଏସ ଅନୁସାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଶକ୍ତିଶାଳୀ ଦେଶର ଏତେମାତ୍ରାରେ ସୈନ୍ୟ କ୍ଷତି ହୋଇ ନାହିଁ। ରିପୋର୍ଟରେ କୁହାଯାଇଛି ଗତ ୪ ବର୍ଷରେ ୩.୨୫ ଲକ୍ଷ ଋଷୀୟ ସୈନିକ ପ୍ରାଣ ହରାଇଛନ୍ତି। ଆଉ କେତେକ ରିପୋର୍ଟରେ ଯୁଦ୍ଧ ଯୋଗୁ ୨ଲକ୍ଷ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଯଦି ଏହି ତଥ୍ୟ ସଠିକ ହୁଏ ତେବେ ୧୯୪୫ ପରେ ଆମେରିକା ଲଢିଥିବା ସବୁ ଯୁଦ୍ଧରେ ପ୍ରାଣ ହରାଇଥିବା ଆମେରିକୀୟ ସୈନିକଙ୍କ ତୁଳନାରେ ଏହି ସଂଖ୍ୟା ୩ ଗୁଣାରୁ ବି ଅଧିକ।

ଋଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ବର୍ତ୍ତାରେ ସବୁଠୁ ବଡ଼ ବାଧକ ହେଉଛି ପରସ୍ପର ଉପରେ ଭରସାର ଅଭାବ। ଏଥିରେ ଋଷିଆ ସ୍ପଷ୍ଟ ଭାବେ କହିଛି ଯେ ଡୋନେଟସ୍କ ଓ ଲୁହାନସ୍କର ଡୋନବାସ କ୍ଷେତ୍ର ଯେଉଁ ପର୍ଯ୍ୟନ୍ତ ହାସଲ ନହୋଇଛି ସେ ପର୍ଯ୍ୟନ୍ତ ଯୁଦ୍ଧ ରୋକିବ ନାହିଁ। ଏହାଛଡା ଖେରସୋନ ଓ ଜାପୋରିଜିୟାକୁ ମସ୍କୋ ନିଜ କ୍ଷେତ୍ର ମାନିବାକୁ ବାଧ୍ୟ କରୁଛି। ଏହି ଅଞ୍ଚଳକୁ ଋଷିଆ ଏବେ ନିଜ ସମ୍ବିଧାନରେ ସାମିଲ କରିନେଲାଣି। ଋଷିଆର ଉଦ୍ଦେଶ୍ୟ ହେଉଛି କ୍ରିମିୟାକୁ ଅନ୍ୟ ଦେଶ ମଧ୍ୟ ଋଷିଆ କ୍ଷେତ୍ର ମାନନ୍ତୁ।

ଋଷିଆ ଚାହୁଁଛି ୟୁକ୍ରେନ ତାର ସୈନ୍ୟ ହ୍ରାସ କରୁ, କୌଣସି ସାମରିକ ମେଣ୍ଟରୁ ଦୂରରେ ରହୁ ଓ ତା କ୍ଷେତ୍ରକୁ ବିଦେଶୀ ସୈନିକ ନ ଆସନ୍ତୁ। ହେଲେ ଋଷିଆ ଅତୀତରେ ଦେଇଥିବା ଧୋକା ଯୋଗୁ ୟୁକ୍ରେନ ତା ଉପରେ ଭରସା କରିପାରୁନି। ଏଣୁ ୟୁକ୍ରେନ ପାଶ୍ଚାତ୍ୟ ଦେଶ ଖାସ କରି ଆମେରିକା ଠାରୁ ପକ୍କା ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛି। ପାଶ୍ଚାତ୍ୟ ଦେଶ ଓ ଅନ୍ତର୍ଜାତୀୟ ସଂସ୍ଥା ତରବରିଆ ଶାନ୍ତି ବୁଝାମଣା ଚାହୁଁ ନାହାନ୍ତି। କାରଣ ଏପରି ହେଲେ ୟୁକ୍ରେନକୁ ନିଜ ଅଞ୍ଚଳ ଛାଡିବାକୁ ପଡିବ ଓ ବୈଶ୍ୱିକ ନିୟମ ଦୁର୍ବଳ ହେବା ସାଙ୍ଗକୁ ଭବିଷ୍ୟତରେ ଆହୁରି ଆକ୍ରମଣ ମଧ୍ୟ ହୋଇପାରେ।

ଏବେବି ଅନେକ ଅଞ୍ଚଳରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନର ପ୍ରତିରୋଧକୁ ଦୁର୍ବଳ କରିବା ପାଇଁ ଋଷିଆ ଲଗାତାର ନାଗରିକ ଓ ସାମରିକ ଆଡ୍ଡା ଉପରେ ଆକ୍ରମଣ କରୁଛି। ଅନ୍ୟପଟେ ପାଶ୍ଚାତ୍ୟ ଦେଶରୁ ମିଳୁଥିବା ସାମରିକ ସହାୟତା କମିବା ଯୋଗୁ ୟୁକ୍ରେନର ପ୍ରତିରକ୍ଷା କ୍ଷମତା ଉପରେ ପ୍ରଭାବ ପଡୁଛି। ଏଣୁ ୟୁକ୍ରେନର ଆଲୋଚନା ସ୍ଥିତି ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ଫଳରେ ଯୁଦ୍ଧ ଦୀର୍ଘ ହେବାରେ ଲାଗିଛି। ଯୁଦ୍ଧ ସମାପ୍ତ କରିବା ପାଇଁ ରହି ରହି ଆଲୋଚନା ହେଉଛି। ଆମେରିକା ମଧ୍ୟସ୍ଥତାରେ ଅବୁଧାବୀ ଓ ଜେନେଭାରେ ଅନେକବାର ବାର୍ତ୍ତା ହେଲାଣି। ଏହାକୁ ଶାନ୍ତି ବୁଝାମଣା ପାଇଁ ରାସ୍ତା କରିବାକୁ ଉଦ୍ୟମ ବୋଲି କୁହାଯାଉଛି।

ଚଳିତମାସରେ ଜେନେଭାରେ ହୋଇଥିବା ଆଲୋଚନା ଦୈନିକ ଦୁଇ ଘଣ୍ଟା ହେଉଥିଲା। ଏଥିରୁ ସେପରି କୌଣସି ବଡ଼ ସଫଳତା ମିଳି ନାହିଁ। ହେଲେ ଦୁଇ ପକ୍ଷ ବୈଠକ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ଯୁଦ୍ଧ ଏବେ ଆକାଶ ମାର୍ଗରୁ ଓ ସ୍ଥଳଭାଗରେ ମଧ୍ୟ ଜାରି ରହିଛି। ହେଲେ ଏହା ଆଉ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇ ନାହିଁ। ତେବେ ଆଶା କରାଯାଉଛି ଚଳିତବର୍ଷ ଯୁଦ୍ଧ ସମାପ୍ତ ହୋଇପାରେ।