ଇରାନ ସଂକଟ ମଧ୍ୟରେ ଭାରତୀୟ ସିପିଂ କମ୍ପାନୀଙ୍କ ଲାଗି ଜାରି ହେଲା ଆଡଭାଇଜରୀ

NEWS7
captain-amarinder-expresses-his-displeasure-by-writing-a-letter-to-sonia-says-mann-ki-baat-about-sidhu

ମୁମ୍ବାଇ ୧।୩: ଇରାନ-ଇଜ୍ରାଏଲ ମଧ୍ୟରେ ଯୁଦ୍ଧ ପରେ ପଶ୍ଚିମ ଏସିୟାରେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ସିପିଂ କମ୍ପାନୀଙ୍କ ଲାଗି ସତର୍କତା ବଢାଇ ଦେଇଛନ୍ତି। ଇରାନର ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଭାରତୀୟ ନାବିକ ଓ ସମୁଦ୍ର କ୍ଷେତ୍ରର ହିତାଧିକାରୀଙ୍କ ଲାଗି ଅଧିକାରିକ ଆଡଭାଇଜରୀ ଜାରି ହୋଇଛି। ସିପିଂ ମହାନିର୍ଦ୍ଦେଶାଳୟ (ଡିଜିଏସ) ଭାରତୀୟ ନାବିକଙ୍କୁ ସମ୍ପର୍କିତ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

ବିଦେଶମନ୍ତ୍ରାଳୟ ଓ ତେହେରାନସ୍ଥିତ ଭାରତୀୟ ଦୂତାବାସଙ୍କ ପକ୍ଷରୁ ଜାରି ଅଧିକାରୀକ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି। ଆଡଭାଇଜରୀରେ ବିଶେଷ କରି ଏହି କଥା ଉପରେ ଗୁରୁତ୍ୱ ଦିଆଯାଇଛି ଯେ କ୍ଷେତ୍ରରେ ପରିଚାଳନା କାଳରେ ସୁରକ୍ଷା ପ୍ରୋଟକଲକୁ କଡ଼ାକଡ଼ି ପାଳନ କରନ୍ତୁ ଓ କୌଣସି ଅସାଧାରାଣ ପରିସ୍ଥିତି ସମ୍ପର୍କରେ ତୁରନ୍ତ ସମ୍ପର୍କିତ ଅଧିକାରୀଙ୍କୁ ସୂଚିତ କରନ୍ତୁ। ପୋର୍ଟସ୍, ସପିଂ ଏବଂ ୱାଟରୱେଜ୍ ମନ୍ତ୍ରାଳୟ ଅନୁସାରେ ସମୁଦ୍ର କ୍ଷେତ୍ର ସମ୍ପର୍କିତ ସମସ୍ତ ହିତାଧିକାରୀ ଯେପରି ସିପିଂ କମ୍ପାନୀମାନେ, ପୋତ ପ୍ରବନ୍ଧକ ଓ ଏଜେନ୍ସୀଙ୍କୁ ଭାରତୀୟ ଚାଳକଦଳ ସଦସ୍ୟଙ୍କ ସୁରକ୍ଷା ଉପରେ ନଜର ରଖିବାକୁ କୁହାଯାଇଛି।

ସେହିପରି କୌଣସି ଜରୁରିକାଳୀନ ପରିସ୍ଥିତିରେ ସୁରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ତୁରନ୍ତ ସରକାରୀ ଅଧିକାରୀଙ୍କ ସହ ସେୟାର କରିବାକୁ କୁହାଯାଇଛି। ଏହା ଦ୍ୱାରା ସମୟ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରିବ। ଇରାନ ଓ ଆଖପାଖ କ୍ଷେତ୍ରରେ ଜାରି ଉତ୍ତେଜନାମୂଳକ ପରିସ୍ଥିତିରେ ସାମୁଦ୍ରିକ ମାର୍ଗ ଓ ଇନ୍ଧନ ଯୋଗାଣ ଉପରେ ସମ୍ଭାବିତ ପ୍ରଭାବର ଆଶଙ୍କା କରାଯାଉଛି। ଏଣୁ ଭାରତ ସରକାର ସତର୍କତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ସରକାର ଦୋହରାଇଛନ୍ତି ଯେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଓ ଆବଶ୍ୟକ ସ୍ଥଳେ ଗାଇଡଲାଇନ ଜାରି କରାଯିବ। ଭାରତ ସ୍ପଷ୍ଟ ରୂପେ କହିଛି ଯେ ଉପୁଜିଥିବା ଉତ୍ତେଜନା ହ୍ରାସ କରିବାକୁ ପାରସ୍ପରିକ ବାର୍ତ୍ତା ଓ କୂଟନୈତିକ ରାସ୍ତା ଗ୍ରହଣ କରାଯିବା ଉଚିତ। ସେହି ପରି ସବୁ ଦେଶଙ୍କ ସାର୍ବଭୌମତ୍ୱ ଓ କ୍ଷେତ୍ରିୟ ଅଖଣ୍ଡତାକୁ ସମ୍ମାନ କରାଯିବା ଦରକାର ବୋଲି ମଧ୍ୟ ଭାରତ କହିଛି।

Also Read..

ଇରାନ୍ ଯୁଦ୍ଧ ମଧ୍ୟରେ ସୁରକ୍ଷା ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ