India vs New Zealand, 2nd T20I: ଭାରତକୁ ୨୦୯ ରନ୍ ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

NEWS7
candle-march-on-mamita-meher-soul

ରାୟପୁର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି (୨୩ ଜାନୁଆରୀ) ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଟସ ହାରି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦୮ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ ମିଚେଲ ସାଣ୍ଟନର ୨୭ ବଲରୁ ଅପରାଜିତ ୪୭ ରନ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା।

କିୱି ଦଳ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ଟିମ୍ ସେଫର୍ଟ ଏବଂ ଡେଭନ୍ କନୱେ ଦୁହେଁ ମିଶି ପ୍ରଥମ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ। ହର୍ଷିତ ରାଣା କନୱେ (୧୯)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପରେ ସେଫର୍ଟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ସେଫର୍ଟ ୧୩ ବଲ୍ ରୁ ୫ଟି ଚୌକା ମାରି ୨୪ ରନ୍ କରିଥିଲେ।

ଏହାପରେ ଗ୍ଲେନ୍ ଫିଲିପ୍ସ ଏବଂ ରଚିନ୍ ରବିନ୍ଦ୍ର ତୃତୀୟ ୱିକେଟ୍ ପାଇଁ ୫୫ ରନର ପାର୍ଟନରସିପ୍ କରିଥିଲେ। ଫିଲିପ୍ସ ୧୯ ରନ କରିଥିବା ବେଳେ କୁଲଦୀପ ଯାଦବ ତାଙ୍କୁ ଆଉଟ୍ କରି ଏହି ପାର୍ଟନରସିପ୍ ଭାଙ୍ଗିଥିଲେ। ଡାରିଲ୍ ମିଚେଲ୍ ୧୮ ରନ କରି ଶିବମ୍ ଦୁବେଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ କୁଲଦୀପ ଯାଦବ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ରଚିନ୍ ରବିନ୍ଦ୍ରଙ୍କୁ ଆଉଟ୍ କରିଥିଲେ। ରବିନ୍ଦ୍ର ୨୬ ବଲରୁ ୪୪ ରନ କରିଥିଲେ। ଯେଉଁଥିରେ ଦୁଇଟି ଚୌକା ଏବଂ ଚାରିଟି ଛକା ଥିଲା।

ମାର୍କ ଚାପମ୍ୟାନ୍ (୧୦ ରନ୍) କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହେବା ପରେ ନ୍ୟୁଜିଲାଣ୍ଡ ଷଷ୍ଠ ୱିକେଟ୍ ହରାଇଥିଲା। ସେଠାରୁ ଅଧିନାୟକ ମିଚେଲ୍ ସାଣ୍ଟନର ଏବଂ ଜାକାରି ଫୁଲ୍କେସ୍ ମାତ୍ର ୧୯ ବଲରେ ୪୭ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡକୁ ଏକ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରେ ୨୦୮ ରନ୍ କରିଥିଲା।

ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଆହତ ଅକ୍ଷର ପଟେଲଙ୍କୁ ବାଦ ଦିଆଯାଇ ଥିବା ବେଳେ ଜସପ୍ରିତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି। ଏହି ଦୁଇ ବୋଲରଙ୍କ ସ୍ଥାନରେ କୁଲଦୀପ ଯାଦବ ଏବଂ ହର୍ଷିତ ରାଣାଙ୍କୁ ସ୍ଥାନ ଦିଆଯାଇଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ସେମାନଙ୍କ ପ୍ଲେଇଂ ଇଲେଭେନରେ ତିନୋଟି ପରିବର୍ତ୍ତନ କରିଥିଲା।