ବାଲିଯାତ୍ରା ୨୦୨୫
LIVE TV

ନୂଆପଡା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ : ଇଭିଏମରେ ସିଲ୍ ହେବ ପ୍ରାର୍ଥୀଙ୍କ ଭାଗ୍ୟ

NEWS7
by-2030-indian-economy-will-be-at-number-three-leaving-uk-germany-and-japan-behind

ନୂଆପଡା, ୧୧|୧୧: ନୂଆପଡା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି । ଏଥାରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଥିବା ବେଳେ ମଇଦାନରେ ୧୪ ଜଣ ପ୍ରାର୍ଥୀ ରହିଛନ୍ତି ।

ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ପୂର୍ବତନ ବିଜେଡି ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟିକେଟ୍ ଦେଇଥିଲା । ଅନ୍ୟଦିଗରେ କଂଗ୍ରେସ ଘାସିରାମ ମାଝୀଙ୍କ ଉପରେ ଭରସା କରିଛି । 

ତେବେ ଏହି ନିର୍ବାଚନ ଉଭୟ ବିଜେପି ଏବଂ ବିଜେଡି ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦଳର ଅନେକ ତୁଙ୍ଗ ନେତା ଏବଂ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ବିଜୟୀ ପାଇଁ ଜୋରଦାର ପ୍ରଚାର କରିଥିଲେ । ଗୋଟିଏ ଦିଗରେ ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ । ଏହି ନିର୍ବାଚନ ସରକାର ଏବଂ ଦଳ ଉପରେ ଜନତାଙ୍କ ଆସ୍ଥା ଏବଂ ବିଶ୍ୱାସ ଆଗ ଭଳି ରହିଛି ନା ନାହିଁ ତାହା ପ୍ରକାଶ କରିବ । ସେପଟେ ବିଜେଡି ପାଇଁ ଏହା ଅଗ୍ନିପରୀକ୍ଷା । ଯାହା ପରାଜୟ ପରେ ଦଳ ତ୍ରୁଟି ସୁଧାରିଛି ନା ନାହିଁ ତାହା ଦର୍ଶାଇବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଠାରେ ଜୋରଦାର ପ୍ରଚାର କରିଥିଲେ । ମେଗା ରୋଡ୍ ସୋ କରି ଭୋଟ୍ ମାଗିଥିଲେ ।  କଂଗ୍ରେସ ମଧ୍ୟ ପଛରେ ରହିନଥିଲା । ଦଳ ଏକଜୁଟ୍ ହୋଇ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲା ।

ରିପୋର୍ଟ ଅନୁସାରେ, ଉପ ନିର୍ବାଚନ ପାଇଁ ୩୫୮ଟି ବୁଥରେ ମତଦାନ ହେଉଛି । ୩୧୧ଟି ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାନ ହେଉଛି । ଅନ୍ୟ ୪୭ଟି ବୁଥରେ ୭ଟାରୁ ୪ଟା ଯାଏଁ ଭୋଟର ଭୋଟ୍ ଦେଇପାରିବେ ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ନୂଆପଡା ବିଧାନସଭାରେ ମୋଟ୍ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ । ଏହାମଧ୍ୟରୁ ୧ ଲକ୍ଷ ୨୪ ହଜାର ୧୦୮ ଜଣ ପୁରୁଷ ଭୋଟର୍ ଥିବା ବେଳେ ୧ ଲକ୍ଷ ୨୯ ହଜାର ୪୯୫ ଜଣ ମହିଳା ଏଭଂ ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟର୍ ରହିଛନ୍ତି ।