ଇନ୍ଦୋର ପରେ ଗାନ୍ଧୀନଗରରେ ବିଷାକ୍ତ ପାଣି ; ୧୦୪ ଜଣ ପିଲା ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି

NEWS7
business-meet-at-bhubaneswar

ନୂଆଦିଲ୍ଲୀ ୦୫ ।୦୧: ମଧ୍ୟପ୍ରଦେଶର ଇନ୍ଦୋର ପରେ ଏବେ ଗୁଜରାଟର ଗାନ୍ଧୀନଗରରେ ଦୂଷିତ ପାଣି ପିଇ ପିଲାମାନେ ଅସୁସ୍ଥ ହେବା ଘଟଣା ସାମ୍ନାକୁ ଆସିଛି । ଗାନ୍ଧୀନଗରରେ ଗତ ୩ ଦିନରେ ଦୂଷିତ ପାଣି ପିଇ ୧୦୪ ଜଣ ପିଲା ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ପିଲା ଟାଇଫଏଡରେ ଆକ୍ରାନ୍ତ ହୋଇପଡିଛନ୍ତି। ପରିସ୍ଥିତି ଏଭଳି ବିଗିଡିଯାଇଛି ଯେ ସିଭିଲ ହସ୍ପିଟାଲରେ ପିଲାମାନଙ୍କୁ ଚିକିତ୍ସା କରିବା ନିମନ୍ତେ ନୂଆ ୱାର୍ଡ ଖୋଲିବାକୁ ପଡିଛି ।

ଇନ୍ଦୋର ଭଳି ଏଠାରେ ପିଇବା ପାଣି ପାଇପ ଫାଟିଯିବାରୁ ଆବର୍ଜନା ପାଣି ସେଥିରେ ମିଶିଥିବା ଜଣାପଡିଛି । ସହରର ସେକ୍ଟର ୨୪, ୨୮ ଓ ଆଦିୱାଡା ଅଞ୍ଚଳରେ ପିଲାମାନେ ଦୂଷିତ ପାଣି ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବା ପରେ ୧୦ଟି ସ୍ଥାନରୁ ପାଣି ପାଇପ୍‌ରେ ଲିକେଜ ରହିଥିବା ଜଣାପଡିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ୪୦ଟି ସ୍ୱାସ୍ଥ୍ୟ ଟିମ୍‌କୁ ନିୟୋଜିତ କରାଯାଇଛି ।

ଏହି ଟିମ୍ ୧୦ ହଜାରରୁ ଅଧିକ ଘର ଯାଞ୍ଚ କରିସାରିଲେଣି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାଙ୍କ ଚିକିତ୍ସା ନିମେନ୍ତ ୨୨ ଜଣିଆ ଡାକ୍ତରୀ ଟିମ୍ ଗଢ଼ାଯାଇଛି ।