LIVE TV

ବିହାର ବିଧାନସଭା ନିର୍ବାଚନରୁ ଦୂରେଇ ରହୁଛନ୍ତି ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି?

NEWS7
bus-fire-in-cuttack-puri-bus-stand

ନୂଆଦିଲ୍ଲୀ ୨୬।୧୦:  ବିହାର ବିଧାନସଭା ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଗଲାଣି। ନଭେମ୍ବର ୬ ତାରିଖରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଭୋଟ ଗ୍ରହଣକୁ ଆଉ ମାତ୍ର ୧୦ ଦିନ ବାକି, ହେଲେ ନିର୍ବାଚନ ରଣାଙ୍ଗନରେ ଏ ପର୍ଯ୍ୟନ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦେଖା ନାହିଁ। ରାହୁଲ ଶେଷ ଥର ସେପ୍ଟେମ୍ବର ୧ ତାରିଖ ଦିନ ବିହାର ଗସ୍ତ କରିଥିଲେ ଓ ରାଜଧାନୀ ପାଟନାରେ ତାଙ୍କର ‘ଭୋଟର ଅଧିକାର ଯାତ୍ରା’ ସମାପନ କରିଥିଲେ।

ଏହି ଯାତ୍ରାରେ ରାହୁଲ ଗାନ୍ଧି ୧୫ ଦିନରେ ରାଜ୍ୟର ୨୦ ଜିଲ୍ଲା ଓ ୧,୩୦୦ କିଲୋମିଟର ପଥ ଅତିକ୍ରମ କରିଥିଲେ। ଏହା ପରଠାରୁ ସେ ଆଉ ବିହାର ଗସ୍ତରେ ଆସି ନାହାନ୍ତି। ହେଲେ ଏହି ସମୟ ମଧ୍ୟରେ ତେଜସ୍ୱୀ ଯାଦବ କିନ୍ତୁ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ତେଜସ୍ୱୀ ରାହୁଲଙ୍କ ସହ ଆଲୋଚନା କରି ସେ କଥିତ ରୂପେ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ତାଙ୍କ ନାମ ଘୋଷଣା ଦାବି କରିଥିଲେ। ଇତି ମଧ୍ୟରେ ରାଜ୍ୟରେ ପ୍ରଥମ ପର୍ଯୟ ନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ କଂଗ୍ରେସ ପ୍ରାର୍ଥୀମାନେ ରାହୁଲ ସେମାନଙ୍କ ନିର୍ବାଚନ ମଣ୍ଡଳିକୁ ଆସି ପ୍ରଚାର କରନ୍ତୁ ବୋଲି ଅନୁରୋଧ କରୁଛନ୍ତି।

ସୂତ୍ର ଅନୁସାରେ ରାଜ୍ୟରେ ବିଧାନସଭା ନିର୍ବାଚନ ମାହୋଲରେ ରାହୁଲଙ୍କ ଅନୁପସ୍ଥିତି ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କୁ ଅସମଞ୍ଜସ ସ୍ଥିତିରେ ପକାଇଛି। ତେବେ ପାର୍ଟି ସୂତ୍ର ଅନୁସାରେ ମହାମେଣ୍ଟର ଅଧିକାଂଶ ସମସ୍ୟା ସମାଧାନ ପରେ ରାହୁଲ ଗାନ୍ଧି ଆଗାମୀ ସପ୍ତାହରେ ବିହାରରେ ତାଙ୍କର ନିର୍ବାଚନ ଅଭିଯାନ ଆରମ୍ଭ କରିପାରନ୍ତି। ତେବେ କଂଗ୍ରେସ ହାଇକମାଣ୍ଡ ଏହି ପ୍ରସଙ୍ଗର ସମାଧାନ ନିମନ୍ତେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟଙ୍କୁ ବିହାର ପଠାଇଛନ୍ତି।

ଗହଲୋଟ ବିହାର ଗସ୍ତରେ ଆସିଥିବା ବେଳେ ରାଜଧାନୀ ପାଟନାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି ଓ ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରୂପେ ତେଜସ୍ୱୀ ଯାଦବଙ୍କ ନାମ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିହାର ଇଣ୍ଡିମେଣ୍ଟରେ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ମୁହଁ କରାଯାଇଛି। ସେହିପରି ମେଣ୍ଟ ନିଷାଦ ନେତା ତଥା ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ନେତା ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।