ପାକିସ୍ତାନ ବିରୁଦ୍ଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଚେତାବନୀକୁ ବିସିସିଆଇର ସମର୍ଥନ

NEWS7
brown-sugar-seized-and-woman-arrested-in-bhubaneswar

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ସହ ମ୍ୟାଚକୁ ବର୍ଜନ ନେଇ ଘୋଷଣା ପରେ ଏବେ ପାକିସ୍ତାନ ଚାପରେ ଅଛି । ଏହି ଘୋଷଣା କରିବା ପରେ ଆଇସିସି ପାକିସ୍ତାନକୁ ପରଣାମ ଭୋଗିବାକୁ ଚେତାବନୀ ଦେଇଛି । ଏବେ ବିସିସିଆଇ ଅଧିକାରୀ ମଧ୍ୟ ସମାନ କଥା କହିଛନ୍ତି । ରାଜୀବ ଶୁକ୍ଲା କହିଛନ୍ତି ଯେ ବିସିସିଆଇ, ଆଇସିସିର ବିବୃତ୍ତି ସହିତ ସହମତ ଏବଂ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ସହିତ କଥା ନହେବା ପର୍ଯ୍ୟନ୍ତ ନିଜର ମତାମତ ସାର୍ବଜନୀନ କରିବ ନାହିଁ ।

ଶୁକ୍ଲା ସୋମବାର କହିଛନ୍ତି, "ଆଇସିସି ଏହି ବିଷୟରେ ଏକ ବଡ଼ ବିବୃତ୍ତି ଜାରି କରିଛି । ଆମେ ଆଇସିସି ସହିତ ସମ୍ପୂର୍ଣ୍ଣ ସହମତ । ଆଇସିସି ସହିତ କଥା ନହେବା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ କୌଣସି ମନ୍ତବ୍ୟ ଦେବ ନାହିଁ ।"

ବାଂଲାଦେଶରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ଗତ ଡିସେମ୍ବରରେ ମୁସ୍ତାଫିଜୁର ରେହମାନଙ୍କୁ ମୁକ୍ତ କରିବାକୁ କେକେଆରକୁ ବିସିସିଆଇ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଏହି ବିବାଦ ଆରମ୍ଭ ହୋଇଥିଲା । ବାଂଲାଦେଶ ବୋର୍ଡ ସୁରକ୍ଷା ଦୃଷ୍ଟିରୁ ଏହାର ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲା । ବିସିବି, ବିସିସିଆଇ ଏବଂ ଆଇସିସି ମଧ୍ୟରେ ସପ୍ତାହେ ଧରି ଚାଲିଥିବା ଆଲୋଚନା ପରେ ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାଦ ଦିଆଯାଇ ସ୍କଟଲାଣ୍ଡ ସ୍ଥାନିତ କରାଯାଇଥିଲା ।

ଏହି ଘଟଣାରେ ବାହାରେ ଥିବା ପାକିସ୍ତାନ ହଠାତ୍ ଗୋଡ଼ ପୂରାଇଥିଲା । ବାଂଲାଦେଶକୁ ନିଃସର୍ତ୍ତ ସମର୍ଥନ ଘୋଷଣା କରି ଏହି ଘଟଣାରେ ସାମିଲ ହୋଇଗଲା । ଯଦି ଆଇସିସି, ବିସିବିର ଅନୁରୋଧକୁ ଗ୍ରହଣ କରେ ନାହିଁ ତେବେ ପିସିବି ଟୁର୍ଣ୍ଣାମେଣ୍ଟକୁ ବର୍ଜନ କରିବାକୁ ଧମକ ଦେଇଥିଲା । କିଛି ଦିନ ନାଟକ କରିବା ପରେ ପାକିସ୍ତାନ ଟି-୨୦ ବିଶ୍ୱକପରେ ନିଜର ଅଂଶଗ୍ରହଣ ନିଶ୍ଚିତ କରିଥିଲା । କିନ୍ତୁ ରବିବାର (ଫେବ୍ରୁଆରୀ ୧୫) କଲମ୍ବୋରେ ଭାରତ ବିପକ୍ଷ ମ୍ୟାଚ୍ ନଖେଳିବାକୁ ଘୋଷଣା କରିଛି ।

ଯଦି ପାକିସ୍ତାନ କ୍ରିକେଟ୍ ଆଇସିସି ଇଭେଣ୍ଟରେ ଭାରତ ସହ ନଖେଳେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ନିୟମ ଅନୁଯାୟୀ ପ୍ରତିପକ୍ଷ ଦଳକୁ ୱାକଓଭର ଦାବି କରିବା ପାଇଁ ଟସ୍ ପାଇଁ ସ୍ଥାନରେ ଉପସ୍ଥିତ ରହିବାକୁ ପଡିବ । ଯଦି ଏହା ନହୁଏ ଏବଂ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଉପସ୍ଥିତ ନ ରହିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ପିସିବିକୁ ଦଣ୍ଡ ଦେବାର ଅଧିକାର ଆଇସିସି ପାଖରେ ଅଛି ।