ଲପଙ୍ଗାରେ ଆଦିତ୍ୟ ବିର୍ଲା କମ୍ପାନୀର ସଂପ୍ରସାରଣ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହୋଇଛି ୫ ହଜାର ନୂଆ ନିଯୁକ୍ତ ସୁଯୋଗ

NEWS7
brown-sugar-seized-and-one-arrested-in-khurda

ସମ୍ବଲପୁର ୨୭।୧: ପଶ୍ଚିମ ଓଡ଼ିଶାକୁ ଶିଳ୍ପ କରିଡର କରିବାକୁ ରାଜ୍ୟ ସରକାରଙ୍କ ଚିନ୍ତାଧାରାର ପ୍ରତିଫଳନ ସମ୍ବଲପୁରରେ ଦେଖିବାକୁ ମିଳିଛି । ସମ୍ବଲପୁର ଜିଲ୍ଲାର ଲପଙ୍ଗା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିତ୍ୟ ବିର୍ଲା କମ୍ପାନୀର ୨୧ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ସଂପ୍ରସାରଣ ପ୍ରକଳ୍ପ, ୫ ହଜାର କୋଟି ଟଙ୍କାର ଏଫଆରପି ପ୍ଲାଣ୍ଟର ଉଦଘାଟନ ସହ ହଜାରେ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବ୍ୟାଟେରୀ ଫଏଲ କାରଖାନାର ଉଦଘାଟନ କରିଥିଲେ । ପ୍ରାୟ ୨୭ ହଜାର କୋଟି ଟଙ୍କା ବିନିଯୋଗରେ ଆଦିତ୍ୟ ବିର୍ଲା ଗ୍ରୁପର ଭି କାରଖାନା ୫ ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ ବୋଲି କଂପାନୀ ପକ୍ଷରୁ ଓ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇ ଥିଲା ।

ଏହି ସମାରୋହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ, ବିଧାୟକ ଜୟନାରାୟଣ ମିଶ୍ର ଓ ସୁଦର୍ଶନ ହରିପାଲ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଦିତ୍ୟ ବିର୍ଲା ସମେତ ଅନ୍ୟ ଶିଳ୍ପ ସଂସ୍ଥା ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ ବିଧାୟକ ଜୟନାରାୟଣ ମିଶ୍ର ଓ ସୁଦର୍ଶନ ହରିପାଲ ।

ଆଦିତ୍ୟ ବିର୍ଲା ଗ୍ରୁପର ନୂଆ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ଯୋଗଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କଟାକ୍ଷ କରିଥିଲେ । ରାଜସ୍ୱ ମନ୍ତ୍ରୀ ନିଜ ଭାଷଣରେ ଦୁଇ ବିଧାୟକ ସ୍ଥାନୀୟ ନିଯୁକ୍ତିକୁ ନେଇ ଉଠାଇ ଥିବା ପ୍ରଶ୍ନର ଉତ୍ତର ଦେଇ ଖୁବଶୀଘ୍ର ରାଜ୍ୟରେ ଆସିବ ନୂଆ ବିସ୍ଥାପନ ଓ ଥଇଥାନ ନୀତି ବୋଲି କହି ଶିଳ୍ପାୟନ ଯୋଗୁଁ ବିସ୍ଥାପିତ ଲୋକଙ୍କ ଚାକିରିରେ ରହିବ ପ୍ରଥମ ଅଧିକାର ବୋଲି ରୋକଠୋକ ଶୁଣାଇ ଦେଇଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦ୍ରୁତ ଶିଳ୍ପାୟନ ସହ କ୍ଷୁଦ୍ରଶିଳ୍ପର ବିକାଶ ଦିଗରେ ରାଜ୍ୟ ସରକାର କାମ କରୁଥିବା ଓ ବିକଶିତ ରାଜ୍ୟ ଗଠନ ପାଇଁ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଥିଲେ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପ୍ରଶ୍ନର ଉତ୍ତର ରଖି ଶିଳ୍ପ ସଂସ୍ଥା ମାନେ ସରକାରଙ୍କ ନିୟମ ଅନୁସାରେ ସ୍ଥାନୀୟ ନିଯୁକ୍ତି ଦେବାକୁ ବାଧ୍ୟ ବୋଲି କହି ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡି ହେଲା ବୋଲି କହିଥିଲେ । ସ୍ଥାନୀୟ ଅଞ୍ଚଳର ପାରିପାର୍ଶ୍ବିକ ଉନ୍ନତି ସହ ଅଞ୍ଚଳର ବିକାଶ ମଧ୍ୟ ଗତିଶୀଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।