T20 World Cup: ଟସ୍ ଜିତି ଜିମ୍ବାଓ୍ଵେର ବୋଲିଂ ନିଷ୍ପତ୍ତି, ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ ଭାରତ

NEWS7
british-pm-boris-jonson-say-there-no-place-for-anti-india-sentiment-in-uk

ଚେନ୍ନାଇ: ଟି-୨୦ ବିଶ୍ଵକପ୍ ୨୦୨୬ରେ ସୁପର-୮ରେ ନିଜର ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଜିମ୍ବାଓ୍ଵେକୁ ଭେଟିବ ଭାରତ। ଏହି ମ୍ୟାଚ୍ ଦୁଇ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଭାରତ ହାରିଲେ ବିଶ୍ଵକପରୁ ବିଦା ହେବ। ଜିତିଲେ ଟୁର୍ଣ୍ଣାମେଣ୍ଟରେ ତିଷ୍ଠିବ ଦଳ। ମ୍ୟାଚରେ ଟସ୍ ଜିତି ଜିମ୍ବାଓ୍ଵେ ଅଧିନାୟକ ସିକନ୍ଦର ରଜା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ଭାରତ।

ଭାରତୀୟ ଦଳ ଆଜି ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ରିଙ୍କୁ ସିଂଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଓ୍ଵାଶିଂଟନ ସୁନ୍ଦରଙ୍କୁ ଆଜିର ମ୍ୟାଚରୁ ବାଦ୍ ଦିଆଯାଇ ଉପଅଧିନାୟକ ଅକ୍ଷର ପଟେଲଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ରିଙ୍କୁ ସିଂ ନିଜ ପିତାଙ୍କ ଗୁରୁତର ସ୍ଵାସ୍ଥ୍ୟବସ୍ଥା କାରଣରୁ ଘରକୁ ଫେରିଥିଲେ। ଆଜିର ମ୍ୟାଚରେ ସଞ୍ଜୁ ସାମସନ ଓପନିଂ କରିବା ସହ ଓ୍ଵିକେଟ୍ କିପିଂ ଦାୟିତ୍ଵ ସମ୍ଭାଳିବେ।

ସେମି ଫାଇନାଲ ରେସରେ ଜୀବିତ ରହିବାକୁ ହେଲେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ । ଜିମ୍ବାଓ୍ୱେ ପାଇଁ ମଧ୍ୟ ସମାନ ଭାବେ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଦିଗରେ ଭାରତ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଅନ୍ୟ ଦିଗରେ ଓ୍ୱେଷ୍ଟ୍ ଇଣ୍ଡିଜଠୁ ମାତ୍ ଖାଇଛି ଜିମ୍ବାଓ୍ୱେ । ତେଣୁ ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି ।

ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆକୁ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବାକୁ ହେଲେ ପ୍ରଥମେ ବ୍ୟାଟିଂ କରିବାକୁ ହେବ । ଏହାସହ ଜିମ୍ବାଓ୍ୱେକୁ ୧୦୦ରୁ ଅଧିକ ରନରେ ପରାସ୍ତ କରିବାକୁ ପଡିବ । ଯାହା ଦ୍ୱାରା ଦଳର ବିଗିଡିଥିବା ରନ୍ ରେଟରେ ସୁଧାର ଆସିବ ।

ଭାରତ

ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅଭିଷେକ ଶର୍ମା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ୍, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା। ​​​​​​​