LIVE TV

ଆଗକୁ ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ: ସବୁ ମିଶିଯିବେ, କେବଳ ରହିବେ ଏହି ୫ ବ୍ୟାଙ୍କ!, କାହିଁକି ଏମିତି କରୁଛନ୍ତି ସରକାର ?

NEWS7
british-pm-boris-johnsons-fiancee-gives-birth-a-baby-boy

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଫୋକସରେ ବର୍ତ୍ତମାନ ବିକଶିତ ଭାରତ। ଏଥିପାଇଁ ବିଭିନ୍ନ ଦିଗରେ ଅନେକ ଯୋଜନା, ଅନେକ ସଂଶୋଧନ କରାଯାଉଛି। ଘରୋଇ ପୁଞ୍ଜି ନିବେଶ ସହିତ ବିଦେଶୀ ପୁଞ୍ଜି ଆକର୍ଷଣ କରିବା ପାଇଁ ନୂଆ ନୂଆ ଅଫର ଘୋଷଣା କରାଯାଉଛି। ଅନ୍ୟ ଦେଶଗୁଡ଼ିକ ସହିତ ବାଣିଜ୍ୟିକ ଡିଲ୍ ବି ହେଉଛି। ହେଲେ କୌଣସି ବଡ଼ ପୁଞ୍ଜି ନିବେଶ ପାଇଁ ଅର୍ଥର ଆବଶ୍ୟକତା ବି ତ ଦରକାର। ଏଥିପାଇଁ କେନ୍ଦ୍ର ସରକାର ଦେଶରେ ବ୍ୟାଙ୍କ ଗୁଡ଼ିକୁ ମିଶ୍ରଣ କରି ଗ୍ଲାବୋଲ ବ୍ୟାଙ୍କ ତିଆରି କରିବାରେ ଲାଗିପଡ଼ିଛନ୍ତି। ନିକଟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରର ମିଶ୍ରଣ ପାଇଁ ବିଚାର ଚାଲିଛି। ଏହାର ଏକ ବଡ଼ ମହତ୍ୱ ଉଦ୍ଦେଶ୍ୟ ବି ରହିଛି। ଯାହା ଆଜିର ଆଲୋଚନାର ମୁଖ୍ୟ ବିଷୟ।
ବିଜନେଶ ବିଶେଷରେ ପଢନ୍ତୁ ରିପୋର୍ଟ ଗ୍ଲୋବାଲ ବ୍ୟାଙ୍କ୍ ଦୌଡ଼ରେ ଭାରତ

ଭାରତ ଏବେ ବିଶ୍ୱସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆଗକୁ ବଢ଼ୁଛି। ଉଦ୍ଦେଶ୍ୟ ରହିଛି ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା, ଯାହା ଇନଫ୍ରାଷ୍ଟକଚର, ମ୍ୟାନୁଫାକଚରିଂ ଏବଂ ଟେକ୍ନୋଲୋଜି ଭଳି ବୃହତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ବଡ଼ ଆକାରରେ ଋଣ ଦେଇପାରିବ। ଆଉ ଏହି ଉଦ୍ଦେଶ୍ୟର ଏକ ଅଂଶ ହେଉଛି ଦେଶର ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ (PSBs)ର ମିଶ୍ରଣ। ଏହି ଯୋଜନା କେବଳ ଯେ, ଭାରତୀୟ ବ୍ୟାଙ୍କଗୁଡ଼ିକୁ ବିଶ୍ୱର ସର୍ବବୃହତ୍ ଆର୍ଥିକ ପ୍ରତିଷ୍ଠାନର ସମକକ୍ଷ କରିବ ତାହା ନୁହେଁ ବରଂ ଏହା ବିକଶିତ ଭାରତ ୨୦୪୭ର ଲକ୍ଷ୍ୟକୁ ମଧ୍ୟ ପୂରଣ କରିବାରେ ବଡ଼ ଭୂମିକା ନିର୍ବାହ କରିବ।

ପ୍ରକୃତରେ ବିଶ୍ୱର ଶ୍ରେଷ୍ଠ ୨୦ ବ୍ୟାଙ୍କ ତାଲିକାରେ ଭାରତର କୌଣସି ବ୍ୟାଙ୍କର ନାଁ ନାହିଁ। ତେଣୁ ଅତି କମରେ ଏହି ଲିଷ୍ଟରେ ଭାରତର ୨ ବିଶ୍ୱସ୍ତରୀୟ ବ୍ୟାଙ୍କ ରହୁ ବୋଲି ସରକାର ଯୋଜନା କରୁଛନ୍ତି। କାରଣ ବିକଶିତ ଭାରତ ୨୦୪୭ର ରୋଡମ୍ୟାପ୍ ଏଭଳି ଏକ ଅର୍ଥନୀତିର କଳ୍ପନା କରେ, ଯାହା ଦେଶର ବିକାଶ ପାଇଁ ନିଜେ ପାଣ୍ଠି ଯୋଗାଇପାରିବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ବ୍ୟାଙ୍କିଂ ସିଷ୍ଟମ ଏତେ ମଜଭୁତ ହେବା ଦରକାର, ଯେପରି ଗ୍ରୀନ ଏନର୍ଜି, ସ୍ମାର୍ଟ ସିଟି ଏବଂ ଆଡଭାନ୍ସ ମାନୁଫ୍ୟାକଚରିଂ ଭଳି ସେକ୍ଟର ପାଇଁ ବଡ଼ ଆକାରର ଲୋନ ଦେଇପାରିବ।


ନଭେମ୍ବର ୬ ତାରିଖରେ SBIର ଏକ କନକ୍ଲେଭରେ ଯୋଗ ଦେଇ ଭାରତର ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକର ଦ୍ୱତୀୟ ପର୍ଯ୍ୟାୟ ମିଶ୍ରଣ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂକେତ ଦେଇଥିଲେ। ଦେଶକୁ ଅନେକ ବଡ଼, ବିଶ୍ୱସ୍ତରୀୟ ବ୍ୟାଙ୍କର ଆବଶ୍ୟକତା ଅଛି। ଆମକୁ ଆର୍‌ବିଆଇ ଓ ବ୍ୟାଙ୍କଗୁଡ଼ିକ ସହିତ ବସି ଆଲୋଚନା କରିବାକୁ ପଡିବ ବୋଲି ମନ୍ତ୍ରୀ କହିଥିଲେ। ତେବେ ପୂର୍ବରୁ ବି କିଛି ବ୍ୟାଙ୍କର ମିଶ୍ରଣ କରାଯାଇ ସାରିଛି। ହେଲେ ଏଥର ଯେଉଁ ମିଶ୍ରଣ କରାଯିବ ତା ପଛରେ ଏକ ବଡ଼ ଉଦ୍ଦେଶ୍ୟ ଲୁଚି ରହିଛି। ସେ ଉଦ୍ଦେଶ୍ୟ କଣ ଆଗକୁ ପଢ଼ନ୍ତୁ।

ଭାରତର ବ୍ୟାଙ୍କିଂ ବ୍ୟବସ୍ଥା ଦୀର୍ଘ ବର୍ଷରୁ ଖଣ୍ଡବିଖଣ୍ଡିତ ହୋଇ ରହିଆସିଛି। ଅନେକ ସରକାରୀ ବ୍ୟାଙ୍କ ବିଭିନ୍ନ ସ୍ତରରେ ସମାନ ପ୍ରକାରର ସୁବିଧା ଯୋଗାଇ ଆସୁଥିଲେ। ହେଲେ କିଛି ବ୍ୟାଙ୍କ ଦୁର୍ବଳ ପ୍ରଦର୍ଶନ କରୁଥିବାରୁ ସେମାନଙ୍କୁ ମଜଭୁତ ବ୍ୟାଙ୍କ ସହିତ ମିଶାଇ ଦିଆଯାଇଥିଲା। ଫଳରେ ସେମାନଙ୍କ ସ୍ଥିତିରେ ସୁଧାର ଆସିଥିଲା।

ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକର ମିଶ୍ରଣର ପ୍ରଥମ ପର୍ଯ୍ୟାୟ ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିଲା। ଅଗଷ୍ଟ ୨୦୧୯ରେ, ସରକାର ୪ଟି ବଡ଼ ସରକାରୀ ବ୍ୟାଙ୍କର ମିଶ୍ରଣ ଘୋଷଣା କରିଥିଲେ। ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରାଇ ପାଞ୍ଚଟି ବ୍ୟାଙ୍କ ଗଠନ କରାଯାଇଥିଲା। ଫଳରେ ପବ୍ଲିକ ସେକ୍ଟର ବ୍ୟାଙ୍କ ସଂଖ୍ୟା ପୂର୍ବରୁ ଥିବା ୨୭ ରୁ ହ୍ରାସ ପାଇ ମାତ୍ର ୧୨ ହୋଇଯାଇଥିଲା। ଏହି ମିଶ୍ରଣ ୨୦୨୦ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଥିଲା।

ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସକୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହିତ ବିଲୟ କରାଯାଇଥିଲା। ସେହିପରି ସିଣ୍ଡିକେଟ୍ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ ଏବଂ ଆଲ୍ଲାହାବାଦ ବ୍ୟାଙ୍କକୁ ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଥିଲା। ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ମିଶ୍ରଣ କରିଥିଲେ ସରକାର। ତେବେ ତା ପୂର୍ବରୁ ୨୦୧୯ ରେ, ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ବରୋଦାରେ ମିଶାଇ ଦିଆଯାଇଥିଲା।

ଏହାର ଲକ୍ଷ୍ୟ ଥିଲା ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା ଯାହାର ବାଲନ୍ସ ସିଟ୍ ମଜଭୁତ ହେବ ସହ ଏହା ଅଧକ ଲୋକଙ୍କୁ ସେବା ଦେଇପାରିବ। ଏହି ପଦକ୍ଷେପ ଦ୍ବାରା ବ୍ୟାଙ୍କର ଦକ୍ଷତା ସାମାନ୍ୟ ବୃଦ୍ଧି ହୋଇଥିଲା। ଏହା ସହ ଅନେକ ଛୋଟ ବ୍ୟାଙ୍କ ଭଲ ସ୍ଥିତିକୁ ଆସିଥିଲେ। ତଥାପି, ଏହି ସଂସ୍କାର ପରେ ମଧ୍ୟ ଭାରତ ବିଶ୍ୱ ବ୍ୟାଙ୍କିଂ ରାଙ୍କିଂରେ ଉଲ୍ଲେଖନୀୟ ଭାବରେ ଅଭିବୃଦ୍ଧି କରିପାରିନଥିଲା।

ସେହି ମିଶ୍ରଣ ପରଠାରୁ ଭାରତରେ ବର୍ତ୍ତମାନ ମୋଟ ୧୨ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ବା ପିଏସ୍‌ବି କାର୍ଯ୍ୟ ଜାରି ରଖିଛନ୍ତି। କିନ୍ତୁ ସମ୍ପତ୍ତି ଅନୁସାରେ ବିଶ୍ୱ ବ୍ୟାଙ୍କର ଶ୍ରେଷ୍ଠ ୫୦ ତାଲିକାରେ ଭାରତର କେବଳ ଗୋଟିଏ ପିଏସ୍‌ବି ସ୍ଥାନ ପାଇଛି। ତାହା ହେଲା ଏସ୍‌ବିଆଇ। S&P ରାଙ୍କିଂ ଅନୁସାରେ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୪୩ତମ ସ୍ଥାନ ଓ HDFC ବ୍ୟାଙ୍କ ୭୩ତମ ସ୍ଥାନ ସହ ଶ୍ରେଷ୍ଠ ୧୦୦ ବିଶ୍ୱ ବ୍ୟାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ବିଶ୍ୱସ୍ତରୀୟ ବ୍ୟାଙ୍କ ତାଲିକାରେ ଶ୍ରେଷ୍ଠ ରେ ଚୀନର ବ୍ୟାଙ୍କ ରହିଥିବା ବେଳେ ଶୀର୍ଷ ୨୦ ଭିତରେ  ଚୀନ୍‌ର ୭ଟି ବ୍ୟାଙ୍କ ରହିଛି।

ଭାରତରେ ଥିବା ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୋଟ ସମ୍ପତ୍ତି ସମ୍ପତ୍ତି ମାର୍ଚ୍ଚ ସୁଦ୍ଧା ୧୭୧ ଟ୍ରିଲିୟନ ଟଙ୍କା ବା (୧.୯୫ ଟ୍ରିଲିୟନ ଡଲାର) ରହିଛି। ଯାହା ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ୫୫% ପ୍ରତିନିଧିତ୍ୱ ଅଶଂ ରଖୁଛି। ଏମାନଙ୍କର ମିଳିତ ବାଲାନ୍ସ ସିଟ୍ ବିଶ୍ୱର ୧୫ ତମ ସ୍ଥାନରେ ଥିବା ଆମେରିକାର ଫାଇନାନ୍ସିଆଲ କମ୍ପାନୀ ୱେଲ୍ସ ଫାର୍ଗୋର ସମ୍ପତ୍ତି ସହ ସମାନ ନୁହେଁ। ତେଣୁ ବ୍ୟାଙ୍କ ସ୍ଥିତି ମଜଭୁତ କରିବା ପାଇଁ ସରକାର ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ କରିବାକୁ ଯୋଜନା କରୁଛନ୍ତି। କୁହାଯାଉଛି ଏଥର ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଭଳି ଶକ୍ତିଶାଳୀ ମଧ୍ୟମ ଆକାରର ସରକାରୀ ବ୍ୟାଙ୍କଗୁଡ଼ିକୁ ମିଶ୍ରଣ ହୋଇପାରେ। ହେଲେ ଏଥର ଦୁର୍ବଳ ବ୍ୟାଙ୍କର ପୁନରୁଦ୍ଧାର ନୁହେଁ ବରଂ ଭାରତର ବ୍ୟାଙ୍କିଙ୍ଗ ସିଷ୍ଟମକୁ ମଜଭୁତ କରି ବିଶ୍ୱସ୍ତରୀୟ କରାଇବା ଏହାର ମୂଳ ଲକ୍ଷ୍ୟ ରହିଛି।

ବର୍ତ୍ତମାନ ଭାରତରେ ଯେଉଁ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକ ପରିଚାଳିତ ହେଉଛନ୍ତି,ସେଗୁଡ଼ିକ ନିୟମ ଅନୁସାରେ ଠିକ୍‌ଠାକ୍ କାର୍ଯ୍ୟ ଜାରି ରଖିଛନ୍ତି। ଏସବୁ ସତ୍ତ୍ୱେ ବି ସରକାର କାହିଁକି ଗ୍ଲୋବାଲ ବ୍ୟାଙ୍କ ପଛରେ ଦଉଡ଼ୁଛନ୍ତି? ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି, ଆଉ ଏହା କାହିଁକି ଜରୁରୀ ପଢନ୍ତୁ।  

ବିଶ୍ୱସ୍ତରୀୟ ବ୍ୟାଙ୍କ ରହିବା ଏଥିପାଇଁ ଜରୁରୀ, କାରଣ ଏହାଦ୍ୱାରା ବଡ଼ ପ୍ରକଳ୍ପଗୁଡ଼ିକୁ ପାଣ୍ଠି ମିଳିପାରିବ, ବିପଦ ପରିଚାଳନା ଏବଂ ଅନ୍ତର୍ଜାତୀୟ ବଜାରରୁ କମ୍ ହାରରେ ଟଙ୍କା ଉଠାଇ ହେବ। ଅନେକ ସମୟରେ ବଡ଼ ପୁଞ୍ଜି ନିବେଶ ପାଇଁ ଛୋଟ ବ୍ୟାଙ୍କଗୁଡ଼ିକ ବଡ଼ ଆକାରରେ ଋଣ ଦେବାର ଅକ୍ଷମତା ପ୍ରକାଶ କରନ୍ତି। ବ୍ୟାଙ୍କଗୁଡ଼ିକ ମିଶ୍ରଣ ହୋଇ ବିଶ୍ୱସ୍ତରୀୟ ହେଲେ ଋଣ ଦେବାର ସହଜ ହେବ ଓ କମ ସୁଧ ହାରରେ ଋଣ ମଳିବ। ତେବେ ବର୍ତ୍ତମାନ ଭାରତରେ କୌଣସି ବିଶ୍ୱସ୍ତରୀୟ ବ୍ୟାଙ୍କ ନାହାନ୍ତି। ଯଦିଓ ଏସ୍‌ବିଆଇ ୧୦୦ ଶ୍ରେଷ୍ଠ ବ୍ୟାଙ୍କ ଲିଷ୍ଟରେ ଅଛି, ହେଲେ ଏହାର କ୍ଷମତା ସେଭଳି ନାହିଁ ଯାହା ବିଶ୍ୱସ୍ତରୀୟ ବ୍ୟାଙ୍କ ପାଖରେ ରହିଥାଏ। ପୂର୍ବରୁ ଏସ୍‌ବିଆଇ ୮୪୬ ବିଲିୟନ ଡଲାରର ସମ୍ପତ୍ତି ସହିତ S&P ଗ୍ଲୋବାଲର ୨୦୨୪ ରାଙ୍କିଂରେ ବିଶ୍ୱରେ ୪୩ ତମ ସ୍ଥାନରେ ରହିଥିଲା। ହେଲେ ସଦ୍ୟତମ ରିପୋର୍ଟ ଅନୁସାରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୋଟ ମାର୍କେଟ କ୍ୟାପ୍‌ ୧୦୦ ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି। ଏହି ସଫଳତା ହାସଲ କରିବାରେ ଏସ୍‌ବିଆଇ ପ୍ରଥମ ଭାରତୀୟ ବ୍ୟାଙ୍କ ହୋଇଛି।

ଏନେଇ ବ୍ୟାଙ୍କର ଚେୟାରମ୍ୟାନ ସିଏସ ଶେଟ୍ଟି ଖୁସୀ ବ୍ୟକ୍ତକରିଛନ୍ତି। ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ୨୦୩୦ ସୁଦ୍ଧା ମାର୍କେଟ କ୍ୟାପ୍‌ ଦୃଷ୍ଟିରୁ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟାଙ୍କ ମଧ୍ୟରେ ସ୍ଥାନ ପାଇବ ବୋଲି ଶୁକ୍ରବାର ସେ ସୂଚନା ଦେଇଛନ୍ତି। ଏସ୍‌ବିଆଇ ସହିତ ଅନ୍ୟ ଦୁଇଟି ଘରୋଇ ବ୍ୟାଙ୍କ ମଧ୍ୟ ଟପ୍‌-୧୦ରେ ସ୍ଥାନ ପାଇବ ବୋଲି ଶ୍ରୀ ସେଟ୍ଟୀ କହିଥିଲେ। ହେଲେ ସେ ବ୍ୟାଙ୍କ ଦୁଇଟି ନାଁ ନେଇ ନଥିଲେ।

ବର୍ତ୍ତମାନ ଜାପାନର MUFG ବ୍ୟାଙ୍କ ୨.୬ ଟ୍ରିଲିୟନ ଡଲାରରୁ ଅଧିକ ସମ୍ପତ୍ତି ସହିତ ବିଶ୍ୱର ଶ୍ରେଷ୍ଠ ବ୍ୟାଙ୍କ ତାଲିକାର ୧୦ ନମ୍ବରରେ ରହିଛି। ଏସ୍‌ବିଆଇକୁ ଏହି ସ୍ଥାନରେ ପହଞ୍ଚିବାକୁ ହେଲେ ୩ ଗୁଣା ଗତିରେ ଦୌଡ଼ିବାକୁ ପଡ଼ିବ।
ତେବେ ବିଶେଷଜ୍ଞଙ୍କ ମତରେ ଖାଲି ଗ୍ଲୋବାଲ ବ୍ୟାଙ୍କ ହେବା ଦୌଡ଼ରେ ଏହି ସଂଶୋଧନ କଲେ ଚଳିବନି। ବରଂ ଲାଭ, ଉତ୍ତମ ପରିଚାଳନା ଏବଂ ଗ୍ରାହକ ସେବା ଓ ଟେକ୍ନୋଲୋଜୀର ଉପଯୁକ୍ତ ବ୍ୟବହାର ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଏକ ମିଡିଆ ରିପୋର୍ଟ ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ବ୍ୟାଙ୍କ ମିଶ୍ରଣରେ  ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, (IOB),ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (CBI), ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI), ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (BOM) କୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (PNB), ବ୍ୟାଙ୍କ ଅଫ୍ ବରୋଦା (BOB) ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଭଳି ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇପାରେ। ଯଦି ଏଭଳି ମିଶ୍ରଣ ହୁଏ ତେବେ  ତେବେ ଦେଶରେ ସରକାରୀ ବ୍ୟାଙ୍କ ସଂଖ୍ୟା ହ୍ରାସ ପାଇବ। ଦେଶରେ କେବଳ ୪ ସରକାରୀ ବ୍ୟାଙ୍କ ରହିବ। ଏହି ମେଗା ମିଶ୍ରଣ ପରେ, ଭାରତରେ SBI, PNB, BoB ଏବଂ କାନାରା ବ୍ୟାଙ୍କ ରହିପାରେ। ତେବେ ବ୍ୟାଙ୍କର ମିଶ୍ରଣ ନେଇ ଏପର୍ଯ୍ୟନ୍ତ ଆର୍‌ବିଆଇ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।