ପୋଲିସର ହସ୍ତକ୍ଷେପ ପରେ ତୁଟିଲା ବିବାଦ, ସରକାରୀ ଜାଗାରେ ଦିଆଯିବ କବର

NEWS7
brave-youth-subrat-felicitated-by-commissionerate-police

ଜଳେଶ୍ୱର ୦୯/୦୧: ଶେଷରେ ତୁଟିଲା ବିବାଦ । ଦୀର୍ଘ ୫୦ ଘଣ୍ଟା ପରେ ଉଠିଲା ଛୋଟା ହାଁସଦାଙ୍କ ଶବ । ସରକାରୀ ଜାଗାରେ କବର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଶବ ପୋଡାଯିବ ନା ପୋତା ଯିବ ସେନେଇ ପରିବାର ଲୋକ ଏବଂ ଗ୍ରାମବାସୀ ମଧ୍ୟରେ ଚାଲିଥିଲା ଟଣାଓଟରା । ଶେଷରେ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ଓ ସ୍ଥାୟୀ ସମସ୍ୟା ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ହେଲା ସମାଧାନ ।

ମୃତ୍ୟୁ ପରେ ହୋଇପାରୁନଥିଲା ଅନ୍ତିମ ସଂସ୍କାର । ୩ ଦିନ ଧରି ପଡିରହିଥିଲା ମୃତଦେହ। କାରଣ ପୁଅର ଧର୍ମ ପରିବର୍ତ୍ତନ ବାପା ପାଇଁ ସାଜିଥିଲା କାଳ । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ରଙ୍ଗାମାଠିଆ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗାଁର ଛୁଟା ହାଁସଦାଙ୍କର ଗତ ବୁଧବାର ଦିନ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିଲା । ସେ ପାରମ୍ପରିକ ଆଦିବାସୀ ସଂପ୍ରଦାୟର ହୋଇ ମଧ୍ୟ ୧୫ ବର୍ଷରୁ ଅଧିକ ବର୍ଷ ହେବ ନିଜର ଧର୍ମ ପରିବର୍ତ୍ତନ କରି ଖୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି ।

ଆଦିବାସୀ ପରମ୍ପରାର ବିଧି ବିଧାନ କ୍ଷୁର୍ଣ୍ଣ ହେବାରୁ ଗ୍ରାମବାସୀ ମାନେ ଗାଁ ମଶାଣିରେ ଶବ ସତ୍କାର କରିବାକୁ ବାରଣ କରିଥିଲେ । ମୃତକ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବାରୁ ନିୟମ ଅନୁସାରେ ନିଜ ବାଡ଼ିରେ ପୋତିବା ପାଇଁ ପୁଅ କହୁଥିଲେ । କିନ୍ତୁ ଗ୍ରାମବାସୀ ଆଦିବାସୀ ସମ୍ପ୍ରଦାୟ ନିୟମରେ ପୋଡିବା ପାଇଁ ଜିଦ୍ ଧରିଥିଲେ । ଫଳରେ ୩ ଦିନ ଧରି ମୃତଦେହ ଘରେ ପଡ଼ି ରହିଥିଲା । ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ଟଣାଓଟରା ଯୋଗୁଁ ପଡି ରହିଥିଲା ମୃତଦେହ । ଏବେ ବିବାଦର ହୋଇଛି ସମାଧାନ ।