Live Live
LIVE

ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ, ୧୦୮୫ କୋଟି ଠକେଇ ଅଭିଯୋଗରେ ନୂଆ ମାମଲା ରୁଜୁ

NEWS7
boy-taking-home-a-transgender-bride-full-story-here

ନୂଆଦିଲ୍ଲୀ: ବଢ଼ିଲା ଅନିଲ ଅମ୍ବାନୀଙ୍କ ସମସ୍ୟା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ଅଭିଯୋଗ ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିବିଆଇ ଅନିଲ ଅମ୍ବାନୀ, ତାଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ (RCom) ଏବଂ ପୂର୍ବତନ ନିର୍ଦ୍ଦେଶକ ମଞ୍ଜରୀ ଅଶୋକ କକ୍କରଙ୍କ ବିରୋଧରେ ୧,୦୮୫ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଠକେଇ ମାମଲାରେ ଏକ ଅପରାଧିକ ମାମଲା ରୁଜୁ କରିଛି।

ମାମଲାଟି ୨୦୧୩ରୁ ୨୦୧୭ର। ଅଭିଯୋଗ ଅନୁସାରେ, ଏହି ସମୟ ମଧ୍ୟରେ ଦୁଇଟି ପ୍ରମୁଖ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ସହିତ ବଡ଼ ଧରଣର ଠକେଇ ହୋଇଥିଲା। ମୁମ୍ବାଇରେ PNBର ଷ୍ଟ୍ରେସଡ୍ ଆସେଟ୍ସ ମ୍ୟାନେଜମେଣ୍ଟ ଶାଖାର ମୁଖ୍ୟ ପରିଚାଳକ ସନ୍ତୋଷକୃଷ୍ଣ ଅନ୍ନାବରାପୁ ମାର୍ଚ୍ଚ ୫ ତାରିଖରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲେ।

ସଂଖ୍ୟା ଉପରେ ନଜର ପକାଇଲେ ଏହି ଘୋଟାଲା ଯୋଗୁ ବ୍ୟାଙ୍କର ୬୨୧.୩୯ କୋଟି ଟଙ୍କା କ୍ଷତି ହୋଇଛି। ସେହିଭଳି ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୪୬୩.୮୦ କୋଟି ଟଙ୍କାର କ୍ଷତି ହୋଇଛି। ଏହାକୁ ମିଶାଇଲେ ସମୁଦାୟ ୧,୦୮୫.୧୯ ଟଙ୍କା କ୍ଷତି ହୋଇଛି।

ଅଡିଟ୍ ରିପୋର୍ଟରେ ସାମ୍ନାକୁ ଆସିଲା ତଥ୍ୟ

ସିବିଆଇର ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ରିଲାଏନ୍ସ କମ୍ୟୁନିକେସନ ପାଇଁ ଏକ ବଡ଼ ଆକାରରେ ଋଣ ପାଇଁ ଷଡ଼ଯନ୍ତ୍ର କରିଥିଲେ। ଆଉ ଋଣ ମଞ୍ଜୁର ହେବା ପରେ ଋଣ ସର୍ତ୍ତାବଳୀକୁ ଅଣଦେଖା କରାଯାଇଥିବା ସନ୍ଦେହ କରୁଛି ସିବିଆଇ। ତଦନ୍ତକାରୀ ସଂସ୍ଥା କହିଛି ଋଣ ଯେଉଁ ଉଦ୍ଦେଶ୍ୟରେ ନିଆଯାଇଥିଲା ସେଥିପାଇଁ ବ୍ୟବହାର କରାଯାଇନଥିଲା। ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା

ଆଉ ଏହା ପରେ ବ୍ୟାଙ୍କ କିସ୍ତି ପୈଠ ନହେବାରୁ ୨୦୧୭ରେ NPA ଘୋଷଣା କରାଯାଇଥିଲା ଏବଂ ଏହାର ଅଧିକ ତଦନ୍ତ ପାଇଁ ବ୍ୟାଙ୍କଗୁଡ଼ିକ BDO India LLP ଦ୍ୱାରା ଏକ ଫୋରେନସିକ୍ ଅଡିଟ୍ କରିଥିଲେ। ଫେବୃଆରୀ ୨୦୨୧ରେ ପ୍ରକାଶିତ ଏହି ଅଡିଟ୍ ରିପୋର୍ଟରେ ବ୍ୟାଙ୍କ ପାଣ୍ଠିର ଅନ୍ୟତ୍ର ସ୍ଥାନାନ୍ତର ଏବଂ ସମ୍ପୃକ୍ତ ପକ୍ଷଙ୍କ ସହିତ ସନ୍ଦେହଜନକ କାରବାର ବିଷୟରେ ଜଣାପଡ଼ିଥିଲା। ପରେ ଏହି ଆକାଉଣ୍ଟଗୁଡ଼ିକୁ ଆନୁଷ୍ଠାନିକ ଭାବରେ ଠକେଇ ଭାବରେ ବର୍ଗୀକୃତ କରାଯାଇଥିଲା।

ତେବେ ପିଏନବିର ଅଭିଯୋଗ ଆଧାରରେ ସିବିଆଇ ଭାରତୀୟ ନ୍ୟାୟ ସଂହିତାର ଧାରା 120B (ଅପରାଧିକ ଷଡ଼ଯନ୍ତ୍ର) ଏବଂ 420 (ଠକେଇ) ସହିତ ଦୁର୍ନୀତି ନିବାରଣ ଆଇନର ବ୍ୟବସ୍ଥା ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଏଫଆଇଆରରେ ଅଜ୍ଞାତ ବ୍ୟକ୍ତି ଏବଂ ଅଜ୍ଞାତ ସରକାରୀ ଅଧିକାରୀଙ୍କ ନାମ ମଧ୍ୟ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।