LIVE TV

ହାତୀ ଆକ୍ରମଣରେ ମହିଳା ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ଦୁଇ ଝିଅ

NEWS7
block-office-locked-in-karanjia

ଢେଙ୍କାନାଳ: ହାତୀ ଆକ୍ରମଣରେ ମହିଳା ମୃତ। ଅଳ୍ପକେ ବର୍ତ୍ତିଲେ ମହିଳାଙ୍କ ସ୍ୱାମୀ ଓ ଦୁଇ ଝିଅ। ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ କପିଳାସ ବନାଞ୍ଚଳ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗ୍ରାମରେ । ହାତୀ ଆକ୍ରମଣରେ ମୃତ ମହିଳା ମହୁଲଖୋଳି ଗ୍ରାମର ବେଣୁଧର ନାଏକଙ୍କର ପତ୍ନୀ ସୁଭଦ୍ରା ନାଏକ (୬୫)। ହାତୀ ହାବୁଡ଼ରୁ ସ୍ୱାମୀ ବେଣୁଧର ଓ ତାଙ୍କ ଦୁଇ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ, ଗଁଦିଆ ଥାନା ଅନ୍ତର୍ଗତ ମହୁଲଖୋଳି ଗ୍ରାମର ସୁଭଦ୍ରା ନାଏକ ସ୍ୱାମୀ ବେଣୁଧରଙ୍କ ସହିତ ଢେଙ୍କାନାଳ ସହରରୁ କାମ ସାରି ନିଜର ଘରକୁ ଫେରୁଥିଲେ। ଦେଓଗାଁ ଛକଠାରେ ଗାଡ଼ିରୁ ଓହ୍ଲାଇ ନିଜର ସ୍ୱାମୀ ଓ ଦୁଇ ଝିଅଙ୍କ ସହିତ ନିଜ ଗାଁ ମହୁଲଖୋଳିକୁ ଫେରୁଥିଲେ।

ତେବେ କିଛି ବାଟ ଆସିବା ପରେ ଗାଁ ପାଖରେ ଥିବା କାଜୁ ଜଙ୍ଗଲରେ ଲୁଚିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ୪ ଜଣ। ବେଣୁଧର ଓ ଗୋଟିଏ ଝିଅ ଦୌଡ଼ି ପଳାଇଥିବାବେଳେ ଅନ୍ୟ ଏକ ଝିଅ ବୁଦା ଭିତରେ ଲୁଚି ଯାଇଥିଲା।

ହେଲେ ସୁଭଦ୍ରା ଯାଇନପାରି ହାତୀ ହାବୁଡ଼ରେ ପଡିଯାଇଥିଲେ। ଆଉ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ତଳେ କଚାଡ଼ି ଦେଇଥିଲା। ଏଥିରେ ଗୁରୁତର ଭାବରେ ଆହତ ହୋଇଥିଲେ ସୁଭଦ୍ରା। ତେବେ ଖବରପାଇ ଘଟଣାସ୍ଥଳରେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ପହଁଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି।