LIVE TV

ଔଷଧ ଓ ପ୍ରସାଧନ ସାମଗ୍ରୀର ମାନ ଯାଞ୍ଚ ପାଇଁ ନୂଆ ନିୟମ ଆଣିବାକୁ ସରକାରଙ୍କ ଯୋଜନା, ସଂସଦର ଶୀତ ଅଧିବେଶନରେ ଆଗତ ହେବ ବିଲ୍‌

NEWS7
bjp-mla-reach-assembly-playing-damru-demand-to-open-baidyanath-dham

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଫ୍ ସିରପ୍ ବ୍ୟବହାର କରି ଏକାଧିକ ଶିଶୁଙ୍କ ମୃତ୍ୟୁ ସାରା ଦେଶକୁ ମର୍ମାହତ କରିଛି। ଏହାକୁ ନେଇ ରାଜନୀତିକ ବୟାନବାଜି ସହ ବିରୋଧ ଦେଖିବାକୁ ମିଳିଛି। ଏକଥା ମଧ୍ୟ ଉଠିଛି ଯେ, ଭାରତୀୟ ଔଷଧ ନିର୍ମାତାମାନେ ଠିକ୍ ଭାବେ ନିୟମ ପାଳନ କରୁନାହାନ୍ତି। ଏମିତିରେ ଔଷଧ ସୁରକ୍ଷା ଓ ମାନକ ଯାଞ୍ଚକୁ ନେଇ ସମଗ୍ର ଦେଶରେ ବଢୁଥିବା ଦାବି ମଧ୍ୟରେ ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଔଷଧ, ମେଡିକାଲ ଡତ୍ପାଦ ଓ ପ୍ରସାଧନ ଅଧିନିୟମ ୨୦୨୫”ବିଲ୍ ଆଣିବାକୁ ଯୋଜନା କରୁଛନ୍ତି।

ରିପୋର୍ଟ ଅନୁସାରେ ବିଲ୍‌ରେ ଏସବୁ ଉତ୍ପାଦର ମାନ ପରୀକ୍ଷଣ, ବଜାର ନିରୀକ୍ଷଣ ସହ ଜଡ଼ିତ ନୂଆ ନିୟମ ବିଷୟରେ କୁହାଯାଇଛି। ଆସନ୍ତା ଶୀତ ଅଧିବେଶନରେ ସରକାର ଏହି ବିଲ୍ ଆଗତ କରିବାକୁ ଯୋଜନା ରଖିଛନ୍ତି। ଏନେଇ ଭାରତୀୟ ଔଷଧ ନିୟାମକ (DCGI)ର ମୁଖ୍ୟ ଡାକ୍ତର ରାଜୀବ ରଘୁବଂଶୀ ଗତ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ଡିସିଜିଆଇ ସମେତ କେନ୍ଦ୍ରୀୟ ଔଷଧମାନକ ନିୟନ୍ତ୍ରଣ ସଂଗଠନ ବା CDSCOର ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ନୂଆ ନିୟମର ସଠିକ କାର୍ଯ୍ୟକାରିତା ଉପରେ ଏହି ବୈଠକରେ ଆଲୋଚନା ହୋଇଛି।

ଏହି ବିଲ୍ ପାରିତ ହେଲେ, CDSCOକୁ ସମସ୍ତ ଔଷଧ, ମେଡିକାଲ ଉତ୍ପାଦ ଓ ପ୍ରସାଧନ ସାମଗ୍ରୀର ଯାଞ୍ଚ ପାଇଁ କ୍ଷମତା ମିଳିଯିବ, ତା ସହିତ ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ବି ନେଇପାରିବ। ସେହିପରି ଔଷଧ ଓ ପ୍ରସାଧନ ସାମଗ୍ରୀ ରପ୍ତାନୀର ଯାଞ୍ଚ କରିପାରିବ। ଏଥିସହିତ ଲାଇସେନ୍ସ ପ୍ରକ୍ରିୟାକୁ ଡିଜିଟାଲାଇଜ୍ କରିବା, ରାଜ୍ୟସ୍ତରୀୟ ନିୟାମକଙ୍କ ମଧ୍ୟରେ ଉତ୍ତମ ତାଳମେଳ ଓ ଟେଷ୍ଟିଂ ଲ୍ୟାବ କ୍ଷମତାକୁ ବଢ଼ାଇବା ଭଳି ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବ। ବର୍ତ୍ତମାନ ଦେଶରେ କାର୍ଯ୍ୟ କରୁଥିବା ଔଷଧ ଓ ପ୍ରସାଧନ ଅଧିନିୟମ ୧୯୪୦କୁ ହଟାଇ ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରାଯିବ। ଏହାସହ ଏହି ନିୟମକୁ ଆନ୍ତର୍ଜାତୀୟ ମାନଦଣ୍ଡ ଆଧାରରେ ପ୍ରସ୍ତୁତ କରାଯାଉଛି।

CDSCO ପକ୍ଷରୁ ଜାରି ୨୦୨୩-୨୪ର ରିପୋର୍ଟ ଅନୁସାରେ, ଚଳିତ ବର୍ଷ ପରୀକ୍ଷା କରାଯାଇଥିବା ପ୍ରାୟ ୫୫୦୦ ଔଷଧର ନମୁନାରୁ ୩.୨ ପ୍ରତିଶତ ନିମ୍ନମାନର ତଥା ନକଲି ଥିଲା। ରିପୋର୍ଟ ଅନୁସାରେ ଏହି କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ ୪୦ରୁ ଅଧିକ ଔଷଧ କମ୍ପାନି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ମଧ୍ୟ ହୋଇଛନ୍ତି।