ବ୍ୟାଟିଂ ପୂର୍ବରୁ କ'ଣ ଭାବୁଥିଲେ ଇଶାନ ? ଜିତିବା ପରେ କହିଦେଲେ ସିକ୍ରେଟ୍

NEWS7
bjp-membership-abhiyan-will-start-from-6th-july

କଲମ୍ବୋ, ୧୬/୦୨ : କଲମ୍ବୋରେ ଦମଦାର୍ ବିଜୟ ହାସଲ କରିଛି ଭାରତ । ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ୍ ମୁକାବିଲାରେ ଦଳ ବିଜୟୀ ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ସୂର୍ଯ୍ୟ ସେନା । ପାକିସ୍ତାନ ବୋଲରଙ୍କୁ ଖୁବ୍ ପ୍ରହାର କରିଥିଲେ ଓପନର ଇଶାନ କିଷାନ । ଫଳରେ ଦଳ ୧୭୫ ରନ୍ କରିପାରିଥିଲେ । ହେଲେ ପାକିସ୍ତାନର ବ୍ୟାଟିଂ ଲାଇନ୍ ଅପ୍ ତାସ୍ ଘର ଭଳି ଭୁଶୁଡି ପଡିଥିଲା ।

ଚର୍ଚ୍ଚାରେ ଥିଲା ଭାରତ ପାକିସ୍ତାନ ମ୍ୟାଚ୍ । ମୁକାବିଲା ପୂର୍ବରୁ ପାକିସ୍ତାନ କରୁଥିଲା ଡ୍ରାମା । ଭାରତ ସହ ଖେଳିବନି ବୋଲି ଜିଦ୍ ଧରିଥିଲା । ହେଲେ ଆଇସିସି ଚାପରେ ମୁଣ୍ଡ ନୁଆଁଇଥିଲା । ଶେଷରେ ଭାରତ ସହ ଫାଇଟ୍ କରିବାକୁ ରାଜି ହୋଇଯାଇଥିଲା । ହେଲେ ଦଳ ସମାନ ଦଶା ଭୋଗିଛି । ସବୁ ଥର ଭଳି ଏଥର ମଧ୍ୟ ପରାସ୍ତ ହୋଇଛି ପାକ୍ ।

ତେବେ ମୁକାବିଲା ଆରମ୍ଭରୁ ଭାରତକୁ ଝଟକା ଲାଗିଥିଲା । ଅଭିଷେକ ଶର୍ମା ବିନା କୌଣସି ରନ୍ ରେ ଆଉଟ୍ ହୋଇଥିଲେ । ପିଚ୍ ଆରମ୍ଭରୁ ବ୍ୟାଟିଂ ଅନୁକୂଳ ନଥିଲା । ହେଲେ ବ୍ୟାଟିଂକୁ ସହଜ କରିଦେଇଥିଲେ ଇଶାନ କିଷାନ । ମ୍ୟାଚ୍ ପରେ ସେ କହିଛନ୍ତି ଯେ, ସେ ନିଜ ଖେଳ ଉପରେ ଫୋକସ କରୁଥିଲେ । କିପରି ସହଜରେ ବ୍ୟାଟିଂ କରିହେବ ସେନେଇ ଅଧିକ ଧ୍ୟାନ ଦେଉଥିଲେ । ଅଫ୍ ସାଇଡରେ ସେ ବେଶି ସଟ୍ ଖେଳିଥିଲେ । ୧୬୦-୧୭୦ ରନ୍ କରିଦେଲେ ଏହା ଭଲ ସ୍କୋର ହେବ ବୋଲି ସେ ବ୍ୟାଟିଂ ଆରମ୍ଭରୁ ଭାବିଥିଲେ । ଏହି ଟାର୍ଗେଟରେ ସେ ବ୍ୟାଟିଂ କରୁଥିଲେ ।

ସେ ଆହୁରି କହିଛନ୍ତି ଯେ, ସାହିନ୍ ଆଫ୍ରିଦି ବୋଲିଂ କରୁଥିବା ବେଳେ ସେ କିଛି ଅନୁଭବ କରୁନଥିଲେ । ବଲ୍ ଭଲ ଆସୁଥିଲା । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବୁମରା ଯେପରି ବୋଲିଂ କଲେ ତାହା ଅବିଶ୍ୱସନୀୟ ଥିଲା । ଭାରତୀୟ ପେସର ଏବଂ ସ୍ପିନର ମ୍ୟାଚ୍ ପୂର୍ବରୁ ଅଭ୍ୟାସ କରିଥିଲେ । ଯାହା ଦ୍ୱାରା ମ୍ୟାଚରେ ପାକ୍ ବ୍ୟାଟରଙ୍କୁ ନିୟନ୍ତ୍ରଣ କରିବା ସହଜ ହୋଇଯାଇଥିଲା ।

ମୁକାବିଲାରେ ଇଶାନ ୪୦ ବଲରୁ ବିସ୍ଫୋରକ ୭୭ ରନ୍ କରିଥିଲେ । ଏଥିରେ ୧୦ ଚଉକା ଏବଂ ତିନି ଛକା ସାମିଲ ଥିଲା । ଏହା ତାଙ୍କର ଅନ୍ତର୍ଜାତୀୟ ଟି୨୦ କ୍ୟାରିଅରରେ ନବମ ଅର୍ଦ୍ଧଶତକ ।