ଫାଷ୍ଟଫୁଡ୍‌ ଖାଇବା ପଡିଲା ମହଙ୍ଗା; ପରସ୍ପର ସହ ଯୋଡି ହୋଇଗଲା ଅନ୍ତଃନଳୀ, ଚିକିତ୍ସାଧୀନ ଅବସ୍ଥାରେ ଗଲା ୧୬ ବର୍ଷର ଛାତ୍ରୀଙ୍କ ଜୀବନ

NEWS7
bjd-leading-in-80-bjp-in-20-and-congress-in-10-in-odisha

ଲକ୍ଷ୍ନୌ ୨୪। ୧୨ : ଫାଷ୍ଟଫୁଡ୍ ନେଲା ଜୀବନ। ଉତ୍ତରପ୍ରଦେଶର ଅମରୋହରେ ଜଣେ ୧୬ ବର୍ଷର ଛାତ୍ରୀ ଅହାନା ଫାଷ୍ଟଫୁଡ୍ ଖାଇ ପ୍ରାଣ ହରାଇଛନ୍ତି । ମାତ୍ରାଧିକ ଚାଉମିନ୍, ମ୍ୟାଗି, ପିଜ୍ଜା, ବର୍ଗର ଆଦି ଖାଇବା ଦ୍ୱାରା ତାଙ୍କ ଅନ୍ତଃନଳୀ ଖରାପ ହୋଇଯାଇଥିଲା । ଅନ୍ତଃନଳୀ ପରସ୍ପର ସହ ଯୋଡ଼ି ହୋଇଯିବା ସହ ମଝିରେ କଣା ମଧ୍ୟ ହୋଇଯାଇଥିଲା । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏହା ପରେ ବି ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରି ନଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ଅହାନାଙ୍କ ମୃତ୍ୟୁ ଘଟିଛି ।

ଅପରେସନ ପରେ ବି ବଞ୍ଚି ପାରିଲେନି

ଅମରୋହା ନଗରର ମୋହଲ୍ଲା ଅଫଗାନାନରେ ରହୁଥିବା ମନ୍ସୁର ଖାନ୍ ଙ୍କ ସବୁଠୁ ସାନ ଝିଅ ହେଉଛନ୍ତି ଅହାନା । ଅହାନଙ୍କ ଜଣେ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ଅହାନା ଫାଷ୍ଟଫୁଡ୍ ଖାଇବାକୁ ଖୁବ୍ ଭଲ ପାଉଥିଲେ । ଯେତେ ଆକଟ କଲେ ବି ସେ ମାନୁ ନଥିଲେ । ଅଧିକାଂଶ ସମୟରେ ସେ ମ୍ୟାଗି, ଚାଉମିନ୍, ପିଜ୍ଜା-ବର୍ଗର ଭଳି ଖାଦ୍ୟ ଖାଉଥିଲେ । ଗତ ନଭେମ୍ବର ୨୮ରେ ଅହାନାଙ୍କ ହଠାତ୍ ଦେହ ଖରାପ ହୋଇଥିଲା । ପେଟରେ ଜୋରରେ ଯନ୍ତ୍ରଣା ହେବାରୁ ତାଙ୍କୁ ନଭେମ୍ବର ୩୦ରେ ମୁରାଦାବାଦରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ଅନ୍ତଃନଳୀରେ କଣା ହୋଇଥିବା ସହ ପେଟରେ ପାଣି ଜମା ହୋଇଥିବା କଥା କହିଥିଲେ । ଏହା ସହ ସେ ଫାଷ୍ଟଫୁଡ୍ ଯୋଗୁ ଏପରି ହୋଇଥିବା ନେଇ ଡାକ୍ତର ଜଣାଇଥିଲେ । ଏଥିପାଇଁ ଅପରେସନର ଆବଶ୍ୟକତା ଥିଲା । ଅପରେସନରେ ତାଙ୍କ ପେଟରୁ ପ୍ରାୟ ୭ ଲିଟର ପାଣି ବାହାରିଥିଲା । ସ୍ୱାସ୍ଥ୍ୟ ସାମାନ୍ୟ ସୁଧୁରିବା ପରେ ପରିବାର ଲୋକେ ତାଙ୍କୁ ଦିଲ୍ଲୀ ନେଇ ଯାଇଥିଲେ । ଅପରେସନର କିଛି ଦିନ ପରେ ତାଙ୍କ ପେଟରେ ପୁଣି ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ପରୀକ୍ଷା କରିବା ପରେ ତାଙ୍କ ଅନ୍ତଃନଳୀ ପରସ୍ପର ସହ ଯୋଡ଼ି ହୋଇଯାଇଥିବା ନେଇ ଡାକ୍ତର କହିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ବି ଲଗାତର ଅହାନାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା ।

ଗତ ୨୧ ତାରିଖ ରବିବାର ରାତିରେ ତାଙ୍କ ଦେହ ଖରାପ ହୋଇଥିଲା । ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ହାର୍ଟ ଫେଲ୍ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଏବେ ପିଲାଙ୍କୁ ଯଥାସମ୍ଭବ ଫାଷ୍ଟଫୁଡ୍ରୁ ଦୂରେଇ ରଖିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିସହ ବାହାରେ ମିଳୁଥିବା ପ୍ୟାକେଟ୍ ଖାଦ୍ୟ, କୋଲ୍ଡଡ୍ରିଙ୍କ୍ସ, ଫ୍ରେଞ୍ଚ୍ ଫ୍ରାଇଜ୍ ଆଦି ଜିନିଷ ପିଲାଙ୍କୁ ନ ଦେବାକୁ କହିଛନ୍ତି । ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜିଜ୍ ରିପୋର୍ଟ ଅନୁସାରେ ପ୍ରତିବର୍ଷ ଫାଷ୍ଟଫୁଡ୍ ଯୋଗୁ ସାରା ବିଶ୍ୱରେ ୧.୧ କୋଟି ମୃତ୍ୟୁ ଘଟୁଛି ।