କୋର୍ଟକୁ ବୋମା ଧମକ ଘଟଣା ନେଇ ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ ନେତା

NEWS7
birthday-celebrate-of-father-and-son-in-tmc

ଭୁବନେଶ୍ବର ୮।୧: ଇ-ମେଲ୍ ଯୋଗେ ସମ୍ବଲପୁର, କଟକ ଓ ଦେଓଗଡ଼ ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ଘଟଣା ନେଇ ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ‘ଏକ୍ସ’ ପୋଷ୍ଟରେ ନବୀନ ଲେଖିଛନ୍ତି,-ମେଲ୍ ଯୋଗେ ସମ୍ବଲପୁର, କଟକ ଓ ଦେଓଗଡ଼ର ଜିଲ୍ଲା କୋର୍ଟକୁ ବୋମା ଆକ୍ରମଣର ଧମକ ମିଳିଥିବା ଜାଣି ମୁଁ ଗଭୀର ଭାବେ ଚିନ୍ତିତ । ଆମ ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ସମେତ ବିଚାରପତି, ଓକିଲ, ମକଦ୍ଦମାକାରୀ, କୋର୍ଟ କର୍ମଚାରୀ ତଥା ସାଧାରଣ ଲୋକଙ୍କ ସୁରକ୍ଷା ସର୍ବୋପରି । ଭାରପ୍ରାପ୍ତ ଅଧିକାରୀ ମାନେ ମିଳିଥିବା ଧମକର ତ୍ୱରିତ, ପୁଙ୍ଖାନୁପୁଙ୍ଖ ଏବଂ ଉପଯୁକ୍ତ ଯାଞ୍ଚ କରନ୍ତୁ । ଧମକ କେଉଁଠୁ ଆସିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଠାବ କରି ଏହାର ନିଷ୍କର୍ଷ ସର୍ବସମ୍ମୁଖକୁ ଆଣନ୍ତୁ । ଏପରି ସ୍ଥିତିରେ ମୁଁ ଜନସାଧାରଣଙ୍କୁ ଆହ୍ୱାନ କରୁଛି ସେମାନେ ଶାନ୍ତ ରୁହନ୍ତୁ, ଗୁଜବ ପ୍ରଚାରରୁ ଦୂରେଇ ରୁହନ୍ତୁ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବା ନେଇ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଦେବଗଡ଼, ସମ୍ବଲପୁର ଏବଂ କଟକ ଜିଲ୍ଲା କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ତେବେ ପରେ ଜଣାପଡ଼ିଥିଲା ଯେ ଏହା ଏକ ଗୁଜବ ସୃଷ୍ଟିକାରୀ ଇ-ମେଲ୍ ଥିଲା । ଦେଶର ଆଉ ୬ଟି ରାଜ୍ୟରେ ମଧ୍ୟ ସମାନ ଧରଣର ମେଲ୍ ଆସିଥିବା ବେଳେ ସେଠାରେ ମଧ୍ୟ ଚେକିଂ କରାଯାଇଥିଲା ।

ଘଟଣାର ତଦନ୍ତ ଆରମ୍ଭ ହୋଇଛି, ଉଭୟ କ୍ରାଇମବ୍ରାଞ୍ଚ ଏବଂ ସାଇବର ସେଲ ମାମଲାର ତଦନ୍ତ ଆରମ୍ଭ କରିଛି ବୋଲି ପୋଲିସ କମିଶନର କହିଛନ୍ତି । ଧମକପୂର୍ଣ୍ଣ ଇ-ମେଲ୍ର ସୋର୍ସ କ’ଣ ତାହା ଜାଣିବା ଲାଗି ପୋଲିସ ସବୁ ପ୍ରକାରର ଚେଷ୍ଟା କରୁଛି ବୋଲି କହିଛନ୍ତି ପୋଲିସ କମିଶନର । ଏଭଳି ହୀନକାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ବାର୍ ଆସୋସିଏସନ ତରଫରୁ ଦାବି ହୋଇଛି ।