ଇତିହାସ ରଚିଲେ ରୋହିତ ଶର୍ମା, ୨୦ ହଜାର ରନ୍ କ୍ଲବରେ ସାମିଲ

NEWS7
bill-gates-tweets-withholding-who-funding-danger-during-global-health-crisis

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ଇତିହାସ ରଚିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ତାଙ୍କର ୫୦୫ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ତମ ଓଭରରେ ଇତିହାସ ସୃଷ୍ଟି କରିଛନ୍ତି ରୋହିତ । ସେ ଏବେ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ମିଳିତ ଭାବରେ ୨୦,୦୦୦ରୁ ଅଧିକ ରନ୍ ପୂରଣ କରିଛନ୍ତି।

୩ଟି ଫର୍ମାଟରେ ମିଳିତ ଭାବରେ ୨୦ ହଜାର ରନ୍ ପୂରଣ କରିବାରେ ରୋହିତ ଚତୁର୍ଥ ଭାରତୀୟ କ୍ରିକେଟର । ରୋହିତଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡ୍ ଏହି ରେକର୍ଡ କରିସାରିଛନ୍ତି । ରୋହିତ ଆଜିର ମ୍ୟାଚରେ ଦମଦାର ବ୍ୟାଟିଂ କରିଛନ୍ତି ଏବଂ ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମ ମ୍ୟାଚରେ ମଧ୍ୟ ସେ ଭଲ ସ୍କୋର କରିଥିଲେ ।

ରୋହିତ ଉତ୍କୃଷ୍ଟ ଫର୍ମରେ ଅଛନ୍ତି । ଏହି ସିରିଜର ପ୍ରଥମ ମ୍ୟାଚ୍ରେ ସେ ଏକ ଚମତ୍କାର ଅର୍ଦ୍ଧଶତକ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍ ପୂରଣ କରିବାରେ ରୋହିତ ଶର୍ମା ହେଉଛନ୍ତି ୧୪ ତମ କ୍ରିକେଟର। ତାଙ୍କ ଆଗରେ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା, ବିରାଟ କୋହଲି, ରିକି ପଣ୍ଟିଙ୍ଗ, ମହେଲା ଜୟବର୍ଦ୍ଧନେ, ଜ୍ୟାକ କାଲିସ, ରାହୁଲ ଦ୍ରାବିଡ, ବ୍ରାଏନ ଲାରା, ଜୋ ରୁଟ, ସନଥ ଜୟସୁରିୟା, ଶିବନାରାୟଣ ଚନ୍ଦ୍ରପାଲ୍, ଇନଜାମମ୍-ଉଲ୍-ହକ୍ ଏବଂ ଏବି ଡିଭିଲିୟର୍ସ ଅଛନ୍ତି ।

ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର

୩୪୩୫୭ ରନ୍ - ସଚିନ ତେନ୍ଦୁଲକର

୨୭୯୧୦ ରନ୍ - ବିରାଟ କୋହଲି

୨୪୨୦୮ ରନ୍ - ରାହୁଲ ଦ୍ରାବିଡ

୨୦୦୦୦* ରନ୍ - ରୋହିତ ଶର୍ମା

ବିଶାଖାପାଟଣାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆକୁ ୨୭୧ ରନର ଟାର୍ଗେଟ ମିଳିଛି। ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ବ୍ୟାଟିଂ ଯୋଗୁଁ ଭାରତ ସିରିଜ ଜିତିବା ନିଶ୍ଚିତ ମନେ ହେଉଛି। ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତ ପାଇଁ କୁଲଦୀପ ଯାଦବ ଏବଂ ପ୍ରସିଦ୍ଧ କୃଷ୍ଣ ପ୍ରତ୍ୟେକେ ଚାରୋଟି ୱିକେଟ୍ ନେଇଥିଲେ।