ଦିଲ୍ଲୀରେ ଲସ୍କର ଆକ୍ରମଣର ଭୟ ମଧ୍ୟରେ ଆଉ ଦୁଇଟି ସ୍ଥାନରୁ ମିଳିଲା ଆଇଇଡି

NEWS7
bike-and-car-accident-in-jagatsinghpur-one-dead

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଦ୍ୱାରା ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ମଧ୍ୟରେ ଜାତୀୟ ରାଜଧାନୀ ହାଇ ଆଲର୍ଟରେ ରହିଛି। ଏହି ସମୟରେ, ପଞ୍ଜାବ ଏବଂ କାଶ୍ମୀରରେ ଦୁଇଟି ଆଇଇଡି ମିଳିଛି । ଆଇଇଡି ଜବତ ହୋଇଥିବା ବେଳେ ଏହାକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଏହା ପଛରେ କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର ନଥିବା ନେଇ ଅଧିକାରୀମାନେ କହିଥିଲେ ବି ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଛନ୍ତି ।

ପଞ୍ଜାବର ଅମୃତସରରେ ରୟା ପୋଲିସ ପୋଷ୍ଟ ନିକଟରେ ଏକ ସନ୍ଦିଗ୍ଧ ବ୍ୟାଗରୁ ଆଇଇଡି ମିଳିଛି । ପୋଲିସ କହିଛି ଯେ, ଘଟଣାସ୍ଥଳକୁ ତୁରନ୍ତ ଏକ ବୋମା ନିଷ୍କ୍ରିୟକାରୀ ଦଳ ପଠାଯାଇଥିଲା ଏବଂ ଆଇଇଡିକୁ ନିଷ୍କ୍ରିୟ କରାଯାଇଥିଲା।

ଏସଏସପି ସୋହେଲ କାସିମ ମୀର କହିଛନ୍ତି ଯେ, ‘ପୋଲିସ ଚେକପୋଷ୍ଟ ନିକଟରେ ଏକ ସନ୍ଦିଗ୍ଧ ବ୍ୟାଗ ଦେଖିବାକୁ ମିଳିଥିଲା। ତୁରନ୍ତ ବମ୍ ସ୍କ୍ବାଡ୍ ଡକାଯାଇଥିଲା ଏବଂ ସେମାନେ ଏହାକୁ ଏକ ଆଇଇଡି ବୋଲି ସ୍ପଷ୍ଟ କରିଥିଲେ। ପରେ ପ୍ରୋଟୋକଲ ଅନୁସାରେ, ଏହାକୁ ନିଷ୍କ୍ରିୟ କରାଯାଇଥିଲା।’

ସେହିଭଳି କାଶ୍ମୀରର ଗାଣ୍ଡରବଲ ଜିଲ୍ଲାର ସଫାପୋରାରେ ଆଉ ଏକ ଆଇଇଡି ମିଳିଥିଲା। ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସର ବୋମା ନିଷ୍କ୍ରିୟକାରୀ ଦଳ ଆଇଇଡିକୁ ଚିହ୍ନଟ କରି କିଛି ଘଣ୍ଟା ମଧ୍ୟରେ ଏହାକୁ ନିଷ୍କ୍ରିୟ କରିଥିଲେ।

ଗୋଟିଏ ସପ୍ତାହ ମଧ୍ୟରେ ଉତ୍ତର କାଶ୍ମୀରରୁ ତୃତୀୟ ଆଇଇଡି ମିଳିଛି। ଗୁରୁବାର ଦିନ ଟାଙ୍ଗମାର୍ଗ ରୋଡରେ ଗୋଟିଏ ଏବଂ ବାରମୂଲାରେ ଆଉ ଗୋଟିଏ ଆଇଇଡି ମିଳିଥିଲା।