ମହାକାଶକୁ ପହଞ୍ଚିଲା ଋଷିଆ-ୟୁକ୍ରେନ ଯୁଦ୍ଧ,ୟୁରୋପୀୟ ଉପଗ୍ରହର ଜାସୁସି କରୁଛି ଋଷ

NEWS7
bijaya-panigrahi-reaction-corona-vaccination

ନୂଆଦିଲ୍ଲୀ ୫।୨: ଋଷିଆ ଓ ୟୁକ୍ରେନ ଯୁଦ୍ଧ ଏବେ କେବଳ ସ୍ଥଳ, ଜଳ ଓ ଆକାଶରେ ସୀମିତ ନାହିଁ। ଏହା ମହାକାଶକୁ ପହଞ୍ଚିସାରିଲାଣି। ଅଧିକାରୀ ଭାବୁଛନ୍ତି ଋଷିଆର ଗୁଇନ୍ଦା ସ୍ପେସ୍ କ୍ରାଫ୍ଟ ୟୁରୋପର ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟକୁ ଇଣ୍ଟରସେପ୍ଟ କରୁଛି। ଏହା ଦ୍ୱାରା ସାଟେଲାଇଟର ସମ୍ବେଦନଶୀଳ ସୂଚନା ଲିକ୍ ହେବା ସହ ସେଗୁଡିକର ଟ୍ରାଜେକ୍ଟରୀ ବଦଳାଇ କ୍ରାସ୍ କରାଇବାର ବିପଦ ବଢିଯାଇଛି। ଋଷିଆର ଲୁଚ୍-ୱାନ୍ ଓ ଲୁଚ୍-ଟୁ ମହାକାଶରେ ଏପରି କାମ କରୁଛନ୍ତି।

ଋଷୀୟ ସ୍ପେସ୍ କ୍ରାଫ୍ଟ ୟୁରୋପର ୧୨ ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟର ସଞ୍ଚାରକୁ ମଝିରେ ଅଟକାଇ ଶୁଣିଛି। ଏହି ଦୁଇ ସ୍ପେସ୍ କ୍ରାଫ୍ଟ ୟୁରୋପର ସେହି ସାଟେଲାଇଟ ପର୍ଯ୍ୟନ୍ତ ପହଞ୍ଚିଛନ୍ତି ଯେଉଁଗୁଡିକ ୟୁରୋପ ସହିତ ବ୍ରିଟେନ, ଆଫ୍ରିକା ଓ ମିଡଲ ଇଷ୍ଟ ପର୍ଯ୍ୟନ୍ତ ସର୍ଭିସ ଦେଉଛନ୍ତି। ଲୁଚ୍-୨ ଅନୁନ୍ୟ ୧୭ଟି ସାଟେଲାଇଟ୍ ନିକଟରେ ପହଞ୍ଚିଥିଲା। ତେବେ ଚିନ୍ତାର ବିଷୟ ଯାହା ତାହା ହେଉଛି ୟୁରୋପୀୟ ସାଟେଲାଇଟ୍ ପୁରୁଣା ସିଷ୍ଟମରେ କାମ କରୁଛନ୍ତି, ଏଥିରେ ଏନକ୍ରିପସନ ନାହିଁ। ଏଣୁ ଏଗୁ଼ଡିକର କମାଣ୍ଡ ସିଷ୍ଟମ ହ୍ୟାକ୍ କରିବା ଅତ୍ୟନ୍ତ ସହଜ।

ଏଥି ପାଇଁ ଜର୍ମାନ ପ୍ରତିରକ୍ଷାମନ୍ତ୍ରୀ ବୋରିସ୍ ପିଷ୍ଟୋରିୟସ୍ ପୂର୍ବରୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଋଷୀୟ ସାଟେଲାଇଟ୍ ଜର୍ମାନ ସେନା ସାଟେଲାଇଟର ପିଛା କରୁଛି। ସେତେବେଳେ ସେ ଏହାକୁ ଋଷିଆର ହାଇବ୍ରିଡ ୱାରଫେୟାରର ଅଂଶବିଶେଷ କହିଥିଲେ, ଯେଉଁଥିରେ ଡ୍ରୋନ ପଠାଇବା, ସମୁଦ୍ର ତଳେ କେବୁଲ କାଟିବା ଆଦି କାମ ସାମିଲ। ଏପଟେ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍-ଏକ୍ସ ସାଟେଲାଇଟ୍ ନେଟୱାର୍କ ୟୁକ୍ରେନ ଲାଗି ଏବେ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲଜିରେ ପରିଣତ ହୋଇଛି। ଷ୍ଟାର ଲିଂକ ୟୁକ୍ରେନ ସେନାର କମ୍ୟୁନିକେସନର ବଡ଼ ସାଧନ ପାଲଟିଛି।

ସୈନିକଙ୍କ ସହ ସମ୍ପର୍କ, ଡ୍ରୋନ ଉଡାଣ ଓ ଫ୍ରଣ୍ଟ ଲାଇନ ଆକ୍ରମଣରେ ଏହାର ବ୍ୟାପକ ଉପଯୋଗ ହେଉଛି। ଏହି ନେଟୱାର୍କରେ ଶହଶହ ଛୋଟ ଉପଗ୍ରହ ସାମିଲ, ଯେଉଁଗୁଡିକ ପାରମ୍ପରିକ ଉପଗ୍ରହ ତୁଳନାରେ ପୃଥିବୀର ଖୁବ୍ ନିକଟରେ ଘୁରୁଛନ୍ତି। ଏଥିରୁ ଦ୍ରୁତ ତଥା ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ମିଳିପାରୁଛି। ଏଣୁ ୟୁକ୍ରେନ ଲଗାତାର ଉଦ୍ୟମ କରୁଛି ଯେପରି ଋଷିଆ ଷ୍ଟାରଲିଂକ ର ଉପଯୋଗ ନ କରିପାରେ। ଏଣୁ ୟୁକ୍ରେନ ଯେମିତି ଋଷିଆ ପହଞ୍ଚ ଉପରେ ରୋକ ଲଗାଇବାକୁ ଉଦ୍ୟମ କଲା ଋଷିଆର ଅସନ୍ତୋଷ ସାମ୍ନାକୁ ଆସିବାକୁ ଲାଗିଲା।

ଏଥି ମଧ୍ୟରେ ନାଟୋ ଅନ୍ତର୍ଗତ ଦୁଇଟି ଦେଶଙ୍କ ଗୁଇନ୍ଦା ଏବେ ଭାବୁଛନ୍ତି ଋଷିଆ ଷ୍ଟାରଲିଂକ କୁ ଟାର୍ଗେଟ୍ କରିବା ଲାଗି ଆଣ୍ଟି ସାଟେଲାଇଟ୍ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିଛି। ଯଦି ଏପରି କିଛି ହୁଏ ତେବେ ଅନ୍ତରୀକ୍ଷରେ ବଡ଼ ଧରଣର କ୍ଷୟକ୍ଷତି ହେବ ବୋଲି ଏବେଠୁ ଆଶଙ୍କା କରାଯାଉଛି।

ଏହା ବି ପଢନ୍ତୁ:-ପୁରୁଷଙ୍କୁ ନିଜ ଆଡକୁ ଟାଣିନେବାର ଶକ୍ତି, ହଟହଟ୍ଟା ଚୀନ ଇନଫ୍ଲୁଏନସର,ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍