ନାକେଦମ୍ କଲେଣି ବଲୁଚ୍ ବିଦ୍ରୋହୀ, ସେନା ଅକ୍ଷମ; ସଂସଦରେ ସ୍ବୀକାର କଲେ ପ୍ରତିରକ୍ଷା ମନ୍ତ୍ରୀ

NEWS7
bhadrak-collector-requested-do-not-spread-rumors

ଇସଲାମାବାଦ: ଅଶାନ୍ତ ବଲୁଚିସ୍ତାନରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ବଲୁଚ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ୧୨ଟି ସହରରେ ଆକ୍ରମଣ ହୋଇଛି । କିନ୍ତୁ ସ୍ଥିତିକୁ ଆୟତ୍ତ କରିପାରୁନାହିଁ ପାକ ସେନା । ବିଦ୍ରୋହୀମାନେ ବଲୁଚିସ୍ତାନର ଭୌଗୋଳିକ ପରିସ୍ଥିତିରେ ଖାପ ଖୁଆଇ ଆକ୍ରମଣ କରିପାରୁଛନ୍ତି । ହେଲେ ପାକିସ୍ତାନୀ ସେନା ସେମାନଙ୍କୁ ମାତ୍ ଦେଇପାରୁନାହିଁ । ଏକଥା ଆମେ କହୁନାହୁଁ, ବରଂ ଖୋଦ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସ୍ବୀକାର କରିଛନ୍ତି । ନ୍ୟାସନାଲ୍ ଆସେମ୍ବଲିରେ ଆସିଫ କହିଛନ୍ତି, ବଲୁଚ ବିଦ୍ରୋହୀଙ୍କ ସହ ମକୁବିଲା କରିବାରେ ପାକିସ୍ତାନ ସେନା ଅସମର୍ଥ । ସେ କହିଛନ୍ତି, ଆମ ସେନା ଶାରିରୀକ ଭାବରେ ଅକ୍ଷମ ହୋଇପଡ଼ିଛନ୍ତି ।

ସବୁଠାରୁ ବଡ଼ ଏବଂ କମ୍ ଲୋକସଂଖ୍ୟା ଥିବା ବଲୁଚିସ୍ତାନରେ ପାକ୍ ସେନା କେଉଁଭଳି ଭାବରେ ଆହ୍ବାନର ସାମ୍ନା କରୁଛି ତାହା କହିଛନ୍ତି ଆସିଫ । ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବାରୁ, ସେନା ଏହାକୁ ନିୟନ୍ତ୍ରଣ କରିବା ଲାଗି ଅସମର୍ଥ । ସେ କହିଛନ୍ତି, ଦୀର୍ଘ ବର୍ଷ ଧରି ସେଠାରେ ପାକ୍ ସେନା ବିଫଳତାର ସାମ୍ନା କରୁଛି । ବଲୁଚ ବିଦ୍ରୋହୀ ବିଭିନ୍ନ ସହରରେ ସାଧାରଣ ଲୋକ, କୋଠା ଏବଂ ସୈନ୍ୟ ଠିକଣାକୁ ଟାର୍ଗେଟ କରି ଆକ୍ରମଣ କରିବା ପରେ ଖ୍ବାଜା ଆସିଫଙ୍କ ଏହି ପ୍ରତିକ୍ରିୟା ମିଳିଛି ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ‘ଭୌଗୋଳିକ ଦୃଷ୍ଟିରୁ ପାକିସ୍ତାନର ୪୦ ପ୍ରତିଶତରୁ ଅଧିକ ବଲୁଚିସ୍ତାନ । ଏହାକୁ ନିୟନ୍ତ୍ରଣ କରିବା ଏକ ଜନବହୁଳ ସହର ଅପେକ୍ଷା ବହୁତ କଷ୍ଟକର ଏବଂ ଏଥିପାଇଁ ବିଶାଳ ବାହିନୀ ମୁତୟନ କରାଯିବା ଆବଶ୍ୟକ। ଆମର ସୈନ୍ୟ ସେଠାରେ ମୁତୟନ ଅଛନ୍ତି ଏବଂ ସେମାନଙ୍କ (ଆତଙ୍କବାଦୀ) ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କିନ୍ତୁ ଏତେ ବଡ଼ ଅଞ୍ଚଳକୁ ସୁରକ୍ଷା ଏବଂ ପାଟ୍ରୋଲିଂ କରିବାକୁ ସେମାନେ ଶାରୀରିକ ଭାବରେ ଅକ୍ଷମ ।’

ପାକିସ୍ତାନୀ ସେନାର ସୂଚନା ଅନୁସାରେ, ଗତ ଦୁଇ ଦିନରେ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ୧୭୭ ରେ ପହଞ୍ଚିଛି। ବିଦ୍ରୋହୀମାନେ ୧୨ ଟି ସ୍ଥାନରେ ସମନ୍ୱିତ ଆକ୍ରମଣ କରିବା ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । କର୍ତ୍ତୃପକ୍ଷ କହିଛନ୍ତି, ସାଧାରଣ ନାଗରିକଙ୍କ ସହିତ ପ୍ରାୟ ୧୭ ପୋଲିସ କର୍ମୀ ଏବଂ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି। ଖ୍ବାଜା ଆସିଫ୍ କହିଛନ୍ତି ଯେ, ସପ୍ତାହାନ୍ତ ହିଂସାରେ ୩୩ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀର ୧୭ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ସେ ବଲୁଚ୍ ଲିବରେସନ୍ ଆର୍ମି (BLA) ସହିତ ଆଲୋଚନାକୁ ଖାରଜ କରି କହିଛନ୍ତି ଯେ, ମହିଳା ଏବଂ ଶିଶୁ ସମେତ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପାଇଁ ଦାୟୀ ‘ଆତଙ୍କବାଦୀ’ଙ୍କ ସହିତ କୌଣସି ଆଲୋଚନା କରାଯିବ ନାହିଁ।

ଇରାନ ଏବଂ ଆଫଗାନିସ୍ତାନ ସୀମାରେ ଥିବା ବଲୁଚିସ୍ତାନ ଦୀର୍ଘ ଦିନ ଧରି ବଲୁଚ୍ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ । ବିଚ୍ଛିନ୍ନତାବାଦୀ ବିଦ୍ରୋହର ସମ୍ମୁଖୀନ ହୋଇଆସୁଛି ବଲୁଚିସ୍ତାନ । ପାକିସ୍ତାନ ସରକାରର ପକ୍ଷପାତିତା କରୁଛନ୍ତି ଏବଂ ସେମାନଙ୍କୁ ଶୋଷଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଆସିଛନ୍ତି । କର୍ତ୍ତୃପକ୍ଷ କହିଛନ୍ତି ଯେ, BLA ଭଳି ଗୋଷ୍ଠୀ ସୁରକ୍ଷା ବାହିନୀ, ଭିତ୍ତିଭୂମି ଏବଂ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ସହିତ ଜଡିତ ପ୍ରକଳ୍ପଗୁଡ଼ିକୁ ଟାର୍ଗେଟ କରୁଛନ୍ତି।