ଭୋଟ୍ ଦେଉଛି ବାଂଲାଦେଶ, ଦେଶକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ

NEWS7
best-smart-motorcycle-helmets-which-smarten-up-your-ride-know-about-it

ଢାକା, ୧୧|୦୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଗୁରୁବାର ସାଧାରଣ ନିର୍ବାଚନ । ୧୨.୭୭ କୋଟି ଭୋଟର ମୋଟ ୨୦୩୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ୧୫ ବର୍ଷର ଶାସନ ପରେ ଦେଶରେ ପାଖାପାଖି ୧୮ ମାସ ଧରି ଅନ୍ତରୀଣ ସରକାର ଚାଲିଆସୁଛି । ତ୍ରୟୋଦଶ ସଂସଦୀୟ ନିର୍ବାଚନ ପରେ ଦେଶକୁ ନୂଆ ସରକାର ଓ ନେତା ମିଳିବେ ।

ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଜାରି ରହିଛି । ଏଥର ନିର୍ବାଚନରେ ହସିନାଙ୍କ ଦଳ ଆୱାମୀ ଲିଗ୍ ଲଢ଼ିପାରିବ ନାହିଁ । ଅନ୍ତରୀଣ ସରକାର ହସିନାଙ୍କ ଦଳକୁ ଏଥିରୁ ବାଦ୍ ଦେଇଛି । ତେଣୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ଓ ଜମାତ-ଏ-ଇସଲାମୀ ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ ।

ଦେଶର ୨୯୯ ସଂସଦୀୟ ନିର୍ବାଚନମଣ୍ଡଳୀରେ ସକାଳ ୭ଟା ୩୦ରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଗୋଟିଏ ନିର୍ବାଚନ ମଣ୍ଡଳୀରେ ଭୋଟିଂ ବାତିଲ ହୋଇଛି । ମୋଟ ୫୦ ରାଜନୈତିକ ଦଳ ଏହି ନିର୍ବାଚନ ଲଢ଼ୁଛନ୍ତି । ଏହା ବାଦ୍ ୨୭୩ ସ୍ୱାଧୀନ ପ୍ରାର୍ଥୀ ବି ଅଛନ୍ତି । ବିଏନପି ସର୍ବାଧିକ ୨୯୧ ଜଣ ପ୍ରାର୍ଥୀ ଦେଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନିର୍ବାଚନ କମିଶନଙ୍କ ତରଫରୁ ପାଖାପାଖି ୧୦ ଲକ୍ଷ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ବାଂଲାଦେଶ ନିର୍ବାଚନ ଇତିହାସରେ ଏତେ ସଂଖ୍ୟକ ସୁରକ୍ଷା କର୍ମୀ ପୂର୍ବରୁ କେବେ ମୁତୟନ ହୋଇ ନ ଥିଲେ । ପଡ଼ୋଶୀ ଦୃଷ୍ଟିରୁ ଭାରତ ପାଇଁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱ ରଖୁଛି ।