ଇସ୍ରାଏଲ ନିକଟରେ ପହଞ୍ଚିଲା ୟୁଏସଏସ୍ ଜେରାଲ୍ଡ ଆର. ଫୋର୍ଡ; ଆମେରିକା ରାଷ୍ଟ୍ରପତିଙ୍କୁ ଆକ୍ରମଣର ପ୍ଲାନ୍ ବୁଝାଇଲା ସେନା

NEWS7
bdo-taught-9th-class-students-in-umerkote

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଢ଼େଇ ଜାରି ରହିଥିବା ବେଳେ ଆଉ ଏକ ବଡ଼ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି। ଖୁବଶୀଘ୍ର ଆମେରିକା ଇରାନ୍ ଉପରେ ଆକ୍ରମଣ କରିପାରେ । ଆମେରିକାର ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଆଡମିରାଲ୍ ବ୍ରାଡ୍ କୁପର ଗୁରୁବାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଇରାନ୍ ଆକ୍ରମଣକୁ ନେଇ ଯୋଜନା ସଂପର୍କରେ ବୁଝାଇଛନ୍ତି । ରୁଦ୍ଧଦ୍ବାର ବୈଠକରେ ଟ୍ରମ୍ପଙ୍କ ମୁଖ୍ୟ ସାମରିକ ପରାମର୍ଶଦାତା ଜେନେରାଲ୍ ଡାନ କାନି ମଧ୍ୟ ଉପସ୍ଥିତ ଥିଲେ । ଏଥିରୁ ଅନୁମାନ କରାଯାଉଛି ଯେ, ଖୁବଶୀଘ୍ର ଆମେରିକା କିଛି ବଡ଼ କରିପାରେ। ଅର୍ଥାତ ଦୀର୍ଘଦିନ ଧରି ଯେଉଁ ଆଶଙ୍କା କରାଯାଉଥିଲା, ତାହା ଘଟି ଯାଇପାରେ । ଆମେରିକା ଇରାନ୍ ଉପରେ ଆକ୍ରମଣ କରିପାରେ । ଗୋଟିଏ ପଟେ ଜେନିଭାରେ ଆମେରିକା ଏବଂ ଇରାନ୍ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରୁଛନ୍ତି । ଅନ୍ୟପଟେ ଆମେରିକା ଇରାନ୍ରେ ଆକ୍ରମଣ କରିବାକୁ ଯୋଜନା କରୁଛି ।

ସେପଟେ ଶୁକ୍ରବାର ଆମେରିକାର ସବୁଠାରୁ ବଡ଼ ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସଏସ୍ ଜେରାଲ୍ଡ ଆର. ଫୋର୍ଡ ଇସ୍ରାଏଲ ଉପକୂଳରେ ପହଞ୍ଚିଛି । ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଜିଦ ଧରିଥିବା ଇରାନ୍ ଉପରେ କ୍ଷୁବ୍ଧ ଅଛନ୍ତି ଟ୍ରମ୍ପ । ଲଗାତାର ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନି । ତେଣୁ ଆମେରିକା ଇରାନ୍ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଏହାରି ମଧ୍ୟରେ ଅନ୍ୟ କେତେକ ରିପୋର୍ଟରୁ ଜଣାପଡ଼ିଛି, ଇରାନ୍ ଉପରେ ଆମେରିକା ସିଧାସଳଖ ଆକ୍ରମଣ ନକରି, ଇସ୍ରାଏଲକୁ ଉସୁକାଉଛି । ଇସ୍ରାଏଲ ଇରାନ୍ ଉପରେ ଆକ୍ରମଣ କରିବ ଏବଂ ପଛରୁ ସମର୍ଥନ ଦେବ ଆମେରିକା । ନଚେତ ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନ୍ ଉପରେ ଆକ୍ରମଣ କରିପାରନ୍ତି ।

ଆମେରିକା କ’ଣ କରିପାରେ, ସେନେଇ ଗଣମାଧ୍ୟମରେ ଅନେକ ଖବର ପ୍ରକାଶ ପାଉଛି । ଏହାକୁ ନେଇ ହ୍ବାଇଟ ହାଉସ୍ ପ୍ରେସ୍ ସଚିବ ଆନ୍ନା କେଲି କହିଛନ୍ତି, ମିଡିଆରେ ଅନେକ ଖବର ପ୍ରକାଶ ପାଉଛି । କିନ୍ତୁ କ’ଣ କରିବେ ବା କରିବେନି ସେନେଇ ଟ୍ରମ୍ପ ଭଲ ଭାବରେ ଜାଣିଛନ୍ତି । ଅନ୍ୟପକ୍ଷରେ ପ୍ରତିରକ୍ଷା ସମୀକ୍ଷକଙ୍କ ମତରେ, ଯେକୌଣସି ଆକ୍ରମଣର ଦୃଢ଼ ଜବାବ ଦେଇପାରେ ତେହେରାନ । ଯଦି ଇସ୍ରାଏଲ ଆକ୍ରମଣର ଜବାବ ଇରାନ ଦେବ, ତେବେ ଆମେରିକା ଇସ୍ରାଏଲକୁ ସମର୍ଥନ ଦେବା ଆଳରେ ଯୁଦ୍ଧକୁ ଡେଇଁବ । ହେଲେ ତେହେରାନ୍ର ପ୍ରତି ଆକ୍ରମଣ ଆମେରିକୀୟ ସୈନିକଙ୍କ ଜୀବନ ପ୍ରତି ବପଦ ସୃଷ୍ଟି କରିପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି ।

ଇରାନ୍ ଉପରେ ଆକ୍ରମଣ ନେଇ ଆଶଙ୍କା ବୃଦ୍ଧି ପାଇଥିବା ବେଳେ ଆମେରିକା ନିଜର ନାଗରିକଙ୍କ ଲାଗି ଜାରି କରିଥିବା ନିର୍ଦ୍ଦେଶାନାମା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଯେତେ ଶୀଘ୍ର ପାରୁଛି ଇସ୍ରାଏଲ ଛାଡ଼ ବୋଲି ନିଜର ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଯକୌଣସି ବିମାନରେ ଆମେରିକା ଫେରିଯିବାକୁ ସେମାନଙ୍କୁ କୁହାଯାଇଛି । ସେପଟେ ଆମେରିକୀୟ ଅଧିକାରୀ ଏବଂ ପରିବାରକୁ ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏହାର ଅର୍ଥ, ହୁଏତ ଇସ୍ରାଏଲ ପୁଣି ଥରେ ଇରାନ୍ ଉପରେ ଆକ୍ରମଣ କରିପାରେ । ଫଳରେ ଇରାନ୍ ପ୍ରତି ଆକ୍ରମଣ କରିବ ଏବଂ ଏଥିରେ ସାଧାରଣ ଲୋକଙ୍କ ପ୍ରତି ବିପଦ ମଧ୍ୟ ରହିଛି ।