ଆମେରିକା ସଡ଼କ ଦୁର୍ଘଟଣାର ଆନ୍ଧ୍ରପ୍ରଦେଶର ଦମ୍ପତ୍ତି ମୃତ, ସେମାନଙ୍କ ୨ ପିଲା ଗୁରୁତର

NEWS7
barbar-rao-granted-interim-bail-in-suraj-garh-iron-ore-mines-fire-case

ୱାସିଂଟନ ୫।୧: ଆନ୍ଧ୍ରପ୍ରଦେଶର ଏକ ଦମ୍ପତ୍ତି ଆମେରିକାରେ ଭୀଷଣ ସଡ଼କ ଦୁର୍ଘଟଣାର ଶିକାର ହୋଇଯାଇଛନ୍ତି। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ଦମ୍ପତ୍ତି ପ୍ରାଣ ହରାଇଛନ୍ତି। ସେମାନଙ୍କ ଗାଡିରେ ଥିବା ତାଙ୍କର ଦୁଇ ପିଲା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପିଲା ଦୁହିଁଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଦମ୍ପତ୍ତିଙ୍କୁ କୃଷ୍ଣ କିଶୋର (୪୫) ଓ ଆଶା (୪୦) ଭାବେ ଚିହ୍ନଟ ହୋଇଛନ୍ତି।

କୃଷ୍ଣ କିଶୋର ଆମେରିକାରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି। ଏହି ପରିବାରଟି ଆନ୍ଧ୍ରପ୍ରଦେଶର ପାଲାକୋଲ୍ଲୁ ରୁ ଯାଇ ଆମେରିକାରେ ବସବାସ କରୁଥିଲେ। କିଛି ଦିନ ପୂର୍ବରୁ ସେମାନେ ପୈତୃକ ଗ୍ରାମ ପାଲାକୋଲ୍ଲୁ ଆସିଥିଲେ। ୧୦ ଦିନ ହେଲା ସେମାନେ ଆମେରିକା ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଯାଇଛନ୍ତି। ଏହି ଦୁର୍ଘଟଣା ଆମେରିକା ରାଜଧାନୀ ୱାସିଂଟନରେ ହୋଇଛି। କାରରେ କୃଷ୍ଣ ଓ ଆଶାଙ୍କ ବ୍ୟତୀତ ତାଙ୍କର ୨ ପିଲା ଗୋଟେ ପୁଅ ଓ ଗୋଟିଏ ଝିଅ ଥିଲେ। ସେମାନଙ୍କୁ ଏମାର୍ଜେନ୍ସୀରେ ଭର୍ତ୍ତି କରାଯାଇଛି।

ଏହି ଖବର ଆନ୍ଧ୍ରପ୍ରଦେଶ ପହଞ୍ଚିଥିବା ବେଳେ ପାଲାକୋଲ୍ଲୁରେ ଶୋକର ଛାୟା ଖେଳି ଯାଇଛି। ଭାରତରୁ ଫେରିବା ବାଟରେ କୃଷ୍ଣା ଓ ଆଶା ପରିବାର ସହ ଦୁବାଇରେ ନବବର୍ଷ ପାଳନ କରିଥିଲେ। କୃଷ୍ଣା ଓ ଆଶାଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ପାଲାକୋଲ୍ଲୁ ଆସିଥିବା ବେଳେ ବେଶ୍ ଖୁସି ଥିଲେ। ମାତ୍ର ୧୦ ଦିନ ପୂର୍ବେ ସେମାନେ ଆମେରିକା ଫେରିଯାଇଥିଲେ।