ସୁପ୍ରିମକୋର୍ଟରେ ହିମନ୍ତ ବିଶ୍ବଶର୍ମାଙ୍କ ‘ସୁଟିଂ ଭିଡିଓ’ ବିବାଦ, ଆସାମ ସିଏମଙ୍କ ବିରୋଧରେ ପିଆଇଏଲ୍ ଦାଖଲ

NEWS7
baragachha-mrutadeha-found-at-bolangir

ନୂଆଦିଲ୍ଲୀ: ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷ ଘୃଣା ସୃଷ୍ଟିକାରୀ ବୟାନ ଦେଉଥିବା ଅଭିଯୋଗରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଅନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ମୁସଲିମ ବିରୋଧୀ ବୟାନକୁ ଏଥିରେ ଉଲ୍ଲେଖ କରିଛନ୍ତି।ଏହି ଜନସ୍ୱାର୍ଥ ମାମଲା ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ, ସାମାଜିକ କର୍ମୀ ରୂପ ରେଖା ବର୍ମା ଏବଂ ଜନ୍ ଦୟାଲଙ୍କ ସମେତ ୧୨ ଜଣ ବ୍ୟକ୍ତି ଦାୟର କରିଛନ୍ତି। ଆବେଦନକାରୀ ଏହି ଗମ୍ଭୀର ପ୍ରସଙ୍ଗରେ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ , ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟପାଳ ମୁସଲିମ ସମ୍ପ୍ରଦାୟକୁ ଟାର୍ଗେଟ କରି ମନ୍ତବ୍ୟ ଦେଉଛନ୍ତି । ସେପଟେ ହାଇଦ୍ରାବାଦ ସାଂସଦ ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ମଧ୍ୟ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଏକ ଏଫଆଇଆର ଦାୟର କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଓୱେସି କହିଛନ୍ତି, ‘ଦୁର୍ଭାଗ୍ୟବଶତଃ, ଘୃଣ୍ୟ ଭାଷଣ ପ୍ରସାର କରିବା ସାଧାରଣ ହୋଇଗଲାଣି।’ ଓୱେସି ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘୃଣ୍ୟ ଭାଷଣ ପ୍ରସାରକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ହାଇଦ୍ରାବାଦ ପୋଲିସ କମିଶନରଙ୍କୁ ଅନୁରୋଧ କରିଛନ୍ତି।

କଂଗ୍ରେସ ଦଳ ରବିବାର ଦାବି କରିଥିଲା ଯେ, ଆସାମ ବିଜେପି ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ସେଥିରେ ହିମନ୍ତ ବିଶ୍ୱଶର୍ମା ମୁସଲମାନମାନଙ୍କୁ ଗୁଳି କରୁଥିବାର ଦେଖାଯାଇଥିଲା। ଏହା ସଂଖ୍ୟାଲଘୁଙ୍କ ବିରୋଧରେ ପଏଣ୍ଟ ବ୍ଲାଙ୍କ ହତ୍ୟାକୁ ପ୍ରୋତ୍ସାହିତ କରୁଛି ବୋଲି କଂଗ୍ରେସ ଦାବି କରିଥିଲା । ଏହା ପରେ ଭିଡିଓଟିକୁ ଡିଲିଟ୍ କରିଦିଆଯାଇଛି ବୋଲି କଂଗ୍ରେସ କହିଥିଲା ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଭିନ୍ନ ସମୟରେ ମୁସଲମାନ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥାନ୍ତି । ଜାନୁଆରୀ ୨୭ ତାରିଖରେ ସେ କହିଥିଲେ ଯେ, ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମୟରେ ରାଜ୍ୟର ଭୋଟର ତାଲିକାରୁ ୪,୦୦,୦୦୦ ରୁ ୫,୦୦,୦୦୦ ମିଆଁ ଭୋଟରଙ୍କ ନାମ ବାଦ ଦିଆଯିବ। ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ କହିବା କଥା ଥିଲା, ଯେପର୍ଯ୍ୟନ୍ତ ସେମାନଙ୍କୁ ହଇରାଣ କରାନଯାଏ, ସେମାନେ ଆସାମ ଛାଡ଼ି ଯିବେ ନାହିଁ ।