LIVE TV

ସାରା ବିଶ୍ୱରେ ମାଡ଼ିଗଲେଣି ଭାରତୀୟ ଶ୍ରମିକ, ବିକଶିତ ଦେଶଗୁଡ଼ିକୁ ଚଲାଉଛନ୍ତି ଦକ୍ଷ ଭାରତୀୟ: ଓଇସିଡି ରିପୋର୍ଟ

NEWS7
banker-turns-dragon-lady-spends-61-lakh-rupees-in-extreme-body-modification

ନୂଆଦିଲ୍ଲୀ: ଶ୍ରମ ଓ ଶ୍ରମିକ ଯୋଗାଣ କ୍ଷେତ୍ରରେ ବର୍ତ୍ତମାନ ଭାରତ ସାରା ବିଶ୍ୱରେ କେନ୍ଦ୍ରବିନ୍ଦୁ ପାଲଟିଛି। ନିରନ୍ତର ଦକ୍ଷ ଶ୍ରମିକଙ୍କ ଅଭାବର ସମ୍ମୁଖୀନ ହେଉଥିବା ଅଗ୍ରଣୀ ଅର୍ଥନୀତିର ଦେଶଗୁଡ଼ିକୁ ଭାରତ ହିଁ ଦକ୍ଷ ଶ୍ରମିକ ଯୋଗାଉଛି। ନିକଟରେ ପ୍ରକାଶିତ OECD ଆନ୍ତର୍ଜାତୀୟ ପ୍ରବାସ ଆଉଟଲୁକ୍(ଇଣ୍ଟର ନ୍ୟାସନାଲ ମାଇଗ୍ରେସନ ଆଉଟଲୁକ)୨୦୨୫ରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଏହି ଦେଶଗୁଡ଼ିକ ଯେତେବେଳେ ଦକ୍ଷ ଶ୍ରମିକଙ୍କ ଅଭାବର ସାମ୍ନା କରୁଛନ୍ତି, ସେତେବେଳେ ସେମାନଙ୍କର ଭାରତୀୟ ଦକ୍ଷ ଶ୍ରମିକ ଆଗ ଖୋଜାପଡ଼ୁଛନ୍ତି ବୋଲି ଓଇସିଡି (ଅର୍ଗାନାଇଜେସନ ଫର ଇକୋନୋମିକ କୋ-ଅପରେଟିଭ ଆଣ୍ଡ ଡେଭଲପମେଣ୍ଟ) ବା ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ ରିପୋର୍ଟ ଦର୍ଶାଇଛି। ହସ୍ପିଟାଲ ଏବଂ କେୟାର ହୋମଠାରୁ ଆରମ୍ଭ କରି ଟେକ୍ନୋଲୋଜୀ କେନ୍ଦ୍ର ପର୍ଯ୍ୟନ୍ତ, ଭାରତୀୟ ବୃତ୍ତିଗତ ଏବଂ କର୍ମଚାରୀମାନେ OECD ରାଷ୍ଟ୍ରଗୁଡ଼ିକର ଦକ୍ଷ ଶ୍ରମିକ ନିଯୁକ୍ତର ବ୍ୟବଧାନ ପୂରଣ କରୁଛନ୍ତି।
କେବଳ ୨୦୨୩ରେ ପ୍ରାୟ ୬ ଲକ୍ଷ ଭାରତୀୟ ଓଇସିଡି ଦେଶଗୁଡ଼ିକୁ ଗସ୍ତ କରିଛନ୍ତି। ପୂର୍ବ ବର୍ଷ ତୁଳନାରେ ଏଥିରେ ୮% ବୃଦ୍ଧି ଦେଖିବାକୁ ମିଳିଛି। ସେହି ବର୍ଷ ଦେଶଗୁଡ଼ିକୁ ପ୍ରବାସୀ ଶ୍ରମିକ ଯୋଗାଇବାରେ ଭାରତ ଶ୍ରୀର୍ଷରେ ରହିଥିଲା। ଏହା ଏକ ବ୍ୟାପକ ପରିବର୍ତ୍ତନକୁ ଦର୍ଶାଉଛି। ପୂର୍ବରୁ ଗ୍ଲୋବାଲ ମାଇଗ୍ରେସନରେ କେବଳ କମ୍ ମଜୁରୀପ୍ରାପ୍ତ ଶ୍ରମିକଙ୍କ ପ୍ରାଧାନ୍ୟ ଥିଲା। ଏବେ ସ୍ଥିତି ବଦଳିଯାଇଛି। ଏବେ ଦକ୍ଷ ଶ୍ରମିକଙ୍କ ପ୍ରଭାବ ବଢୁଛି। ଆଉ ଏହାର ନେତୃତ୍ୱ ନେଉଛି ଭାରତ।
ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ୍ଣ ଭାରତୀୟଙ୍କ ଉପସ୍ଥିତି
ଓଇସିଡି ତଥ୍ୟ ଅନୁସାରେ, ଯେଉଁ କେତେକ ଦେଶରୁ ତାଲିମପ୍ରାପ୍ତ ବିଦେଶୀ ଡାକ୍ତର ଆସୁଛନ୍ତି, ସେହି ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ସେହିପରି ନର୍ସଙ୍କ ନିଯୁକ୍ତି ମଧ୍ୟରେ ଭାରତ ଦ୍ୱିତୀୟରେ ରହିଛି। ୨୦୨୧ରୁ ୨୦୨୩ ମଧ୍ୟରେ, ଓଇସିଡି ରାଷ୍ଟ୍ରଗୁଡ଼ିକରେ ୧୦ ଜଣ ପ୍ରବାସୀ ଡାକ୍ତରଙ୍କ ମଧ୍ୟରୁ ଚାରି ଜଣ ଏବଂ ପ୍ରବାସୀ ନର୍ସଙ୍କ ମଧ୍ୟରୁ ଏକ ତୃତୀୟାଂଶ ଏସିଆରୁ ଆସିଥିଲେ। ଯେଉଁଥିରେ ସର୍ବାଧିକ ଭାଗ ଭାରତର ହିଁ ଥିଲା।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ଭାରତୀୟଙ୍କ ସ୍ଥାନାନ୍ତରଣ ୟୁକେର ହେଲ୍ଥ ଆଣ୍ଡ କେୟାର ୱାର୍କର ଭିଜା ଓ ଆୟର୍ଲାଣ୍ଡର ଆନ୍ତର୍ଜାତୀୟ ମେଡିକାଲ୍ ସ୍ନାତକ ତାଲିମ ଭଳି ଆନୁଷ୍ଠାନିକ ଚ୍ୟାନେଲ ସହଯୋଗ କରୁଛି। ଏଥିରେ ବିଦେଶୀ ବୃତ୍ତିଗତମାନଙ୍କୁ ବିଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ତାଲିମ, କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟସେବାରେ ସେମାନଙ୍କର ଅବଦାନ ଦେବାର ଅନୁମତି ଦେଉଛି।
ନୂଆ ଶ୍ରମ ଦିଗ ଓ ଦ୍ୱିପାକ୍ଷିକ ଚୁକ୍ତି
ସ୍ୱାସ୍ଥ୍ୟସେବା ବ୍ୟତୀତ, ବୟସ୍କଙ୍କ ଯତ୍ନ ନେବା, ନିର୍ମାଣ ଏବଂ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଭାରତୀୟ ଶ୍ରମିକଙ୍କ ଉପସ୍ଥିତି ବୃଦ୍ଧି ପାଉଥିବା ଓଇସିଡି ରିପୋର୍ଟରେ ଉଲ୍ଲେକ କରିଛି। ଏଥିସହିତ ଭାରତୀୟ ପ୍ରତିଭାଙ୍କୁ କିଭଳି ବ୍ୟବସ୍ଥିତ ଭାବରେ ନିଯୁକ୍ତି ଦିଆଯାଇପାରିବ ସେଥିପାଇଁ ମଧ୍ୟ ଦେଶ ବିଦେଶର ସରକାରମାନେ ବ୍ୟବସ୍ଥା କରୁଛନ୍ତି। ଅଷ୍ଟ୍ରେଲିଆର ଏଜ୍ଡ୍ କେୟାର ଇଣ୍ଡଷ୍ଟ୍ରୀ ଲେବର ଏଗ୍ରୀମେଣ୍ଟ( ବୟସ୍କ ଯତ୍ନ ଶିଳ୍ପ ଶ୍ରମ ଚୁକ୍ତିନାମା) ଏବଂ ୨୦୨୪  ମସିହାରେ ସ୍ୱାକ୍ଷରିତ ଏକ ନୂଆ ଭାରତ-ଗ୍ରୀସ୍ ପ୍ରବାସ ସହଭାଗୀତା ଉଭୟ ସରକାର କିଭଳି ଦ୍ୱିପାକ୍ଷିକ ବ୍ୟବସ୍ଥା ଡିଜାଇନ୍ କରୁଛନ୍ତି ତାହା ଦର୍ଶାଉଛି। ଏହି ବ୍ୟବସ୍ଥିତ ରାସ୍ତା ଓଇସିଡି ଦେଶଗୁଡ଼ିକ ସଠିକ ଦକ୍ଷ ଶ୍ରମିକ ଆଣିବାରେ ପଥ ପ୍ରଶସ୍ତ କରିବ। ଅଯଥା ସମୁହ ସ୍ଥାନାନ୍ତରଣ ନ କରି ଆବଶ୍ୟକୀୟ ଦକ୍ଷ ଶ୍ରମିକ ସେମାନେ ନେଇପାରିବେ।  
ନିୟମ କଠୋର ହେଲେ ଚାହିଦା ଅଧିକ
ବିଭିନ୍ନ ଦେଶଗୁଡ଼ିକ ଭିସା ନିୟମ କଠୋର କରିବା ଏବଂ ନିଯୁକ୍ତିତି ଦାତାଙ୍କ ପାଇଁ ନିୟମ କଡ଼ାକଡ଼ି କରିବା ସତ୍ତ୍ୱେ ବି ଭାରତୀୟ ଶ୍ରମିକଙ୍କ ଚାହିଦା ବୃଦ୍ଧି ପାଉଛି। ନିୟମକୁ ଚ୍ୟାଲେଞ୍ଜ କରି ଏହି ବିଦେଶୀ ମାଧ୍ୟମମାନେ ପ୍ରବାସକୁ ଅଧିକ ସ୍ୱଚ୍ଛ ଏବଂ ଦକ୍ଷତା-ଚାଳିତ ଚ୍ୟାନେଲର ମାଧ୍ୟମରେ ବିଦେଶରେ ନିଯୁକ୍ତ କରାଉଛନ୍ତି। ଯେଉଁଠାରେ ଭାରତ ପ୍ରାଧାନ୍ୟ ବଢ଼ି ଚାଲିଛି।
କେବଳ ପୁରୁଷ ନୁହେଁ ଆଜିକାଲି ମହିଳାମାନେ ବି ବିଦେଶୀ ଜବ ମାର୍କେଟ୍‌ରେ ପ୍ରବେଶ କଲେଣି।  ୨୦୨୫ ରିପୋର୍ଟରେ ଆନ୍ତର୍ଜାତୀୟ ଚାକିରି ବଜାରରେ ପ୍ରବେଶ କରୁଥିବା ଭାରତୀୟ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ରେକର୍ଡ କରାଯାଇଛି ବିଶେଷକରି କେୟାର ଏବଂ ଶିକ୍ଷା ଦିଗରେ ମହିଳାଙ୍କ ନିଯୁକ୍ତି ଅଧିକ ରହୁଛି। ସେହିପରି ଭାରତୀୟ ସ୍ନାତକମାନଙ୍କର ଏକ ନୂଆ ପିଢ଼ି, ଯେଉଁମାନେ ବିଦେଶରେ ରହି ପଢ଼ିବା ପରେ ସେମାନେ ସେହି ଦେଶରେ ପୂର୍ଣ୍ଣକାଳୀନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏମାନଙ୍କର ଯୋଗଦାନ ବିଶେଷ କରି ସ୍ୱାସ୍ଥ୍ୟ, ଆଇଟି ଏବଂ ଗବେଷଣା କ୍ଷେତ୍ରରେ ରହୁଛି।
ବିଶ୍ୱ ନିର୍ଭର କରୁଥିବା ଏକ କର୍ମଶକ୍ତି
ଓଇସିଡି ଗବେଷଣା ଯାହା ଦର୍ଶାଉଛି ତାହା ବର୍ତ୍ତମାନ ସାରା ବିଶ୍ୱରେ ଟ୍ରେଣ୍ଡ ପାଲଟିଛି। ଭାରତ ଆଉ କେବଳ ଶ୍ରମିକ ରପ୍ତାନି କରୁନାହିଁ ଦକ୍ଷତା ମଧ୍ୟ ରପ୍ତାନୀ କରୁଛି। ଚିକିତ୍ସା ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସଫ୍ଟୱେର୍ ଇଞ୍ଜିନିୟର ପର୍ଯ୍ୟନ୍ତ, ଭାରତୀୟ ଶ୍ରମିକମାନେ ମହାଦେଶ ଏବଂ ଶିଳ୍ପଗୁଡ଼ିକରେ ଅଭାବ ପୂରଣ କରୁଛନ୍ତି। ଯଦିଓ ଆୟୋଜକ ରାଷ୍ଟ୍ରଗୁଡ଼ିକ ତାଲିମପ୍ରାପ୍ତ ବୃତ୍ତିଗତଙ୍କ ନିରନ୍ତର ଯୋଗାଣରୁ ଲାଭ ପାଉଛନ୍ତି, ହେଲେ ଭାରତ ପାଇଁ ଆଗକୁ ବଡ଼ ବିପଦ ସଂକେତ ଦେଖା ଦେଉଛି ବୋଲି ଓଇସିଡି ରିପୋର୍ଟରେ ସତର୍କ କରାଇଛି। ଘରୋଇ ବ୍ୟବଧାନକୁ ଏଡାଇବା ପାଇଁ, ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ଭାରତକୁ ନିଜର କର୍ମଶକ୍ତି ଯୋଜନାକୁ ସୁଦୃଢ଼ ​​କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଉଛି। ସବୁ ତଥ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସାରା ବିଶ୍ୱ ଆହୁରି ଭାରତୀୟ ଶ୍ରମିକ ଚାହୁଁଛି, ଏହା ଦେଖି ଭାରତ ମଧ୍ୟ ଶ୍ରମ ବଳକୁ ଆହୁରି ବଢାଇବା ନିହାତି ଆବଶ୍ୟକ।
ଓଇସିଡି କ'ଣ ଓ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ କିଏ ?
ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (OECD) ହେଉଛି ୩୮ ଟି ସଦସ୍ୟ ଦେଶର ଏକ ଆନ୍ତଃସରକାରୀ ସଂଗଠନ ଯାହା ଅର୍ଥନୈତିକ ପ୍ରଗତି ଏବଂ ବିଶ୍ୱ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରେ। ପ୍ୟାରିସରେ ଏହାର ମୁଖ୍ୟାଳୟ ରହିଛି। ଏହା ସରକାରଙ୍କ ପାଇଁ ନୀତି ଅଭିଜ୍ଞତା ତୁଳନା କରିବା, ସାଧାରଣ ସମସ୍ୟାର ଉତ୍ତର ଖୋଜିବା ଏବଂ ଆର୍ଥିକ ଅଭିବୃଦ୍ଧି, ସମୃଦ୍ଧି ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରେ। ଏହା ୧୯୬୧ ମସିହାରେ ୟୁରୋପୀୟ ଆର୍ଥିକ ସହଯୋଗ ସଂଗଠନ (OEEC) ବଦଳରେ ପ୍ରତିଷ୍ଠିତ ହୋଇଥିଲା ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମାର୍ଶାଲ ଯୋଜନା ପରିଚାଳନା ପାଇଁ ଗଠିତ ହୋଇଥିଲା।
OECD ସରକାରମାନଙ୍କୁ ନୀତି, ଅଭିଜ୍ଞତା ବାଣ୍ଟିବା ଏବଂ ଆର୍ଥିକ ଏବଂ ସାମାଜିକ ଚ୍ୟାଲେଞ୍ଜର ସମାଧାନ ଖୋଜିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରେ। ଏହା ଅର୍ଥନୈତିକ ଅଭିବୃଦ୍ଧି, ସମୃଦ୍ଧି ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଅଣ-ସଦସ୍ୟ ଅର୍ଥନୀତି ସହିତ ମଧ୍ୟ କାର୍ଯ୍ୟ କରେ। ୨୦୦୭ ମସିହାରୁ ଭାରତ ଏହାର ମୁଖ୍ୟ ସହଯୋଗୀ ରାଷ୍ଟ୍ର ହୋଇ ରହି ଆସିଛି। ଏହି ସଂଗଠନ ଅର୍ଥନୈତିକ ନୀତି, ବାଣିଜ୍ୟ, ଡିଜିଟାଲ ଅର୍ଥନୀତି, ସ୍ୱାସ୍ଥ୍ୟ ଏବଂ ସ୍ଥାୟୀ ବିକାଶ ଭଳି କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦିଏ। ତଥ୍ୟ, ବିଭିନ୍ନ କାର୍ଯ୍ୟଗୁଡ଼ିକର ବିଶ୍ଳେଷଣାତ୍ମକ ତଥ୍ୟ ପ୍ରକାଶ କରେ।

OECD ସଦସ୍ୟଗୁଡ଼ିକ ହେଲେ-
ଅଷ୍ଟ୍ରେଲିଆ,ଅଷ୍ଟ୍ରିଆ,ବେଲଜିୟମ,କାନାଡା,ଚିଲି,କଲମ୍ବିଆ,କୋଷ୍ଟାରିକା,ଚେକ୍ ରିପବ୍ଲିକ,ଡେନମାର୍କ,ଏଷ୍ଟୋନିଆ,ଫିନଲ୍ୟାଣ୍ଡ,ଫ୍ରାନ୍ସ,ଜର୍ମାନୀ,ଗ୍ରୀସ୍, ହଙ୍ଗେରୀ,ଆଇସଲ୍ୟାଣ୍ଡ,ଆୟାରଲ୍ୟାଣ୍ଡ,ଇସ୍ରାଏଲ,ଇଟାଲି,ଜାପାନ,କୋରିଆ (ଦକ୍ଷିଣ କୋରିଆ), ଲାଟଭିଆ, ଲିଥୁନିଆ, ଲକ୍ସେମବର୍ଗ, ମେକ୍ସିକୋ,ନେଦରଲ୍ୟାଣ୍ଡ,ନ୍ୟୁଜିଲ୍ୟାଣ୍ଡ,ନରୱେ,ପୋଲାଣ୍ଡ,ପର୍ତ୍ତୁଗାଲ,ସ୍ଲୋଭାକ ରିପବ୍ଲିକ, ସ୍ଲୋଭେନିଆ,ସ୍ପେନ୍,ସ୍ୱିଡେନ,ସ୍ୱିଜରଲ୍ୟାଣ୍ଡ,ତୁର୍କୀ,ୟୁକେ,ଆମେରିକା