ନିର୍ବାଚନ କମିଶନରଙ୍କୁ ହଟାଇବାକୁ ଏକଜୁଟ ହେଲେ ଲୋକସଭା ଓ ରାଜ୍ୟସଭା ସାଂସଦ, ନୋଟିସରେ କଲେ ସ୍ୱାକ୍ଷର

NEWS7
bank-strike-from-25th

  • ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ସାଂସଦମାନେ ଏକ ନୋଟିସ୍ ରେ ସ୍ୱାକ୍ଷର କରିଛନ୍ତି
  • ଏହି ନୋଟିସ୍ ୧୩ ମାର୍ଚ୍ଚ ଶୁକ୍ରବାର ସଂସଦର କୌଣସି ସଦନରେ ଉପସ୍ଥାପିତ ହୋଇପାରେ
  • ନିୟମ ଅନୁସାରେ ନିର୍ବାଚନ କମିଶନରଙ୍କୁ ପଦରୁ ହଟାଇବା ପାଇଁ ଲୋକସଭାର ଅନୁନ୍ୟ ୧୦୦ ଜଣ ସାଂସଦଙ୍କ ସ୍ୱାକ୍ଷର ଜରୁରି

ନୂଆଦିଲ୍ଲୀ ୧୨।୩: ସୂତ୍ର ଅନୁସାରେ ଲୋକସଭାର ୧୩୦ ଓ ରାଜ୍ୟସଭାର ୬୩ ଜଣ ସାଂସଦ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କରିଛନ୍ତି। ଏହି ନୋଟିସ୍ ୧୩ ମାର୍ଚ୍ଚ ଶୁକ୍ରବାର ସଂସଦର କୌଣସି ସଦନରେ ଉପସ୍ଥାପିତ ହୋଇପାରେ। ତେବେ ଏହା କେଉଁ ସଦନରେ ଉପସ୍ଥାପିତ ହେବ ତାହା ସ୍ପଷ୍ଟ ହୋଇ ନାହିଁ। ବିରୋଧୀ ଦଳର ଜନୈକ ନେତା ଏହି ନୋଟିସ୍ ରେ ସାଂସଦମାନେ ସ୍ୱାକ୍ଷର କରିବାକୁ ବିଶେଷ ଋଚି ଦେଖାଇଥିବା କହିଛନ୍ତି ଓ ଏଥିରେ ଗୁରୁବାର ମଧ୍ୟ କିଛି ସାଂସଦ ସ୍ୱାକ୍ଷର କରିଥିଲେ ଯେତେବେଳେ ଏଥିପାଇଁ ଆବଶ୍ୟକ ସଂଖ୍ୟା ପୂର୍ବରୁ ପୁରା ହୋଇ ସାରିଥିଲା।

ନୋଟିସ୍ ପ୍ରକ୍ରିୟା ଓ ଆବଶ୍ୟକ ସଂଖ୍ୟା
ନିୟମ ଅନୁସାରେ ନିର୍ବାଚନ କମିଶନରଙ୍କୁ ପଦରୁ ହଟାଇବା ପାଇଁ ଲୋକସଭାର ଅନୁନ୍ୟ ୧୦୦ ଜଣ ସାଂସଦଙ୍କ ସ୍ୱାକ୍ଷର ଜରୁରି, ସେହିପରି ରାଜ୍ୟସଭା ଲାଗି ଏହି ସଂଖ୍ୟା ୫୦। ସୂତ୍ର ଅନୁସାରେ ଇଣ୍ଡି ମେଣ୍ଟର ସାଂସଦମାନେ ଏହି ନୋଟିସ୍ ରେ ସ୍ୱାକ୍ଷର କରିଛନ୍ତି। ଏଥିରେ ଏବେ ଆମ ଆଦମୀ ପାର୍ଟି (ଆପ) ସାଂସଦମାନେ ଯେଉଁମାନେ ଔପଚାରିକ ରୂପେ ମେଣ୍ଟର ସଦସ୍ୟ ନୁହନ୍ତି ସେମାନେ ମଧ୍ୟ ଏହି ନୋଟିସ୍ ରେ ସ୍ୱାକ୍ଷର କରିଥିବା ଜଣାପଡିଛି।

ମୁଖ୍ୟ ନିର୍ବାଚନ କମିଶନରଙ୍କବିରୋଧରେ କଣ ରହିଛି ଅଭିଯୋଗ?
ଭାରତର ରାଜନୈତିକ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି ଯେତେବେଳେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ହଟାଇବା ପାଇଁ ସାଂସଦ ମେଳି ହୋଇଛନ୍ତି। ଉଚ୍ଚ ପଦସ୍ଥ ସୂତ୍ର ଅନୁସାରେ ଏହି ନୋଟିସ୍ ରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ୭ଟି ଅଭିଯୋଗ ରହିଛି। ଏଥିରେ ପଦବୀରେ ରହି ପକ୍ଷପାତ ଓ ଭେଦଭାବପୂର୍ଣ୍ଣ ଆଚରଣ, ନିର୍ବାଚନୀ ଅନିୟମିତତା ଯାଞ୍ଚରେ ଜାଣିଶୁଣି ବାଧା ଦେବାରେ ସାମିଲ ହେବା ଆଦି ଅଭିଯୋଗ ରହିଛି। କେତେକ ଅବସରରେ ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ବିଜେପିକୁ ସହଯୋଗ କରୁଥିବାର ଅଭିଯୋଗ କରିଛନ୍ତି। ବିଶେଷ କରି ଏବେ ଚାଲିଥିବା ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇର) ମାମଲାରେ।

ପଶ୍ଚିମବଙ୍ଗରେ ନିର୍ବାଚନ ଆୟୋଗଙ୍କ ଭୂମିକା
ପଶ୍ଚିମବଙ୍ଗରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକୁ ନେଇ ବିଶେଷ ଉଦବେଗ ପ୍ରକାଶ କରାଯାଇଛି। ଏଥିରେ ଟିଏମସି ନେତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଉପରେ ବୈଧ ଭୋଟରଙ୍କ ନାମ ହଟାଇବାର ଅଭିଯୋଗ ଆଣିଛନ୍ତି। ଦେଶର ନିର୍ବାଚନ ଆୟୋଗଙ୍କୁ ହଟାଇବା ପ୍ରକ୍ରିୟା ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟଙ୍କ ବିଚାରପତିଙ୍କ ହଟାଇବା ପ୍ରକ୍ରିୟା ସହ ସମାନ। ଏହାର ଅର୍ଥ ହେଉଛି ମହାଭିଯୋଗ କେବଳ ସିଦ୍ଧ ଦୁର୍ବ୍ୟବହାର ଅଥବା ଅକ୍ଷମତା ଆଧାରରେ କରାଯାଇ ପାରେ।

Also Read..ଆଶ୍ଚର୍ଯ୍ୟକର ଘଟଣା: ରାସ୍ତା ଖାଲଖମା ଯୋଗୁଁ ଫେରିଲା ଜୀବନ, 'ବ୍ରେନ୍ ଡେଡ୍' ଘୋଷିତ ମହିଳା ହେଲେ ଜୀବିତ