ଥାନାରେ ଅଟକ ଛେଳି, ସାକ୍ଷୀ ଦେବାକୁ ଆସିଲା ଆଉ ଏକ ଛେଳି

NEWS7
bank-open-till-2-pm-in-4-districts-in-odisha

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନାରେ ଏକ ଛେଳିର ମାଲିକାନାକୁ ନେଇ ତୁମ୍ବିତୋଫାନ। ଗୋଟିଏ ଛେଳିକୁ ଦୁଇ ଜଣ ନିଜର ବୋଲି କହୁଥିବା ବେଳେ, ଆଉ ଏକ ଛେଳିକୁ ସାକ୍ଷୀ ଭାବରେ ଆଣିଛନ୍ତି ଗୋଟିଏ ପକ୍ଷ। ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନଥିବା ବେଳେ, ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିବା ବେଳେ ଏବେବି ଛେଳି ନିଜର ବୋଲି ଦାବି କରୁଛନ୍ତି।

ସୂଚନା ଅନୁସାରେ, ନୀଳଗିରି ସାନଅତା ଗ୍ରାମର ମୋନାଲିସା ଦାସଙ୍କ ଏକ ମାଈ ଛେଳି ଦେଢ଼ ମାସ ତଳେ ହଜି ଯାଇଥିଲା। ବହୁ ଖୋଜାଖୋଜି ପରେବି ସେ ପାଇନଥିଲେ। ମୋନାଲିସାଙ୍କ ଅଭିଯୋଗ ଅନୁସାରେ, ଶୁକ୍ରବାର ଛେଳିକୁ ସେ ନୀଳଗିରି ଗୁଡ଼ିଖାଣିଆ ଗ୍ରାମର ଲକ୍ଷ୍ମଣ ବିନ୍ଧାଣୀଙ୍କ ଘରେ ଥିବା ଜାଣିବାକୁ ପାଇଥିଲେ। ଯାହା ପରେ ସେ ଛେଳି ଆଣିବାକୁ ଯାଇଥିଲେ। କିନ୍ତୁ ଛେଳିକୁ ନପାଇବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ। ଏପଟେ ଉକ୍ତ ଛେଳିକୁ ସୋମନାଥପୁର ଗ୍ରାମରୁ ଦୁଇ ହଜାର ଟଙ୍କା ଦେଇ କିଣିଥିବା କହିଛନ୍ତି ଲକ୍ଷ୍ମଣ।

କଥା ଏତିକିରେ ସରିନାହିଁ ମୋନାଲିସାଙ୍କ ପରିବାର ଅନ୍ୟ ଏକ ଛେଳିକୁ ସାକ୍ଷୀ ଭାବରେ ଦର୍ଶାଇବାକୁ ଆଣିଛନ୍ତି। ସେମାନେ କହିଛନ୍ତି, ସେମାନଙ୍କ ପାଖରେ ଅନେକ ଛେଳି ରହିଛି। ସେହି ଛେଳିମାନଙ୍କ ଶିଙ୍ଘରେ ରଙ୍ଗ ଲଗାଯାଇଛି। ଥାନାରେ ଥିବା ଛେଳିର ଶିଙ୍ଘରେ ମଧ୍ୟ ସେହି ରଙ୍ଗ ଲାଗିଛି। ତେଣୁ ଏହା ଦେଖାଇବାକୁ ଆଉ ଏକ ଛେଳିକୁ ଆଣିଛନ୍ତି।

ଏମିତିରେ ଏ ଛେଳି କାହାର ? ଜାଣିବା ପାଇଁ ଶେଷରେ ତଦନ୍ତକାରୀ ଅଧିକାରୀ ଶ୍ରୀନିବାସ ରାଉତ ଦୁଇ ପକ୍ଷଙ୍କୁ ଛେଳି ନିକଟରେ ଛିଡ଼ା କରି ଛେଳି ଯେଉଁ ପକ୍ଷ ନିକଟକୁ ଯିବ, ତା’ର ହେବ ବୋଲି କହିଥିଲେ। ଏହା ପରେ ଛେଳିକୁ ପଘାରୁ ଖୋଲାଯାଇଥିଲା। ମାତ୍ର ଛେଳିଟି କାହା ନିକଟକୁ ବି ଯାଇନଥିଲା। ଏମିତିରେ ଛେଳିଟି ଏବେବି ଥାନାରେ ଅଟକ ରହିଛି।