ବାବୁଲ ସୁପ୍ରିୟୋ, ପୂର୍ବତନ ଡିଜି ରାଜୀବ କୁମାର... ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଲେ ମମତା

NEWS7
bank-accidentally-deposits-262-crore-into-womans-account

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ ବା ଟିଏମସି। ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ବାବୁଲ ସୁପ୍ରିୟୋ, ପଶ୍ଚିମବଙ୍ଗର ପୂର୍ବତନ ଡିଜିପି ରାଜୀବ କୁମାର, ମାନେକା ଗୁରୁସ୍ୱାମୀ ଏବଂ କୋୟଲ ମଲ୍ଲିକ। ବାବୁଲ ସୁପ୍ରିୟୋ ବର୍ତ୍ତମାନ ତୃଣମୂଳ କଂଗ୍ରେସ ବିଧାୟକ ଅଛନ୍ତି। ୨୦୨୧ରେ ସେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ। ସେ ବିଜେପି ସାଂସଦ ଥିବା ସମୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ସେହିଭଳି ପୂର୍ବତନ ଡିଜିପି ରାଜୀବ କୁମାର ନିକଟରେ ପୋଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି। ସାରଦା ଚିଟଫଣ୍ଡ ଦୁର୍ନୀତି ହେଉ କିମ୍ବା ସିବିଆଇ ଚଢାଉ, ମମତା ବାନାର୍ଜୀ ନିରନ୍ତର ରାଜୀବ କୁମାରଙ୍କ ସହ ଠିଆ ହୋଇଛନ୍ତି।

କିଛି ଦିନ ପୂର୍ବରୁ ରାଜୀବ କୁମାର କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ସେବେଠାରୁ ହିଁ ରାଜୀବ କୁମାର ଟିଏମସିକୁ ଆସିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଅନେକଙ୍କ ମତରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବା ପାଇଁ ରାଜନୈତିକ ଏବଂ ପ୍ରଶାସନିକ କ୍ଷମତା ଆବଶ୍ୟକ। ଆଉ ରାଜୀବ କୁମାରଙ୍କ ପଶ୍ଚିମବଙ୍ଗ ସରକାର ଏବଂ ଶାସକ ଦଳର ସମର୍ଥନ ରହିଛି।

ସେହିଭଳି କୋଏଲ ମଲ୍ଲିକ ଜଣେ ବଙ୍ଗୀୟ ବରିଷ୍ଠ ଅଭିନେତ୍ରୀ। ଟିଏମସି ଏହି ଅଭିନେତ୍ରୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଇଡି ମାମଲାରେ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିଥିବା ମାନେକା ଗୁରୁସ୍ୱାମୀଙ୍କ ନାମାଙ୍କନ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ସୂଚନାଥାଉକି, ରାଜ୍ୟସଭା ନିର୍ବାଚନ ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବ। ୧୦ଟି ରାଜ୍ୟର ମୋଟ ୩୭ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବ। ଏଥିମଧ୍ୟରୁ ୫ଟି ଆସନ ପଶ୍ଚିମବଙ୍ଗରେ ଅଛି। ବିଧାୟକଙ୍କ ସଂଖ୍ୟା ଆଧାରରେ, ତୃଣମୂଳ କଂଗ୍ରେସ ଚାରୋଟି ଏବଂ ବିଜେପି ଗୋଟିଏ ଆସନ ଜିତିବ ବୋଲି ଆଶା କରାଯାଉଛି।